ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ଘଣ୍ଟି ବଜାଇଲେ ନବୀନ

ମୁମ୍ବାଇ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତ ସାରି ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଫେରିଆସିଛନ୍ତି। ଗସ୍ତର ଶେଷ ଦିନରେ ସେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ (ବିଏସ୍‌ଇ)ର ଘଣ୍ଟି ବଜାଇବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବାହ୍ନ ୧୧ଟାରେ ସେ ବିଏସ୍‌ଇର ଘଣ୍ଟି ବଜାଇଥିଲେ। ତାଙ୍କ ସହିତ ବିଏସ୍‌ଇର ଅଧ୍ୟକ୍ଷ ଏସ୍‌ ଏସ୍‌ ମୁନ୍ଦ୍ରା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଷ୍ଟକ ବଜାରରେ ଘଣ୍ଟି ବଜାଇବା ସହ ସେହିଦିନର ସେୟାର କାରବାରର ଶୁଭାରମ୍ଭ ହୋଇଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ଐତିହାସିକ ଅନୁଷ୍ଠାନରେ ପହଞ୍ଚି ମୋତେ ବହୁତ ଖୁସି ଲାଗୁଛି। ମୋ ପାଇଁ ଏହା ଏକ ବହୁତ ଭଲ ଅନୁଭୂତି।

ଗତ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ଦିନ ଅନୁଷ୍ଠିତ ‌ଓଡ଼ିଶା ନିବେଶକ ସମ୍ମିଳନୀକୁ ସେ ସମ୍ବୋଧିତ କରିଥିଲେ ଏବଂ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ଶିଳ୍ପପତି ଓ ନିବେଶକମାନଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ସେ ଦେଶର ପ୍ରମୁଖ ଶିଳ୍ପପତି ଯଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ୍ ବିର୍ଲା, ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ବେଦାନ୍ତର ଅନିଲ ଅଗ୍ରୱାଲ୍, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରା, ଆଇସିଆଇସିଆଇ ବ୍ୟାଙ୍କର ଇଡି ରାକେଶ ଝା, ଏଚ୍‌ଡିଏଫ୍‌ସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ବୋହରା ଓ ଆହୁରି ବହୁ ଚର୍ଚ୍ଚିତ ଶିଳ୍ପପତିମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ଓଡ଼ିଶାରେ ୮୦ ହଜାର କୋଟି ଟଙ୍କା ନିବେଶ କରାଯାଇଛି ଓ ଆଗାମୀ ଦିନରେ ଆଉ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି ବେଦାନ୍ତର ଶ୍ରୀ ଅନିଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ସେ ଓଡ଼ିଶାର ନିବେଶ ବାତାବରଣକୁ ପ୍ରଶଂସା କରିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଦେଶର ଅନ୍ୟତମ ପସନ୍ଦର ନିବେଶ ସ୍ଥଳରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ସେ ରାଜ୍ୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଓ ୫-ଟିକୁ ପ୍ରଶଂସା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର