କେନ୍ଦ୍ର ପ୍ରତି ପୁଣି କଠୋର ହେଲେ ନବୀନ: ଓଡ଼ିଶାବାସୀ ବିଜେଡିର ମାଲିକ

ବିଜୁ ଯୁବ ଜନତାର କାର୍ଯ୍ୟକାରିଣୀରେ କେନ୍ଦ୍ର ବିରୋଧୀ ଆନ୍ଦୋଳନର ଆଭାସ, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଦୋହରାଇଲେ
ଭୁବନେଶ୍ବର: ଗତ କିଛି ମାସ ହେଲା କେନ୍ଦ୍ର ସରକାରଙ୍କ ପ୍ରତି ନବୀନଙ୍କ ନରମ ଆଭିମୁଖ୍ୟ ଚର୍ଚ୍ଚାରେ ରହୁଥିଲା। ପ୍ରତି କଥାରେ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବିଜେଡିର ସ୍ବର ହଠାତ ଦବି ଯାଇଥିଲା। କିନ୍ତୁ ଆଜି ବିଜେଡି ସୁପ୍ରିମୋଙ୍କର କେନ୍ଦ୍ର ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ଓଡ଼ିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ସେ ଦୋହରାଇବା ସହ ଜାତୀୟ ଦଳର ଏଜେଣ୍ଡାରେ ଓଡ଼ିଶାର ସ୍ବାର୍ଥ ନାହିଁ ବୋଲି ‌କହିଛନ୍ତି। ବିଜେପି, କଂଗ୍ରେସ ପରି ଜାତୀୟ ଦଳର ରାଜ୍ୟ ନେତା ମାନଙ୍କର ଦିଲ୍ଲୀ ଦରବାରରେ ସ୍ବର ନାହିଁ କି ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼ିବାକୁ ଇଚ୍ଛା ନାହିଁ ବୋଲି କହିଛନ୍ତି ନବୀନ। ଏକଥା ବି ଜଣାଇ ଦେଇଛନ୍ତି ଯେ କେବଳ ବିଜେଡି ଆଞ୍ଚଳିକ ଦଳ ଭାବରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼େଇ କରୁଛି। ଆମର ଦିଲ୍ଲୀରେ କେହି ମାଲିକ (Boss) ନାହାନ୍ତି। ଓଡ଼ିଶାବାସୀ ହେଉଛନ୍ତି ଆମର ପ୍ରକୃତ ମାଲିକ। ଆମେ କେବଳ ଓଡ଼ିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରୁଛୁ। ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ନବୀନଙ୍କ ଏଭଳି କେନ୍ଦ୍ର ବିରୋଧରେ ବିଷୋଦ୍‌ଗାର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଆଉ ଗୋଟିଏ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ପୁଣି ଯେ କୌଣସି ସମୟରେ ପୌର ନିର୍ବାଚନ ବି ହୋଇପାରେ। ଉଭୟ ନିର୍ବା‌ଚନ ପାଇଁ ରଣନୀତି ପ୍ରସ୍ତୁତ କରିବାର ସମୟ ଆସିଗଲାଣି। ଠିକ୍ ଏହି ସମୟରେ ନବୀନଙ୍କର କେନ୍ଦ୍ରକୁ ଶାଣିତ ଆକ୍ରମଣ ସୂଚାଇ ଦେଉଛି ଯେ କେନ୍ଦ୍ର ବିରୋଧରେ ପୂର୍ବ ପରି ପୁଣି ଆନ୍ଦୋଳନ ହେବ ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବି‌ରୋଧୀ ବିଜେପିକୁ ଶାସକ ଦଳ ଅପଦସ୍ଥ କରିବ। ବିଜେଡିର ଏହି ପର୍ଯ୍ୟାୟ ଲଢ଼େଇରେ ଯୁବ ଓ ଛାତ୍ରମାନଙ୍କୁ ଆଗରେ ରଖାଯିବ ବୋଲି ଆଭାସ ‌େଦଇଛନ୍ତି ଦଳର ମୁଖିଆ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଜାତୀୟ ଦଳର ରାଜ୍ୟ ପ୍ରତି ନକରାତ୍ମକ ଦିଗକୁ ଗୋଟି ଗୋଟି କରି ବୁଝାଇଥିଲେ। ପୁଣି ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତାର ସୁରକ୍ଷା ପାଇଁ ବିଜେଡି କି କି ପଦକ୍ଷେପ ନେଉଛି, ତାହାକୁ ମଧ୍ୟ ଜଣାଇଥିଲେ। ଦଳର ଯୁବ କର୍ମୀମାନଙ୍କୁ ସୁପ୍ରିମୋ ଅ‌ାହ୍ବାନ ଦେଇଥିଲେ ଯେ କେବଳ ବିଜେଡି ହିଁ ଓଡ଼ିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ ଏବଂ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ। ନଚେତ୍‌ ଜାତୀୟ ଦଳମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ।

ଜାତୀୟ ଦଳର ଏଜେଣ୍ଡାରେ ଓଡ଼ିଶାର ସ୍ବାର୍ଥ ନାହିଁ, ଦିଲ୍ଲୀରେ ଜାତୀୟ ଦଳର ରାଜ୍ୟ ନେତାଙ୍କ ସ୍ବର ନାହିଁ

ଓଡ଼ିଶାର ସ୍ବତନ୍ତ୍ରତା ସମ୍ପର୍କରେ ନବୀନ କହିଛନ୍ତି ଯେ ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ସେଥିପାଇଁ ଓଡ଼ିଆ ଭାଷା ସ୍ବତନ୍ତ୍ର। ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର। ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା। ମହାନଦୀ ଆମ ଜୀବନ ରେଖା। ମହାନଦୀର ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି। ଆମ ଓଡିଶା ପ୍ରଚୁର ଖଣିଜ ସଂପଦରେ ଭରପୂର। ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି। ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି। ଓଡ଼ିଶାର ଏହି ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ତ୍ୟାଗ କରିଛନ୍ତି। ଆମ ପାଇଁ ଲଢେଇ କରି ଆମକୁ ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି।

ଜାତୀୟ ଦଳକୁ ଟାର୍ଗେଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ନିର୍ବାଚନ ଜିତିବା ଓ କେନ୍ଦ୍ରରେ ସରକାର ଗଢ଼ିବା। ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ବକୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ବା କିଛି ବଡ଼ ପଦବି ପାଇବା। ଇତିହାସ କହୁଛି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି –ମୁଖ୍ୟସ୍ରୋତର ଏଜେଣ୍ଡା। କେବଳ ଏହି ଏଜେଣ୍ଡା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ। ଏଥି ପାଇଁ ସେମାନଙ୍କର ନୀତି ହେଉଛି ଗୋଟିଏ ଭାଷା – ହିନ୍ଦୀ। ଗୋଟିଏ ସଂସ୍କୃତି। ଗୋଟିଏ ନୀତି, ଯାହାକି ବଡ଼ ବଡ଼ ରାଜ୍ୟମାନଙ୍କ ପାଇଁ ସୁବିଧା ହେବ। ତା’ ପରେ ସେମାନେ ଅନ୍ୟ ରାଜ୍ୟଗୁଡ଼ିକର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି। ଜାତୀୟ ଦଳମାନେ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହିତ ସାଲିସ୍‌ କରିଥା’ନ୍ତି।

ଓଡ଼ିଶା ପାଇଁ ‌କ’ଣ ଗୁରୁତ୍ବପୂର୍ଣ୍ଣ ତାହା ଉଲ୍ଲେଖ କରି ନବୀନ ଦର୍ଶାଇଛନ୍ତି ଯେ ଆମ ପାଇଁ ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଆମ ଭାଷା ଓଡ଼ିଆ। ଆମ ପାଇଁ ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର। ଆମ ପାଇଁ ଓଡ଼ିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଙ୍ଗୀତ। ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା। ଆମ ପାଇଁ ଆଦିବାସୀମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି। ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ବସ୍ତରୀୟ। କିନ୍ତୁ ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ। କେବଳ ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡିର ଲଢ଼େଇକୁ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର କଂଗ୍ରେସ ସରକାର ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା। ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ବର ନିର୍ଦ୍ଦେଶରେ କାମ କରୁଛନ୍ତି। ଏହାକୁ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ପରିଚାଳିତ ଓଡ଼ିଶା ସହିତ ତୁଳନା କରନ୍ତୁ। ଆମର ଦିଲ୍ଲୀରେ କେହି ବସ୍‌ ନାହାନ୍ତି। ଓଡ଼ିଶାବାସୀ ହେଉଛନ୍ତି ଆମର ମାଲିକ।

ମହାନଦୀ ପାଣି ପାଇଁ ଆମେ ଲଢ଼େଇ କରୁଛୁ। ଆମେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଲଢ଼େଇ କରୁଛୁ। କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଲଢ଼େଇ କରୁଛୁ। ଓଡ଼ିଶାର ଖଣିଜ ସମ୍ପଦର ଲାଭ ଯେପରି ଓଡ଼ିଶା ଓ ଓଡ଼ିଶାବାସୀ ପାଇବେ, ସେଥିପାଇଁ ଆମେ ଲଢ଼େଇ କରୁଛୁ। ପ୍ରାୟ ପ୍ରତି ବର୍ଷ ଓଡିଶା ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଆମର ସ୍ବତନ୍ତ୍ର ଭୌଗଳିକ ଅବସ୍ଥିତି ପାଇଁ ଏହା ଘଟୁଛି। ଉଭୟ ଜାତୀୟ ଦଳ, ବିଜେପି ଓ କଂଗ୍ରେସ, ସେମାନଙ୍କ ନିର୍ବାଚନ ଇସ୍ତାହାରରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାକୁ ଏକ ନମ୍ବରରେ ରଖିଥିଲେ। କିନ୍ତୁ ନିର୍ବାଚନ ପରେ ଏହି ଦାବିକୁ ସହଜରେ ଭୁଲିଗଲେ। କିନ୍ତୁ ବିଜେଡି ଏଥିପାଇଁ ଲଢ଼େଇ ଜାରି ରଖିବ। ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ। ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ ହେଉଛି – ଓଡ଼ିଶାର ସ୍ବତନ୍ତ୍ର ପରିଚୟର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ। ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢ଼େଇ କରେ। ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ସ୍ବତନ୍ତ୍ର ଓଡ଼ିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି।

ସମ୍ବନ୍ଧିତ ଖବର