ଇସ୍ପାତ କଂପାନି ଓଡ଼ିଶାରେ ନିବେଶ କରନ୍ତୁ: ମୁଖ୍ୟମନ୍ତ୍ରୀ

ଏସିଆ ଷ୍ଟିଲ୍‌ ୨୦୧୮ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜ୍ୟରେ କାରଖାନା ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ପାତ କଂପାନିଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଟାଲସ୍‌ ଏବଂ ଟାଟା ଷ୍ଟିଲ୍‌ ପକ୍ଷରୁ ମିଳିତ ଭାବେ ଆୟୋଜିତ ‘ଏସିଆ ଷ୍ଟିଲ୍‌ ୨୦୧୮ ସମ୍ମିଳନୀ’କୁ ଉଦ୍‌ଘାଟନ କରି ସେ କହିଛନ୍ତି ଯେ ଓଡ଼ିଶାରେ ବିପୁଳ ପରିମାଣର ଲୁହା ପଥର, କୋଇଲା ଏବଂ କ୍ରୋମାଇଟ୍‌ ସମେତ ଆହୁରି ବହୁତ ପ୍ରକାର ଖଣିଜ ପଦାର୍ଥ ରହିଛି। ଖଣିଜ ଭିତ୍ତିକ ଶିଳ୍ପକୁ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଏଠାରେ ସବୁ ପ୍ରକାର କଞ୍ଚାମାଲ ସୁବିଧାରେ ମିଳୁଛି। ତେଣୁ କମ୍‌ ମୂଲ୍ୟରେ ଇସ୍ପାତ ଉତ୍ପାଦନ କରି କଂପାନିଗୁଡ଼ିକ ଲାଭବାନ ହୋଇପାରିବେ।

ଏହି ଅବସରରେ ଭାରତ, ଜାପାନ, ଚୀନ୍‌, କୋରିଆ ଭଳି ଦେଶର ବଡ଼ ଇସ୍ପାତ କଂପାନିଗୁଡ଼ିକର ୭୦୦ରୁ ଅଧିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ତିନିଟି ଲୁହା ପଥର ଖଣି ନିଲାମ କରିଥିଲା। ଆଗାମୀ ଦିନରେ ଆଉ ୪ଟି ଲୁହା ପଥର ଖଣି ନିଲାମ କରାଯିବ। ନିଲାମ ପ୍ରକ୍ରିୟାରେ ଭାଗ ନେଇ କଞ୍ଚାମାଲ ସୁରକ୍ଷିତ କରିନେବାକୁ ମଧ୍ୟ ସେ ଇସ୍ପାତ କଂପାନିଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଏବେ ୪୭ଟି ଇସ୍ପାତ କଂପାନି ରହିଛନ୍ତି ଯେଉଁମାନଙ୍କର ମୋଟ ଉତ୍ପାଦନ କ୍ଷମତା ହେଉଛି ୩୩ ନିୟୁତ ଟନ୍‌। ଓଡ଼ିଶାରେ ଦେଶର ଏକ ଚତୁର୍ଥାଂଶ ଇସ୍ପାତ ଉତ୍ପାଦନ ହେଉଛି। ଦେଶରେ ମୁଣ୍ଡପିଛା ଇସ୍ପାତ ବ୍ୟବହାର ପରିମାଣ ଏବେ ୬୧ କେଜି ରହିଛି ଯାହାକୁ ୨୦୩୦ ସୁଦ୍ଧା ୧୫୮ କେଜିରେ ପହଞ୍ଚାଇବାକୁ ଜାତୀୟ ଇସ୍ପାତ ନୀତିରେ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ବିଶେଷ ସହଯୋଗ ପ୍ରଦାନ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଳିଙ୍ଗନଗରଠାରେ ୧୬୦ ବର୍ଗ କିଲୋମିଟରରେ ସ୍ଥାପନ ହେବାକୁ ଥିବା ଜାତୀୟ ନିବେଶ ଓ ମାନୁଫାକ୍‌୍‌ଚରିଂ ଜୋନ୍‌ରେ ନିବେଶ କରିବାକୁ ମଧ୍ୟ ସେ ନିବେଶକମାନଙ୍କୁ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ଇସ୍ପାତ ସଚିବ ଡକ୍ଟର ଅରୁଣା ଶର୍ମା ଇସ୍ପାତ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ୨୦୩୦ ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ କ୍ଷମତା ୩୦୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଉନ୍ନତ ପ୍ରଯୁକ୍ତି ପାଇଁ କଂପାନିଗୁଡ଼ିକ ଦ୍ୱିପାକ୍ଷିକ ଯୌଥ ଉଦ୍ୟୋଗ ସ୍ଥାପନ କରିବାର ସୁଯୋଗ ସନ୍ଧାନ କରନ୍ତୁ। ଇସ୍ପାତ ଏକ ପ୍ରଦୂଷଣକାରୀ ଶିଳ୍ପ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହା ଦୂର କରିବା ପାଇଁ ଉଦ୍ୟମ କରିବାକୁ ସେ ଆହ୍ଵାନ ଜଣାଇଛନ୍ତି।

ଏହି ଅବସରରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଆର୍‌ କେ ଶର୍ମା, ଏସିଆ ଇସ୍ପାତ ଆନ୍ତର୍ଜାତିକ ସମ୍ମିଳନୀର ଅଧ୍ୟକ୍ଷ ଆନନ୍ଦ ସେନ୍‌, ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଟାଲସ୍‌ର ସଭାପତି ବିଶ୍ୱଜିତ ବସୁ ଏବଂ ଟାଟା ଷ୍ଟିଲ୍‌ର ଉପସଭାପତି ସୁଧାଂଶୁ ପାଠକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର