ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବାକୁ ବିଜେପି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଆଣିବ। କେବଳ ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାଧାମୋହନ ସିଂହ, ରାମକ୍ରିପାଲ ଯାଦବ, ସନ୍ତୋଷ ଗଙ୍ଗଓ୍ଵାର ପ୍ରମୁଖ ମଧ୍ୟ ବିଜେପି ପ୍ରଚାରରେ ସାମିଲ ହେବେ। ଫଳରେ ଆଗକୁ ବିଜେପୁର ଉପନିର୍ବାଚନ ରୋଚକ ମୋଡ଼ ନେବ ବୋଲି ରାଜନୈତିକ ମହଲ କହିବା ଆରମ୍ଭ କଲେଣି।
ଉଲ୍ଲେଖଯୋଗ୍ୟ, ବିଜେପୁର ଉପନିର୍ବାଚନ ତାତି ଦିନକୁ ଦିନ ଜୋର ଧରୁଛି। ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଣୟ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏପଟେ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଚାଲିଆସିଲେଣି। ଆଜି ପୂର୍ବାହ୍ନରେ ବରପାଲିର ୨୨ଜଣ ବିଜେପି କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି। ନବୀନ ନିବାସରେ ଏମାନଙ୍କ ଯୋଗଦାନ କାର୍ଯ୍ୟକ୍ରମ ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ ସେ ଖୁବ୍ ଶୀଘ୍ର ଉପନିର୍ବାଚନ ପ୍ରଚାରରେ ଯିବେ। ତେବେ କେବେଠାରୁ ସେ ପ୍ରଚାର ଆରମ୍ଭ କରିବେ ସେ ତାରିଖ କହିନାହାନ୍ତି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ୪ କେନ୍ଦ୍ରମନ୍ତ୍ରୀ ପ୍ରଚାର ପାଇଁ ଆସିବେ। ଖୁବ୍ ଶୀଘ୍ର ସେମାନଙ୍କ କାର୍ଯ୍ୟକ୍ରମ ସଂପର୍କରେ ଜଣାଇ ଦିଆଯିବ। ସେହିଭଳି ଆଜି ବିଜେପି ଦଳ ବିରୋଧୀ କାର୍ଯ୍ୟ ପାଇଁ ୫ କାର୍ଯ୍ୟକର୍ତ୍ତାଙ୍କୁ ବହିଷ୍କାର କରିଛି। ସେମାନେ ହେଲେ ବିଜେପି ଆଗଲପୁର ମଣ୍ଡଳ ସଭାପତି ଉପେନ୍ଦ୍ର କ୍ଷେତି, ଆଗଲପୁର ମଣ୍ଡଳ ସାଧାରଣ ସଂପାଦକ ବିରୋସେନ ସାହୁ, କୁମ୍ଭାରୀ ଗ୍ରାମ ପଞ୍ଚାୟତର କୌସ୍ତୁଭ ସାହୁ, ବରପାଲିର ଆଡଭୋକେଟ ଶରତ ଦାସ ଓ କୈଳାସ ବେହେରା। ତେବେ କଂଗ୍ରେସ ପକ୍ଷରୁ କିଏ ପ୍ରଚାର କରିବେ, ସେ ନେଇ ଦଳ ଏଯାଏ ସୂଚନା ଦେଇନାହିଁ।
ବିଜେପୁରରେ ନବୀନ-ରମଣ ମୁକାବିଲା
/sambad/media/post_attachments/wp-content/uploads/2017/12/bijepur.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)