ଆସନ୍ତା ତିନିବର୍ଷରେ ରାଜ୍ୟର ସମସ୍ତ ବସ୍ତି ହେବ ଆଦର୍ଶ କଲୋନି
ବାଲେଶ୍ବରରୁ ଆରମ୍ଭ ହେବ ସରକାରଙ୍କ ବସ୍ତି ଉନ୍ନତୀକରଣ ଯୋଜନା
୧୧୮ କୋଟି ବ୍ୟୟରେ ତିର୍ତ୍ତୋଲ-ପୋଷଳ ଉଚ୍ଚସେତୁ ଶିଳାନ୍ୟାସ
ଜଇପୁର-କଟିକଟାରେ ମହାନଦୀ ଉପରେ ବି ୮୨ କୋଟି ବ୍ୟୟରେ ସେତୁ
ଭୁବନେଶ୍ୱର : ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ରାଜ୍ୟ ସରକାର ବିଗୁଲ୍ ଫୁଙ୍କିବାକୁ ଯାଇ ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି। ଗୋଟିଏ ପଟେ ତିର୍ତ୍ତୋଲ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮ କୋଟି ୫୬ଲକ୍ଷ ଟଙ୍କା ବ୍ୟୟରେ ତିର୍ତ୍ତୋଲ-ପୋଷଳ ଉଚ୍ଚସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ଉଚ୍ଚସେତୁ ଲାଗି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଅନ୍ୟପଟରେ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ଆସନ୍ତା ପୌର ନିର୍ବାଚନ ଲାଗି ଏକ ବଡ଼ ଗୋଟିଚାଳନା କରିଥିଲେ ହେଁ, ଗୋଟିଏ ଗୁଳିରେ ଦୁଇଟି ଶିକାର ନ୍ୟାୟରେ ବାଲେଶ୍ବରରୁ ଏହି ବସ୍ତି ଉନ୍ନତୀକରଣ ଯୋଜନା ଆରମ୍ଭ କରି ଉପନିର୍ବାଚନ ପୂର୍ବରୁ ମଧ୍ୟ ଶାସକ ଦଳ କର୍ମୀଙ୍କ ଉତ୍ସାହ ବଢାଇଛନ୍ତି। ରାଜନୈତିକ ମହଲରେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ବ ଦିଆଯାଇଛି। ପ୍ରତି ନିର୍ବାଚନ ଓ ଉପନିର୍ବାଚନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବଡ଼ ବଡ଼ ସମସ୍ୟା ଉପରେ ବିଜେଡି ସରକାର ଏଭଳି ପଦକ୍ଷେପ ନେଇ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି ବୋଲି କୁହାଯାଉଛି।
ବସ୍ତି ଉନ୍ନତୀକରଣ ଯୋଜନା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସମସ୍ତ ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀ କେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରାଯିବ। ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ହେବ। ରାଜ୍ୟ ସରକାରଙ୍କ ଜାଗା ମିସନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ଏପରି କାର୍ଯ୍ୟ ସେ ସମୟରେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା।
ଏହି ଅବସରରେ ବାଲେଶ୍ବରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧ଲକ୍ଷ ୫ ହଜାର ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ଭୂମି ଅଧିକାର ପ୍ରମାଣପତ୍ର ପାଇବେ। ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ ଭୂମି ଅଧିକାର ପ୍ରମାଣପତ୍ର ଦ୍ବାରା ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ର ମଧ୍ୟ ଲୋକାର୍ପଣ କରିଥିଲେ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆଉ ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି। ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଦିଲ୍ଲୀସ୍ଥିତ ସେଣ୍ଟର ଫର୍ ପଲିସି ରିସର୍ଚ୍ଚ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଥିଲା। ବାଲେଶ୍ବରରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ ଓ ଗୃହନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତୀକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି। ବର୍ତ୍ତମାନ ବସ୍ତିର ଜନସାଧାରଣ ସହରର ଅନ୍ୟ ଅଞ୍ଚଳ ପରି ସମାନ ସୁବିଧା ଓ ସମାନ ଅଧିକାର ପାଇପାରିବେ।
ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଜାଗା ମିସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ତିର୍ତ୍ତୋଲ ଓ ଜଇପୁର-କଟିକଟା ଉଚ୍ଚସେତୁ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି। ଗତ ୨୦ବର୍ଷଭିତରେ ଓଡ଼ିଶା ଏ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମାଆ ଶାରଳାଙ୍କ ପାର୍ବଣ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ନୌବାଣିଜ୍ୟ କ୍ଷେତ୍ରରେ ତିର୍ତ୍ତୋଲ ବିଶେଷତଃ ଜଗତସିଂହପୁର ଅଞ୍ଚଳର ଅବଦାନ ସ୍ମରଣୀୟ। ବିଜୁବାବୁଙ୍କ ସାହସିକ ନିଷ୍ପତ୍ତି ଫଳରେ ପାରାଦୀପ ଅଞ୍ଚଳ ଜଗତସିଂହପୁର ତଥା ଓଡ଼ିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଛି।
ଶିଳାନ୍ୟାସ ଦିଆଯାଇଥିବା ପ୍ରସ୍ତାବିତ ସେତୁ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୮ଟି ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ। ଏହି କାର୍ଯ୍ୟକ୍ରମରେ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କର ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି, ସମ୍ବିତ ରାଉତରାୟ ପ୍ରମୁଖ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର, ଗ୍ରାମ୍ୟ ଉନ୍ନୟନ ସଚିବ, ଅର୍ଥ, ପୂର୍ତ୍ତ ଏବଂ ୫ଟି ସଚିବ ପ୍ରମୁଖ ଯୋଗଦେଇଥିଲେ।