ଭୁବନଶ୍ବେର: ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ନିଜ କଲେଜର ଜଣେ ଅଧ୍ୟାପକଙ୍କ ଦ୍ବାରା ଛାତ୍ରୀଜଣଙ୍କ ବାରମ୍ବାର ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। କଲେଜର ଅଧ୍ୟକ୍ଷଙ୍କୁ ସେ ଲେଖିଥିବା ଚିଠିରେ ଏସବୁ ଉଲ୍ଲେଖ କରିଛନ୍ତି। ପୂର୍ବରୁ ସେ ଏଥି ପାଇଁ ଆତ୍ମହତ୍ୟା ଉଦ୍ୟମ କରି ରକ୍ଷା ପାଇଯାଇଥିଲେ। ମାସ ପରେ ମାସ ଧରି ସେ ଭୟ ଓ ଯନ୍ତ୍ରଣାରେ ଜୀବନ ଅତିବାହିତ କରୁଥିଲେ। ପରେ ଜୁଲାଇ ୧ରେ ସେ ଏହି ବିଷୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟ୍ୟାଗ୍ କରି ସାହାଯ୍ୟ ମାଗିଥିଲେ। ହେଲେ କେହି ଶୁଣିଲେ ନାହିଁ କି ସାହାଯ୍ୟ କଲେ ନାହିଁ।
ଶେଷରେ ନିଜ ଯନ୍ତ୍ରଣାର ଅନ୍ତ ଘଟାଇବାକୁ ଯାଇ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଆଗରେ ସେ ନିଜ ଦେହରେ ନିଆଁ ଲଗାଇ ଦେଲେ। ଏପରି ମର୍ମନ୍ତୁଦ ଘଟଣା ଅପ୍ରିୟ ବାସ୍ତବତାକୁ ଦର୍ଶାଉଛି ଯେ କିପରି ସେ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ ନିଜ ପାଇଁ ନ୍ୟାୟ ପାଇପାରିଲେ ନାହିଁ। ଆମ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ରାଜ୍ୟପାଳ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟନିର୍ବାହ କରନ୍ତି। ତେଣୁ ରାଜ୍ୟପାଳ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ନ୍ୟାୟ ପାଇଁ ଆପ୍ରାଣ ଉଦ୍ୟମ କରିଥିବା ପୀଡ଼ିତା ଛାତ୍ରୀ ଯେପରି ନ୍ୟାୟ ପାଇବେ ତାହା ସୁନିଶ୍ଚିତ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।