ପିଲାଙ୍କୁ ସ୍କୁଲ୍ ଛାଡ଼ିବାକୁ ନିବେଦନ କଲେ ନବୀନ: ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି

ପିଲାଙ୍କର କିଛି ଅସୁବିଧା ହେବନି, କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ

ଭୁବନେଶ୍ବର: ଆଜି ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛି। ୧୪ ତାରିଖରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଜରିଆରେ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ଭରସା ବି ଦେଇଛନ୍ତି। ଅଭିଭାବକଙ୍କୁ ନିବେଦନ କରିଛନ୍ତି ଯେ ଆପଣମାନେ ପିଲାମାନଙ୍କୁ ସ୍କୁଲ୍ ଛାଡ଼ନ୍ତୁ ଓ ଭଲ ଭାବେ ମାସ୍କ ପିନ୍ଧାଇ ଛାଡ଼ନ୍ତୁ। କୋଭିଡ୍ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ।

ସ୍କୁଲ୍ ଖୋଲିବାକୁ ନେଇ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା। ପିଲାମାନେ ଆଜି ସ୍କୁଲ ଗଲେ। ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ସ୍କୁଲ ଖୋଲିବା ହେଉଛି ସ୍ବଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତି। ପିଲାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥୀ ଖେଳକୁଦ ସବୁ ବନ୍ଦ ଥିଲା । ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମମାନଙ୍କୁ ବହୁତ ଖୁସି ଦେଇଛି। ତୁମମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି। ପାଠପଢ଼ା ସହିତ ସାଙ୍ଗସାଥୀ, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ। ଆମେ ପୁଣି ଆଗକୁ ବଢ଼ିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି।

ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ସମସ୍ତେ ତୁମ ସାଥୀରେ ଅଛୁ। କିନ୍ତୁ ତୁମକୁ ସତର୍କ ରହିବାକୁ ହେବ। ତୁମମାନଙ୍କୁ ମୋର ଅନୁରୋଧ ତୁମେମାନେ କୋଭିଡ ଗାଇଡଲାଇନ ଠିକ୍ ଭାବରେ ପାଳନ କରିବ। ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍ ଭାବରେ ପିନ୍ଧିବ। ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢ଼ାରେ ଯାହା କିଛି କ୍ଷତି ହୋଇଛି, ତା’କୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା। ତୁମମାନଙ୍କ ପିଢ଼ି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍ନା କରିଛି ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ। ମୋର ପୂରା ବିଶ୍ବାସ, ତୁମେମାନେ ତୁମମାନଙ୍କ ସଫଳତା ଦ୍ବାରା ମାନବ ସମାଜକୁ ଆହୁରି ଉଜ୍ଜଳ ଭବିଷ୍ୟତ ଆଡକୁ ଆଗେଇ ନେବ।

ଏହି ଅବସରରେ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ ଯୋଗୁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢ଼ାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା। ମୋର ପୂରା ଭରସା, ଆପଣମାନଙ୍କ ଉପରେ ରହିଛି । କୋଭିଡ ଯୋଗୁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତା’କୁ ଆପଣମାନେ ହିଁ ପୂରଣ କରିପାରିବେ। ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ। ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ। ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି। ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି। ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର