ନୂଆପିଢ଼ିକୁ ନବୀନଙ୍କ ଗୁରୁମନ୍ତ୍ର : ସ୍ୱପ୍ନ ଓ ଦାୟିତ୍ୱର ସଂକଳ୍ପ

ଭୁବନେଶ୍ୱର: ଭଲ ପାଠ ପଢ଼, ନିଜ ସ୍ୱପ୍ନକୁ ସାକାର କର। ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱ ସଂପର୍କରେ ସବୁବେଳେ ଧ୍ୟାନ ଦିଅ। ଯେଉଁ ସମାଜ, ଦେଶ ଓ ଗାଁରେ ଜନ୍ମ ନେଇଛ, ତା ପାଇଁ କିଛି କର। ତୁମମାନଙ୍କ ଉପରେ ମୋର ପୂରା ଭରସା ଅଛି। ସଂକଳ୍ପର ସହ ଆଗକୁ ବଢ଼ ଓ ମା’ ମାଟିର ଗୌରବକୁ ଆହୁରି ଉଚ୍ଚା କର।

ଶିଶୁଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅଗଣିତ ଶିଶୁଙ୍କ ଉଦ୍ଦେଶ୍ୟରେ ଏମିତି ବାର୍ତା ଦେଇଛନ୍ତି। ଶିଶୁଙ୍କୁ ପ୍ରବର୍ତାଇଛନ୍ତି ଯେ ସେମାନେ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଆହ୍ଵାନକୁ ସାମ୍ନା କରିବା ଲାଗି ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ। ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭା ଓ ଏହି ବାର୍ତ୍ତାକୁ ସିଧା ପ୍ରସାରଣ ଜରିଆରେ ଓଡ଼ିଶାର ପ୍ରତି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାରେ ପହଞ୍ଚାଯାଇଥିଲା।

ଆଜି କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନ ଏକ ଭୂମିକା, ଖିଆଲରେ ଦେଖିବାକୁ ମିଳିଥିଲା। ଶିଶୁ ଉତ୍ସବକୁ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାଳନ କରି ସେ ସେହି ମଞ୍ଚରୁ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ। ମଞ୍ଚରୁ ରାଜନୈତିକ ଛୁଙ୍କର ବାସ୍ନା ବି ବେଶ୍‌ ବାରି ହୋଇପଡିଥିଲା।

ଉଲ୍ଲେଖନୀୟ ଯେ ଆଜିର ଉତ୍ସବକୁ ଆୟୁଧ କରି ମୁଖ୍ୟମନ୍ତ୍ରୀ ଶିଶୁଙ୍କ ପ୍ରତି ତାଙ୍କର ଦରଦର ଝଲକ ଦେଖାଇଛନ୍ତି। ଅଭିଭାବକ ଓ ଶିକ୍ଷକଙ୍କ ସମ୍ମାନ ପ୍ରତି ସରକାର ସଚେତନ ହେଲେଣି, ଏ ସଙ୍କେତ ବି ଦେବାକୁ ପଛାଇନାହାନ୍ତି। ଓଡ଼ିଆ ଭାଷା ପ୍ରତି ତାଙ୍କର ଅନାଗ୍ରହ ନେଇ ବିରୋଧୀ ଯେଉଁ ତାନା ଦେଉଛନ୍ତି, ତାହାକୁ ପ୍ରତିହତ କରିବା ଲାଗି ଓଡ଼ିଆରେ ଭାଷଣ ଦେଇଛନ୍ତି (ଯେଉଁଥିରେ କିଛି ଇଂରାଜୀ ବାକ୍ୟ ବି ଥିଲା) ଓ ଓଡ଼ିଆ ଭାଷାକୁ ଉତ୍ସାହିତ କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ସେ ପୁରସ୍କାର ବ୍ୟବସ୍ଥା କରିଛନ୍ତି। ସମାଜର ଶତାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସେ ନିଜ ସହିତ ଯୋଡ଼ିବାକୁ ଉଦ୍ୟମ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଯେଉଁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଭଲ କରିଥିବେ, ସେମାନଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଦିଆଯିବ। ଏହି କ୍ରମରେ ପ୍ରତି ବ୍ଲକର ୧୦ ଜଣ ପିଲାଙ୍କୁ ୫୦୦୦ ଟଙ୍କା ଲେଖାଏଁ ଦେବାକୁ ସ୍ଥିର କରାଯାଇଛି। ସେହିପରି ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯିବ। ପ୍ରତି ବ୍ଲକ୍‌ ଓ ସହରାଞ୍ଚଳର ପିଲାମାନେ ଏହା ପାଇପାରିବେ। ସାରା ରାଜ୍ୟର ୪୦ ହଜାର ପିଲାଙ୍କ ପାଇଁ ଏହି ପୁରସ୍କାର ବ୍ୟବସ୍ଥା କରାଯାଇଛି ଓ ପ୍ରତ୍ୟେକ ୫ ହଜାର ଟଙ୍କା ଲେଖାଏଁ ପାଇବେ। ଅର୍ଥାତ୍‌ ପ୍ରତି ବ୍ଲକରେ ଶହେ ଜଣ, ପ୍ରତି ମହାନଗର ନିଗମରେ ଶହେ ଜଣ, ପ୍ରତି ପୌରାଞ୍ଚଳରେ ୫୦ ଜଣ ଓ ପ୍ରତି ଏନ୍‌ଏସିରେ ୨୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇବେ। ଏହାବ୍ୟତୀତ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଶିକ୍ଷକଙ୍କୁ ସମ୍ମାନିତ କରାଯିବା ସହିତ ପ୍ରତି ବ୍ଲକ୍‌ର ଶ୍ରେଷ୍ଠ ୩ଟି ସ୍କୁଲକୁ ୧ଲକ୍ଷ ଟଙ୍କାର ଲେଖାଏଁ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଏ ଅର୍ଥକୁ ଶିକ୍ଷକମାନେ ନିଜ ଭିତରେ ବାଣ୍ଟିନେବେ।

ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଘୋଷଣା କରି ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସାମିଲ କରିବା ଲାଗି ବାଟ ଖୋଲିଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି, ଯଦି କୌଣସି ବ୍ୟକ୍ତି କୌଣସି ନିଜେ ଏକଦା ପାଠ ପଢୁଥିବା ବିଦ୍ୟାଳୟର ବିକାଶ ପାଇଁ କିଛି ଅର୍ଥ ପ୍ରଦାନ କରନ୍ତି, ତେବେ ତାକୁ ସ୍ୱୀକୃତି ଦେଇ ତାହାର ଦୁଇ ଗୁଣ ଅର୍ଥ ସରକାର ଦାନ କରିବେ। ଏଥିପାଇଁ ୧୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଯାଇଛି। ଆଗ୍ରହୀ ସ୍ୱେଚ୍ଛାସେବୀମାନେ ସ୍କୁଲର ବିଜ୍ଞାନାଗାର, ପରୀକ୍ଷାଗାର ଆଦିର ସ୍ଥାପନ କରିବା ସହିତ କ୍ରୀଡ଼ାର ବିକାଶ ଓ ଶିକ୍ଷାଦାନ ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହି ଅବସରରେ ରାଜ୍ୟର ୨ଶହରୁ ଅଧିକ ବିଶିଷ୍ଟ ବ୍ୟକ୍ତିବିଶେଷ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇ ଏହି ଅଭିଯାନକୁ ଆଗକୁ ନେବା ଲାଗି ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମନର କଥା କହିବା ବେଳେ ପ୍ରଥମେ ମଧୁବାବୁଙ୍କ ମନେ ପକାଇଥିଲେ। ପିଲାବେଳେ ସ୍କୁଲକୁ ଯିବା ରାସ୍ତାକୁ ଛୁଟି ଦିନରେ ମରାମତି କରିଥିବା ମଧୁବାବୁ ବଡ଼ ହୋଇ ଏ ଦେଶ, ଜାତି ପାଇଁ କିଭଳି ସ୍ୱାଭିମାନର ବାର୍ତା ଦେଇଛନ୍ତି, ତାର ସ୍ମରଣ କରାଇଥିଲେ। ବିଜୁ ବାବୁଙ୍କ ସାହସ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ପିଲା ଭିତରେ ବିପୁଳ ସମ୍ଭାବନା ରହିଛି ଓ ସେ ସମ୍ଭାବନାର ବିକାଶ ଆଜି ଦିବସର ପାଳନର ମୁଖ୍ୟ ଲକ୍ଷ୍ୟ। ନେହେରୁଙ୍କ ଜନ୍ମଦିନ ଅବସରରେ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଚାହାନ୍ତି ଯେ ରାଜ୍ୟର ସବୁ ପିଲା ସ୍କୁଲ ଆସନ୍ତୁ। ସବୁ କ୍ଷେତ୍ରରେ ରାଜ୍ୟର ପିଲାମାନେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଙ୍ଗୀତ, ସମାଜସେବା ସବୁ କ୍ଷେତ୍ରରେ ଗୌରବ ବଢାନ୍ତୁ। ସେମାନଙ୍କ ଭିତରେ ଜିଜ୍ଞାସା ଭାବ ବଢୁ ଓ ବୈଜ୍ଞାନିକ ମନୋବୃତ୍ତି ବି ସୃଷ୍ଟି ହେଉ। ଖବରକାଗଜ ଓ ଟିଭି ପରଦାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଥିବା ପିଲାଙ୍କୁ ଦେଖି ସେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶିଶୁଦିବସରେ ପଞ୍ଚସଖାଙ୍କୁ ବି ସ୍ମରଣ କରିବାକୁ ପଛାଇ ନାହାନ୍ତି। ସେମାନେ ଭାର୍ଗବୀ ନଦୀ କୂଳରେ ନେଇଥିବା ଶପଥ ସଂପର୍କରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ମନେ ପକାଇଛନ୍ତି। ଏବଂ ଏହାକୁ ଉଜ୍ଜୀବିତ କରିବା ଲାଗି ଅର୍ଥାତ୍‌ ଓଡ଼ିଆ ସ୍ୱାଭିମାନର ବିକାଶ ପାଇଁ ପ୍ରଥମ ଥର ପାଇଁ ଚଳିତବର୍ଷ ଠାରୁ ସବୁ ସ୍କୁଲରେ ଶପଥ ପତ୍ର ଆରମ୍ଭ କରାଯାଉଥିବା କଥା କହିଥିଲେ। ଏଥିସହିତ ଆଜିର ଉତ୍ସବରେ ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ି ଶ୍ରେଷ୍ଠତ୍ୱ ଅର୍ଜନ କରିବା ସହିତ ଦେଶ ଗଠନରେ ବ୍ରତୀ ହେବାକୁ ଶପଥ ନେଇଥିଲେ।

ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ଭାରତ ବନ୍ଦନା ପରିବେଶକୁ ମନମୁଗ୍ଧକର କରିଥିଲା। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଦ୍ୱାରା ନିର୍ଦେଶିତ ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାରମାନଙ୍କ ଦ୍ୱାରା ଓଡ଼ିଆ ପରମ୍ପରା ଓ ଗ୍ରାମ୍ୟଜୀବନ ଉପରେ ଆଧାରିତ ନୃତ୍ୟନାଟିକା ପରିବେଷିତ ହୋଇଥିଲା। ଇଣ୍ଡିଆନ ଆଇଡଲ ଜୁନିୟର ବିଜେତା ଅନନ୍ୟା ନନ୍ଦ ଓ ସାରେଗାମା ଲିଟିଲ ଚ୍ୟାମ୍ପର ପ୍ରତିଯୋଗୀ ସତ୍ୟଜିତ ଜେନାଙ୍କ ସଂଗୀତକୁ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ। ଜରିଆରେ ଓଡ଼ିଶାର ପ୍ରତି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାରେ ପହଞ୍ଚାଯାଇଥିଲା। ଆଜି କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନ ଏକ ଭୂମିକା, ଖିଆଲରେ ଦେଖିବାକୁ ମିଳିଥିଲା। ଶିଶୁ ଉତ୍ସବକୁ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାଳନ କରି ସେ ସେହି ମଞ୍ଚରୁ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ। ମଞ୍ଚରୁ ରାଜନୈତିକ ଛୁଙ୍କର ବାସ୍ନା ବି ବେଶ୍‌ ବାରି ହୋଇପଡିଥିଲା।

 

 

ସମ୍ବନ୍ଧିତ ଖବର