ମୋଦୀଙ୍କୁ ସମର୍ଥନ ଜଣାଇଲେ ନବୀନ

ଏକାଠି ନିର୍ବାଚନ ପ୍ରସଙ୍ଗ ପାଦେ ଆଗେଇଲା

ଭୁବନେଶ୍ୱର: ଗଣତନ୍ତ୍ର ପାଇଁ ନିର୍ବାଚନର ଆବଶ୍ୟକତା ରହିଛି। ଆମେ ଲୋକଙ୍କ ପାଇଁ କାମ କରିବାକୁ ନିର୍ବାଚିତ ହୋଇଛୁ। ବର୍ଷତମାମ ନିର୍ବାଚନ ପ୍ରକ୍ରିୟା ଜାରି ରହୁଥିବାରୁ ଲୋକଙ୍କ କାମ ଅର୍ଥାତ୍‌ ବିକାଶରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଏକତ୍ର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଆମେ ସମର୍ଥନ କରୁଛୁ। ଦେଶରେ ଏକତ୍ର ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ସମର୍ଥନ ଜଣାଇଛନ୍ତି। ନବୀନଙ୍କ ଏଭଳି ସମର୍ଥନ ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ବିରୋଧ କରୁଥିବା ଓଡ଼ିଶା ବହୁଚର୍ଚ୍ଚିତ ଏହି ପ୍ରସଙ୍ଗରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ୨୦୦୪ ମସିହାରୁ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହେଉଛି। ବିଧି ଆୟୋଗ ଗତ ୧୪ ତାରିଖ ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ଦଳର ମତ ଦେବା ଲାଗି ଜଣାଇଥିଲେ। ଆସନ୍ତା ୭ କିମ୍ବା ୮ ତାରିଖରେ ବିଜେଡି ମୁଖିଆ ବା ତାଙ୍କ ପ୍ରତିନିଧି ହାଜର ହୋଇ ଦଳର ଆଭିମୁଖ୍ୟ ଜଣାଇବା ଲାଗି କହିଥିଲେ ଆୟୋଗ। ଆଜି ଏହି ଚିଠି ପଦାକୁ ଆସିବା ପରେ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ, ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ରୂପେ ପୁରୀ ସାଂସଦ ପିନାକୀ ମିଶ୍ର ବିଧି ଆୟୋଗଙ୍କ ନିକଟରେ ଉପସ୍ଥିତ ରହି ଦଳର ମତ ରଖିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ରରେ ମୋଦୀ ସରକାରକୁ ବିରୋଧ କରୁଥିବା ରାଜ୍ୟ ସରକାର ମଧ୍ୟରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ମୋଦୀଙ୍କ ଏଭଳି ପ୍ରସ୍ତାବକୁ ସମର୍ଥନ କରିଛି। ଉଲ୍ଲେଖଯୋଗ୍ୟ, ଆଗୁଆ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ନିର୍ବାଚନ ଆୟୋଗଙ୍କ ଆଗତୁରା ପ୍ରସ୍ତୁତି ଏମିତି ଏକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏପଟେ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ଲାଗି ମଧ୍ୟ କେନ୍ଦ୍ର ସରକାର ପାଗ ଭିଡିଛନ୍ତି। ବିଧି ଆୟୋଗଙ୍କ ଏ ସଂକ୍ରାନ୍ତ ପଦକ୍ଷେପ ପରେ ଏ ପ୍ରସଙ୍ଗରେ ଆଲୋଚନା ପର୍ଯ୍ୟାଲୋଚନା ଜୋର ଧରିଛି। ଆସନ୍ତା ୭ କିମ୍ବା ୮ ତାରିଖ ମଧ୍ୟରୁ ଯେ କୌଣସି ଗୋଟିଏ ଦିନ ଉପସ୍ଥିତ ରହି ନିଜ ପକ୍ଷ ରଖିବା ଲାଗି ବିଧି ଆୟୋଗ ଅଧ୍ୟକ୍ଷ ଡ. ଜଷ୍ଟିସ୍‌ ବି ଏସ୍‌ ଚୌହାନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏକଥା ବି କହିଛନ୍ତି, ବିଜେଡି ସଭାପତି ନିଜେ ଚାହିଁଲେ ଏଥିରେ ଉପସ୍ଥିତ ରହିବେ ଅଥବା ତାଙ୍କ ପ୍ରତିନିଧି ପଠାଇପାରିବେ। ସେହିଭଳି ଆଲୋଚନାକୁ ଆହୁରି ବ୍ୟବସ୍ଥିତ କରିବା ଲାଗି ବିଜେଡି ସଭାପତି ଚାହିଁଲେ, ଜୁନ୍‌ ୩୦ ତାରିଖ ସୁଦ୍ଧା ତାଙ୍କ ମତ ଆୟୋଗକୁ ଜଣାଇପାରିବେ। ଜଷ୍ଟିସ ଚୌହାନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି, ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସଂକ୍ରାନ୍ତରେ ରାଜନୈତିକ ଦଳ, ସରକାରୀ ସଂସ୍ଥା, ବୁଦ୍ଧିଜୀବୀ ମହଲରେ ବିଚାର ବିମର୍ଶ ଜାରି ରହିଛି। ୨୦୧୭ ଆଇନ ଦିବସ ସମାରୋହ ଉଦ୍‌ଯାପନୀ ଦିବସରେ ଭାରତର ପ୍ରଧାନମନ୍ତ୍ରୀ ଏ ଦିଗରେ ଗଠନମୂଳକ ଆଲୋଚନା ଆରମ୍ଭ କରିବା ଲାଗି ବିଧି ଆୟୋଗ ଠାରୁ ଆଶା କରିଥିଲେ। ଏହାକୁ ଆଧାର କରି ଆୟୋଗ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସଂକ୍ରାନ୍ତରେ ଅନୁଧ୍ୟାନ ଚଳାଇଛନ୍ତି। ଜଷ୍ଟିସ ଚୌହ୍ଵାନ କହିଛନ୍ତି, ଗତ ଏପ୍ରିଲ ୧୬ ତାରିଖରେ କେନ୍ଦ୍ର ବିଧି ବ୍ୟାପାର ବିଭାଗ ଏ ସଂକ୍ରାନ୍ତରେ ଅନୁଧ୍ୟାନ କରି ଏକ ରିପୋର୍ଟ ଦେବା ଲାଗି ନିର୍ଦେଶ କହିଛନ୍ତି। ଏବଂ ତା ପରଦିନ ଅର୍ଥାତ୍‌ ଏପ୍ରିଲ ୧୭ ତାରିଖରେ ଲୋକଙ୍କ ମତାମତ ଲୋଡିଥିଲେ। ଆୟୋଗ କହିଛନ୍ତି, ଯେ କୌଣସି ବିି ଆଇନ କ୍ଷେତ୍ରରେ ସଂସ୍କାର ଆଣିଲା ବେଳେ ସମସ୍ତ ପକ୍ଷ ବା ଆଇନ ସହିତ ସଂଲଗ୍ନ ସମସ୍ତ ହିତାଧିକାରୀ, ସାଧାରଣ ଭୋଟରଙ୍କୁ ବିଶ୍ୱାସକୁ ନିଆଯାଇଥାଏ। ଲୋକଙ୍କ ମତ ନିଆଯିବା ପରେ ଆୟୋଗ ରାଜନୈତିକ ଦଳର ମତ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର