ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଭିନ୍ନ ଆଭିମୁଖ୍ୟ ରଖିଲେ ନବୀନ: ଖୋଲା ବଜାରରେ ଟିକା ମିଳୁ

ବଡ଼ ସହରକୁ ଆଗ ସମ୍ଭାଳ

ଭୁବନେଶ୍ବର : ଯେଉଁ ମେଟ୍ରୋପଲିଟାନ୍ ସହରଗୁଡ଼ିକରେ ଅଧିକ କୋଭିଡ୍‌ ପଜିଟିଭ୍ ମାମଲା ଆସୁଛି, ସେଠାରେ ଟିକାକରଣରକୁ ପ୍ରାଧାନ୍ୟ ଦିଆଯିବା ସହ ବୟସ ମାପଦଣ୍ଡକୁ କୋହଳ କରାଯାଉ। ଯେହେତୁ ଏହି ସହରଗୁଡ଼ିକ ଦେଶର ଅର୍ଥନୈତିକ କେନ୍ଦ୍ର, ତେଣୁ ‌ସେଠାରେ ଲକ୍‌ଡାଉନ୍ ହେଲେ ସାରା ଦେଶ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହାସହିତ କୋଭିଡ୍‌ ଟିକାକୁ ଖୋଲା ବଜାରରେ ଉପଲବ୍ଧ କରାଯାଉ।

ଦେଶରେ କରୋନାକୁ ନେଇ ସ୍ଥିତି ଧୀରେ ଧୀରେ ବିପଜ୍ଜନକ ଆଡ଼କୁ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଏକ ଭିନ୍ନ ଆଭିମୁଖ୍ୟ ନେଇ ଦେଶ ସାମ୍ନାକୁ ଆସିଛନ୍ତି। ଜଣେ ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ ରାଜ୍ୟ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ସହିତ ସମଗ୍ର ଦେଶର ସମସ୍ୟା ନେଇ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେବା ଘଟଣା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହା ନବୀନଙ୍କୁ ଭିନ୍ନସ୍ତରକୁ ନେଇଛି।

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଆଉ ଏକ ବଡ଼ ଦାବି ରଖି କହିଛନ୍ତି ଯେ କୋଭିଡ୍‌-୧୯ ଟିକାକୁ ଖୋଲା ବଜାରରେ ଉପଲବ୍ଧ କରାଯାଉ। ଫଳରେ ଟିକା କିଣିବାକୁ ସାମର୍ଥ୍ୟ ‌ରଖିଥିବା ଆଗ୍ରହୀ ଲୋକମାନେ ସିଧାସଳଖ ଟିକା କିଣି ନେଇପାରିବେ। ସରକାର ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ଅଧିକ ଫୋକସ୍‌ରେ ରଖି‌ ଟିକାକରଣ କରିବେ।

ଆଜି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଆହୁରି କହିଛନ୍ତି ଯେ ବିଶ୍ୱସ୍ତରରେ ସ୍ୱୀକୃତି ପାଇଥିବା କରୋନା ଟିକାଗୁଡ଼ିକର ଭାରତରେ ବ୍ୟବହାର ପାଇଁ ଅନୁମତି ଦିଅ‌ାଯାଉ। ଫଳରେ ଟିକା ଯୋଗାଣ ଅଧିକ ହୋଇପାରିବ। ଭାରତରେ ଅଧିକ ସଂଖ୍ୟାରେ ଟିକା ଉତ୍ପାଦନ ପାଇଁ କ୍ଷମତା ରହିଛି। ତେଣୁ ଟିକା ଉତ୍ପାଦନ ବଢ଼ାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂପୃକ୍ତ ସଂସ୍ଥାଗୁଡ଼ିକ ସବୁ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ। ଯେହେତୁ ଏହାକ ଏକ ଅସାଧାରଣ ପରିସ୍ଥିତି, ତେଣୁ ସରକାରଙ୍କୁ ସବୁ ଦିଗରୁ ପ୍ରସ୍ତୁତ ରହିବା ଉଚିତ।

ଏସବୁ ସହିତ ରାଜ୍ୟକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟରେ ଟିକାକରଣ ସମ୍ପର୍କରେ ସେ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ, ଆଗ ଧାଡ଼ିର ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ୪୭ ଲକ୍ଷ କୋଭିଡ୍‌ ଟିକା ଡୋଜ୍‌ ଦିଆସରିଲାଣି। ଦେଶରେ ଟିକା ନଷ୍ଟ ହେବାର ହାର ଓଡ଼ିଶା କମ୍ ରହିଛି। ଦୈନିକ ୩ ଲକ୍ଷ ଡୋ‌ଜ୍‌ ଟିକା ଦେବା ପାଇଁ ଆମର କ୍ଷମତା ରହିଛି। ଲୋକମାନେ ମଧ୍ୟ ଟିକା ନେବାକୁ ବହୁ ମାତ୍ରାରେ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଠିକ୍ ସମୟରେ ଟିକା ଉପଲବ୍ଧ ହେଉ ନ ଥିବାରୁ ତାହା ଚ୍ୟାଲେଞ୍ଜ୍‌ ସୃଷ୍ଟି କରୁଛି। ରାଜ୍ୟରେ ୪୫ ବର୍ଷ ବୟସରୁ ଊର୍ଧ୍ବ ସବୁ ଲୋକଙ୍କୁ ପୂର୍ଣ୍ଣ କ୍ଷମତାରେ ଟିକା ଦେଲେ ତାହା ସମ୍ପୂର୍ଣ୍ଣ ହେବାକୁ ୧୬୦ ଦିନ ଲାଗିବ। ତେଣୁ କେନ୍ଦ୍ର ସରକାର ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ଓ କୋଭିଡ୍‌ ପରିସ୍ଥିତିର ମୁକାବିଲା ପାଇଁ ଭାରତ ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର