ଏକକ ନିର୍ବାଚନ ପ୍ରସଙ୍ଗକୁ ସମର୍ଥନ କଲେ ନବୀନ; ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତା ମାପଦଣ୍ଡକୁ ‘ପ୍ରାକୃତିକ ବିପର୍ଯ୍ୟୟ’ ଆଧାରିତ କରିବା ଦାବି ଦୋହରାଇଲେ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏକକ ନିର୍ବାଚନ ପ୍ରସ୍ତାବକୁ   ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ବୈଠକରେ ଯୋଗଦେଇ ନବୀନ କହିଛନ୍ତି କି, ଦେଶର ବିକାଶ ପଥରେ ଗତିଶୀଳତା ପାଇଁ ‘ଏକ ଦେଶ ଏକ ନିର୍ବାଚନ’ ପ୍ରସ୍ତାବକୁ ବିଜେଡିର ପୂର୍ଣ୍ଣ ସହମତି ରହିଛି । କାରଣ ବାରମ୍ବାର  ନିର୍ବାଚନ ଦ୍ୱାରା ଦେଶର ବିକାଶରେ ବାଧା ସୃଷ୍ଟି ହେଉଛି । ଏକକ ନିର୍ବାଚନ ପ୍ରଥା ବିଶ୍ୱଦରବାରରେ ଭାରତର ପରିଚୟ ସୃଷ୍ଟି କରିପାରିବ । ତେଣୁ ଏକକ ନିର୍ବାଚନ ହେବା  ଜରୁରୀ ବୋଲି ମତ ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ।

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦକୁ ସ୍ଥାନିତ କରାଯାଉ ବୋଲି ନବୀନ ବୈଠକରେ ଯୁକ୍ତି ବାଢ଼ିଛନ୍ତି । ଏହା ଦ୍ବାରା ଦେଶର  ଆଗାମୀ ପୀଢ଼ି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବ।

ନିଜ ବକ୍ତବ୍ୟରେ ନବୀନ କହିଛନ୍ତି, ତୃଣମୂଳସ୍ତରରୁ ବିକାଶ କରିପାରିଲେ ଦେଶର ବିକାଶ ହୋଇପାରିବ । ଯେମିତିକି, ଜିଲ୍ଲାସ୍ତରରେ ବ୍ୟାଙ୍କିଂ, ରେଳ ସେବା ସହ ରାଜ୍ୟକୁ କେନ୍ଦ୍ରର ସହାୟତା ବେଶ୍ ଗୁରୁତ୍ୱ ବହନ କରୁଛି, ସେହିଭଳି ବନ ସଂରକ୍ଷଣ ଏବଂ ଦେଶର ଆର୍ଥିକ ଅଗ୍ରଗତି ପରସ୍ପର ପରିପୂରକ ହୋଇଥିବା ହେତୁ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ ।

ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟର ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତାର ମାପଦଣ୍ଡ କରାଯାଉ ବୋଲି ସର୍ବଦଳୀୟ ବୈଠକରେ ମତ ରଖିଛନ୍ତି ନବୀନ । ପରିଶେଷର ଦେଶର ବିକାଶ କ୍ଷେତ୍ରରେ ଯାହା ଆବଶ୍ୟକ ବିଜୁ ଜନତା ଦଳ ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର