ଭୁବନେଶ୍ବର: ଭାଷାର କାମ ହେଉଛି ଲୋକଙ୍କୁ ଯୋଡ଼ିବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମ୍ ଓଡ଼ିଆ କହୁଥିବାର ଅଭିଯୋଗ ହୁଏ। ହେଲେ ମୁଖ୍ୟମନ୍ତ୍ରୀଙ୍କର ଲୋକଙ୍କ ସହ ଯୋଗାଯୋଗ ବେଶ୍ ଭଲ। ସେ ଲୋକଙ୍କ ଭାଷା କହିଥା’ନ୍ତି। ମୁଖ୍ୟମନ୍ତ୍ରୀ ହୃଦୟରୁ କହୁଥିବାରୁ ଲୋକମାନେ ତାଙ୍କୁ ପ୍ରଶଂସା କରିଥା’ନ୍ତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ସ୍ବଚ୍ଛ, ତାଙ୍କର ଲୁଚାଇବାର କିଛି ନାହିଁ ବୋଲି ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇର ସଂପାଦକ ସ୍ମିତା ପ୍ରକାଶଙ୍କ ସହ ଆଲୋଚନା ସମୟରେ କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ।
ବିଜେଡିରେ ଯୋଗଦେବା ପରେ ଶ୍ରୀ ପାଣ୍ଡିଆନ ଜାତୀୟ ଗଣମାଧ୍ୟମରେ ପ୍ରଥମଥର ଲାଗି ଏଭଳି ସାକ୍ଷାତକାର ଦେଇଛନ୍ତି। ଏହି ଅବସରରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏତେ ଲୋକପ୍ରିୟ ଯେ କୌଣସି ନେତା ତାଙ୍କ ବିରୋଧରେ ବିଦ୍ରୋହ କରି ସଫଳ ହୋଇପାରିନାହାନ୍ତି। ଥରେ ପ୍ୟାରୀମୋହନ ମହାପାତ୍ର ଚେଷ୍ଟା କରିଥିଲେ, ସଫଳ ହୋଇପାରି ନ ଥିଲେ। ୨୦୧୧ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଭଲ ସଂପର୍କ ରହିଆସିଛି। ଦୁହେଁ ପରସ୍ପରକୁ ସମ୍ମାନ ଦେଇଥାନ୍ତି। ଦୁହେଁ ମତଦାତାଙ୍କୁ ସମ୍ମାନ ଜଣାଇଥାନ୍ତି। ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଉଭୟଙ୍କର ସଂଘୀୟ ବ୍ୟବସ୍ଥା ଉପରେ ଭରସା ରହିଛି। ୟୁପିଏ-୨ ସମୟରେ ଏନ୍ସିଟିସିକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ଆରପିଏଫ୍କୁ ବେଶ୍ ଶକ୍ତିଶାଳୀ କରିବା ଲାଗି କଥା ଉଠିଥିଲା। ହେଲେ ଏହା ବିରୋଧରେ ମୋଦୀ-ଜୟଲଳିତା-ନବୀନ ସ୍ବର ଉତ୍ତୋଳନ କରିଥିଲେ।
ଓଡ଼ିଶାରେ ଏକ ଡବଲ୍ ଇଞ୍ଜିନ ସରକାର ନ ଥିଲେ ହେଁ ଡବଲ ଇଞ୍ଜିନ ସରକାର ଭଳି ସୁବିଧା ପାଇପାରୁଛି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନିର୍ବାଚନ ନ ଥିଲେ ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ପସନ୍ଦ କରନ୍ତି ନାହିଁ। ସେ କାମରେ ବିଶ୍ବାସ କରିଥା’ନ୍ତି। ଓଡ଼ିଶା ଲୋକଙ୍କ ପାଇଁ ଯାହା ଭଲ, ତାହା କରିଥା’ନ୍ତି। ଏମିତି ନୁହେଁ ଯେ ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇଆସିଛି। କୃଷି ବିଲ୍, ଏନ୍ଆରସିରେ ବିଜେଡି କେନ୍ଦ୍ରକୁ ସମର୍ଥନ ଦେଇନାହିଁ। ସନାତନ ଧର୍ମକୁ ବିଲୁପ୍ତ କରିବା ପାଇଁ ତାମିଲନାଡ଼ୁର କିଛି ରାଜନେତା କହୁଛନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଛି। ଏହା ଉପରେ ଟିପ୍ପଣୀ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ, ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ସେମାନେ ସନାତନ ଧର୍ମକୁ ଅଧିକ ପଢ଼ିବାର ଆବଶ୍ୟକତା ଅଛି। ଯଦି ଠିକ୍ ଭାବେ ସନାତନ ଧର୍ମକୁ ପଢ଼ିବେ ତା’ହାଲେ ବୁଝିପାରିବେ। ଜଗନ୍ନାଥଙ୍କ ଉପରେ ମୋର ଗଭୀର ବିଶ୍ବାସ ରହିଛି। ସରକାରୀ ସ୍କୁଲରେ ପଢ଼ୁଥିବା ବେଳେ ମୁଁ କେବେ ବି ଏଗ୍ରିକଲଚର ପରୀକ୍ଷାରେ ଦେଶରେ ଟପର ହେବି ବୋଲି ଭାବି ନ ଥିଲି। ଏପରିକି ଆଇଏଏସ୍ ହେବା ପରେ ରାଜନୀତିକୁ ଆସିବା କଥା ମଧ୍ୟ ଚିନ୍ତା କରି ନ ଥିଲି। ତେଣୁ ଏକ ଈଶ୍ବରୀୟ ଶକ୍ତି ନିଶ୍ଚିତ ଭାବେ ରହିଛି। ଏହାକୁ ନେଇ ମୋର କୌଣସି ପ୍ରକାର ଦ୍ବନ୍ଦ୍ବ ନାହିଁ।
ମୁଖ୍ୟମନ୍ତ୍ରୀ ସ୍ବଚ୍ଛ, ତାଙ୍କର ଲୁଚାଇବାର କିଛି ନାହିଁ
ଯିଏ ବି ନବୀନଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି ବିଫଳ ହୋଇଛନ୍ତି
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ନଥିଲେ ବି ସେମିତି ସୁଫଳ ପାଉଛି
କଂଗ୍ରେସ ବିରୋଧରେ ଲଢ଼ିଆସିଛନ୍ତି ନବୀନ, ମେଣ୍ଟର ପ୍ରଶ୍ନ ଉଠୁନାହିଁ
ଗତ ୧୦ ବର୍ଷ ଧରି ନବୀନଙ୍କ ସ୍ବାସ୍ଥ୍ୟ ନେଇ ଅପପ୍ରଚାର ଚାଲିଛି
ଶ୍ରୀ ପାଣ୍ଡିଆନ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଂଗ୍ରେସକୁ ସବୁବେଳେ ବିରୋଧ କରିଆସିଛନ୍ତି। ରାଜ୍ୟରେ କଂଗ୍ରେସର ଦୁର୍ନୀତି ବିରୋଧରେ ସେ ଲଢ଼େଇ କରିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ସହିତ ବିଜେଡିର କୌଣସି ପ୍ରକାର ମେଣ୍ଟ ସମ୍ଭବ ନୁହେଁ। ନୀତୀଶ କୁମାର ମୁଖ୍ୟମନ୍ତ୍ରୀଙ୍କୁ ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ଯେହେତୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦୀର୍ଘବର୍ଷରୁ ଜାଣିଛନ୍ତି ତେଣୁ ତାଙ୍କ ସହ କେବଳ ଭଲରେ କଥା ହୋଇଥା’ନ୍ତି। ସେ ଆହୁରି କହିଛନ୍ତି ଯେ ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅପପ୍ରଚାର କରିଥିଲେ ବୈଜୟନ୍ତ ପଣ଼୍ଡା। ଜଣେ ୭୮ବର୍ଷର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାହା ହେବା କଥା ତାହା ମୁଖ୍ୟମନ୍ତ୍ରୀଙ୍କର ରହିଛି। ସେ ପ୍ରତିଦିନ ଚାଲୁଛନ୍ତି। ନିକଟରେ ସେ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା କରିଥିଲେ। କିଛି ବିରୋଧୀ ତାଙ୍କର ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର ସୃଷ୍ଟି କରିଥିଲେ। ଏପରିକି ଦଳ ଭିତରେ ଥିବା କିଛି ବ୍ୟକ୍ତି ଯେଉଁମାନେ କି ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖିଥିଲେ, ସେମାନେ ମଧ୍ୟ ଏଥିରେ ମାତିଥିଲେ। ଏବେ ଡା.ରମାକାନ୍ତ ପଣ୍ଡା ଓ ଡା.ସୁବ୍ରତ ଆଚାର୍ଯ୍ୟ ତାଙ୍କ ସ୍ବାସ୍ଥ୍ୟ କଥା ବୁଝୁଛନ୍ତି।
ଶ୍ରୀ ପାଣ୍ଡିଆନ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ୨୦୧୪ ନିର୍ବାଚନରେ ବିଜେଡି ୨୧ ଲୋକସଭାରୁ ୨୦ଟିରେ ବିଜୟୀ ହୋଇଥିଲା। ଦେଶରେ ସଂସଦୀୟ ନିର୍ବାଚନରେ ବିଜେଡି ଚତୁର୍ଥ ସର୍ବାଧିକ ସିଟ୍ ଥିବା ଦଳ ପାଲଟିଥିଲା। ଶପଥ ଗ୍ରହଣ ପରେ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ବେଳେ ଅର୍ଥ କମିଟିର ସଦସ୍ୟ ହେବାକୁ ଇଚ୍ଛା କରିଥିଲେ। ଏପରିକି ତାଙ୍କୁ ବିଜେଡି ପକ୍ଷରୁ ମନୋନୀତ କରାଯାଉ ବୋଲି କହିଥିଲେ। ଏଭଳି ସଦସ୍ୟତା କେବଳ ପ୍ରଥମ ବିରୋଧୀ ଦଳକୁ ହିଁ ମିଳିଥାଏ। ପୂର୍ବରୁ ଏଭଳି କମିଟିର ସଦସ୍ୟ ଥିବା ବେଳେ ବୈଜୟନ୍ତ ନିଜର କର୍ପୋରେଟ୍ ସଂସ୍ଥା ପାଇଁ ଲୋନ୍ ରାଇଟ୍ ଅଫ୍ କରିବାର ଅଭିଯୋଗ ରହିଥିଲା। ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅର୍ଥ କମିଟିର ସଦସ୍ୟ ହେବା ପାଇଁ ଅନୁମତି ଦେଇ ନ ଥିଲେ। ଯାହାକୁ ନେଇ ଦୁହିଁଙ୍କ ଭିତରେ ମତାନ୍ତର ବଢ଼ିଥିଲା। ୧୦ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର ଆରମ୍ଭ ହୋଇଥିଲା।
ଏସମୟରେ କୌଣସି କେନ୍ଦ୍ରୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତି, ପ୍ରଥମେ ତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରିଥାନ୍ତି। ଏପରିକି ବୈଜୟନ୍ତ ହିଁ ତାଙ୍କୁ ଏସବୁ ବିଷୟରେ କହିଥିବା ମନ୍ତ୍ରୀମାନେ କହିଥାନ୍ତି। ଯାହାକି ମୁଖ୍ୟମନ୍ତ୍ରୀଙ୍କୁ ବାଧିଥିଲା। ଏପରିକି ମଧ୍ୟପ୍ରଦେଶର ଜଣେ ରାଜନେତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ସେ ଲଣ୍ଡନ ଚିକିତ୍ସା ପାଇଁ ଯାଉଥିବା ଓ ବୈଜୟନ୍ତ ବାବୁ ଏହାର ଆରେଞ୍ଜ କରୁଥିବା କହିଥିଲେ। ଯାହାକି ନବୀନ ବାବୁଙ୍କୁ ଦୁଃଖ ଦେଇଥିଲା। ପୂର୍ବଭଳି ବିଦ୍ରୋହ ନ କରି ବୈଜୟନ୍ତ ଏଭଳି ଅପପ୍ରଚାର ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ନୂଆ ନେତାଙ୍କୁ ଦଳ ବାଛିବା ପାଇଁ ଏକପ୍ରକାର ଆଲୋଚନା ଆରମ୍ଭ କରିଦେଇଥିଲେ। ଅନେକ ବିଧାୟକ ଏଭଳି କଥା ଶୁଣିଥିବାର ପ୍ରମାଣ ରହିଛି। ଗୋଟିଏ ଆଞ୍ଚଳିକ ଦଳର ଶକ୍ତି ହେଉଛି ସଂପୃକ୍ତ ଦଳର ନେତାଙ୍କ ସ୍ବାସ୍ଥ୍ୟ। ଏଭଳି ଅପପ୍ରଚାରର ୧୦ବର୍ଷ ପରେ ବି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଠିକ୍ ରହିଛି। ଯେଉଁ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଓ ରାତ୍ର ଭୋଜନ କରୁଥିଲେ ସେ ଏଭଳି ଅପପ୍ରଚାର କରିବା କଷ୍ଟଦାୟକ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।