ଭୁବନେଶ୍ବର: ‘‘ଆମକୁ ସବୁଠାରୁ ଖରାପ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ। ସମସ୍ତ ରୋଗୀ ଯେପରି ସମ୍ମାନର ସହିତ ଚିକିତ୍ସା ପାଇବେ ଏବଂ ପ୍ରତ୍ୟେକ ଜୀବନକୁ ଆମେ ଯେପରି ବଞ୍ଚାଇପାରିବା ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ଆବଶ୍ୟକ।’’
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏଭଳି ଢଙ୍ଗରେ ସତର୍କ କରାଇ ୬ସୂତ୍ରୀ ପରାମର୍ଶ ଦେଇଛନ୍ତି। କହିଛନ୍ତି ଯେ ସାରା ରାଜ୍ୟରେ କୋଭିଡ ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯିବା ସମୟ ଆସିଛି। ଯେତେଦୂର ସମ୍ଭବ ସର୍ବାଧିକ ସଂଖ୍ୟାରେ ଶଯ୍ୟା ଗୁଡିକରେ ଅକ୍ସିଜେନ ବ୍ୟବସ୍ଥା ରଖାଯାଉ। ଅକ୍ସିଜେନ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବା ଦରକାର। ଅକ୍ସିଜେନ ଯୋଗାଣ ବ୍ୟବସ୍ଥାକୁ ଭଲ ଭାବରେ ଅଧିକାରୀମାନେ ତଦାରଖ କରନ୍ତୁ। ହସ୍ପିଟାଲ ଗୁଡିକରେ ଏଥିପାଇଁ ସମସ୍ତ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତ୍ତିରେ ଉପଲବ୍ଧ କରାଯିବା ଉଚିତ୍। ଅନେକ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଛି। ଯଦିଓ ବର୍ତ୍ତମାନ ଆମର ସେଭଳି ପରିସ୍ଥିତି ନାହିଁ ଓ ଔଷଧ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି, ତଥାପି ଆଗକୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧର ଏକ ବଫର ଷ୍ଟକ୍ ବ୍ୟବସ୍ଥା ହେବା ଦରକାର।
ମୁଖ୍ୟମନ୍ତ୍ରୀ କହିଲେ ଯେ ଆଇଇସି ବ୍ୟବସ୍ଥାରେ ଉନ୍ନତୀକରଣ ସୁଯୋଗ ରହିଛି, ଯାହା ଉପରେ ଏବେ ପ୍ରଶାସନିକ ଅଧିକାରୀମାନେ ଧ୍ୟାନ ଦିଅନ୍ତୁ। ଜନସାଧାରଣ ଦ୍ବିତୀୟ ଲହରର ଭୟାବହତା ସଂପର୍କରେ ସଚେତନ ହେବା ଜରୁରୀ ଏବଂ କୋଭିଡ ନିୟମାବଳୀକୁ ମାନିବା କେତେ ଜରୁରୀ, ସେ ସଂପର୍କରେ ଅନୁଭବ କରିବା ଦରକାର। ଜନସାଧାରଣଙ୍କ ସହିତ ମିସନ ଶକ୍ତି ଏବଂ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରଶାସନିକ ଅଧିକାରୀମାନେ ନିଶ୍ଚିତ କରିବା ଦରକାର ଯେ ସମସ୍ତ କୋଭିଡ ନିୟମାବଳୀ ଦୃଢ ଭାବରେ ଲାଗୁ ହେଉଛି। ବିଶେଷକରି ଅନ୍ୟ ରାଜ୍ୟରେ ଯେଉଁଠାରେ କୋଭିଡ୍ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଏବେ ଆସିବାର ସମ୍ଭାବନା ଅଛି। ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ପୂର୍ବରୁ ଯେଉଁ ପ୍ରୋଟୋକଲ୍ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତ୍ତମାନର ଡାଟାବେସ୍ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରାଯାଉ। ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଯେଉଁ ବରିଷ୍ଠ ଅଧିକାରୀମାନେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ ସହର ମାନଙ୍କରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ଚାପରେ ରହିଛି। ଓଡିଶାରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ସଂଖ୍ୟାରେ ବୃଦ୍ଧି ହେଉଛି। ଆମର ପୂର୍ବ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ଯୋଗୁ ଆମେ ଅନେକ ମାତ୍ରାରେ ପରିସ୍ଥିତିକୁ ଏ ପର୍ଯ୍ୟନ୍ତ ଠିକ୍ ଭାବରେ ପରିଚାଳିତ କରିପାରିଛୁ। ଉଭୟ ରାଜ୍ୟ ସରକାର ଓ ଜନସାଧାରଣ କେହି ଲକ୍ଡାଉନ୍ ଚାହାନ୍ତି ନାହିଁ।ବିନା ଲକ୍ଡାଉନ୍ରେ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ। ଏ ଦିଗରେ ମାସ୍କର ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା ଆମକୁ ବହୁତ ପରିମାଣରେ ସାହାଯ୍ୟ କରିପାରିବ। ବିଶେଷକରି ବର୍ତ୍ତମାନ ସବୁଠାରୁ ଗମ୍ଭୀର ପରିସ୍ଥିତିର ସାମ୍ନା କରୁଛୁ। ତେଣୁ ଆମେ ଯଦି ସମସ୍ତେ ଦାୟିତ୍ତ୍ବବାନ ହୋଇ ପରିସ୍ଥିତିର ମୁକାବିଲା କରିବା, ତେବେ ଆମ ନିଶ୍ଚିତ ଭାବରେ ଏ ପରିସ୍ଥିତିରୁ ସଫଳ ଭାବେ ବାହାରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।
ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ। ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ବଭିନ୍ନ ରାଜ୍ୟର ପରିସ୍ଥିତି ଓ ଓଡିଶାର ପରିସ୍ଥିତି ସଂପର୍କରେ ଏକ ତୁଳନାତ୍ମକ ଉପସ୍ଥାପନା ପ୍ରଦାନ କରିଥିଲେ। ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି ସେ କହିଥିଲେ। ସେହିଭଳି ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ।