ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତନ ହୋଇଛି: ମୁଖ୍ୟମନ୍ତ୍ରୀ

୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଉଦ୍‌ଘାଟିତ

ଦେଶ ବିଦେଶରୁ ୮ ହଜାରରୁ ଊର୍ଧ୍ୱ ବିଶେଷଜ୍ଞଙ୍କ ଅଂଶଗ୍ରହଣ
‘ସମ୍ପୂର୍ଣ୍ଣା’ ଯୋଜନା ନିମନ୍ତେ ‘ଫୋଗ୍‌ସି’କୁ ଧନ୍ୟବାଦ ଦେଲେ

ଭୁବନେଶ୍ୱର : ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ନିରାପଦ ପ୍ରସବ ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ଯୋଗାଇଦେବା, ସମ୍ପୂର୍ଣ୍ଣ ଟିକାକରଣ ଯୋଜନାକୁ ସଫଳ କରିବା, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାକୁ ରୋକିବା, ମାତୃ ଓ ଶିଶୁ ମୃତ୍ୟୁହାର କମ୍‌ କରିବା ହେଉ ଅବା ପ୍ରସବ ପରବର୍ତ୍ତୀ ଯତ୍ନ, ସବୁକ୍ଷେତ୍ରରେ ରାଜ୍ୟ ଜାତୀୟ ହାରଠାରୁ ଆଶାତୀତ ସଫଳ ପ୍ରଦର୍ଶନ କରିଛି। ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ୨୦୦୦ ମସିହାରେ ୧୬ତମ ର‍୍ୟାଙ୍କ୍‌ରେ ଥିବା ଓଡ଼ିଶା ୨୦୧୫-୧୬ରେ ପଞ୍ଚମ ର‍୍ୟାଙ୍କ୍‌କୁ ଉନ୍ନୀତ ହୋଇଛି। ଆଜି ସନ୍ଧ୍ୟାରେ ଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଫୋଗ୍‌ସି) ଓ ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଓଜିଓ) ପକ୍ଷରୁ ହୋଟେଲ ମେଫେୟାରରେ ଅନୁଷ୍ଠିତ ୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ରଖିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହାସଲ କରିଥିବା ସଫଳତା ବିଷୟରେ ଉଲ୍ଲେଖ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୨ରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ନିଜସ୍ୱ ‘ମମତା’ ଯୋଜନା ମାଧ୍ୟମରେ ଏଯାବତ୍‌ ୩୦ଲକ୍ଷରୁ ଊର୍ଧ୍ୱ ଗର୍ଭବତୀ ମହିଳା ଉପକୃତ ହୋଇସାରିଛନ୍ତି। ଏହି ଯୋଜନାର ସଫଳତା ପରେ କେନ୍ଦ୍ର ସରକାର ମଧ୍ୟ ଏହିପରି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି ଯାହାକି ରାଜ୍ୟ ପାଇଁ ଏକ ଖୁସି ଖବର। ସେହିପରି ଜନନୀ ସୁରକ୍ଷା ଯୋଜନା, ନିରାମୟ ଯୋଜନା ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ୍‌ ସହାୟକ ହୋଇଛି। ଏହାଛଡ଼ା ରାଜ୍ୟ ସରକାର ୭ଟି ନୂତନ ମେଡିକାଲ୍‌ କଲେଜ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡ଼ିକ ମଧ୍ୟରୁ ବାରିପଦା ଓ କୋରାପୁଟ ମେଡିକାଲ୍‌ କଲେଜ କାର୍ଯ୍ୟକ୍ଷମ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆରମ୍ଭ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସେହିପରି ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବାରେ ବେଶ୍‌ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ତଥା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଫୋଗ୍‌ସିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରାଜ୍ୟ ଭିତ୍ତିକ ଆକ୍ସନ ପ୍ଲାନ୍‌ ‘ସମ୍ପୂର୍ଣ୍ଣା’ ନିମନ୍ତେ ମୁଖ୍ୟମନ୍ତ୍ରୀ ଫୋଗ୍‌ସିକୁ ଧନ୍ୟବାଦ ଦେଇଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ହାସଲ କରିଥିବା ସଫଳତାକୁ ଉଲ୍ଲେଖ କରିଥିଲେ। ବୁଧବାରଠାରୁ ବିଭିନ୍ନ କର୍ମଶାଳାର ଶୁଭାରମ୍ଭ ସହିତ ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ଫୋଗ୍‌ସିର ସାଂଗଠନିକ ସ୍ତରରେ ଅଦଳବଦଳ ମଧ୍ୟ ହୋଇଛି। ପୂର୍ବତନ ଅଧ୍ୟକ୍ଷା ଡ. ରେଶ୍‌ମା ପାଇଙ୍କ ସ୍ଥାନରେ ଡ. ଜୟଦୀପ ମାଲହୋତ୍ରା ନୂତନ ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ। ସେହିପରି ଡ. ଏଚ୍‌ ଡ଼ି ପାଇ, ଡ. ଜୟଦୀପ ଟଙ୍କ୍‌ ମହାସଚିବ ଭାବରେ ମନୋନୀତ ହେବା ସହିତ ଅନ୍ୟାନ୍ୟ ପଦବିରେ ମଧ୍ୟ ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇଥିଲେ।

ଏହି ଅବସରରେ ଆୟୋଜନ କମିଟିର ଅଧ୍ୟକ୍ଷ ଡ. ପି ସି ମହାପାତ୍ର, ସମ୍ପାଦକ ଡ. ହର ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଡ. ଜନ୍ମେଜୟ ମହାପାତ୍ର, ଓଡ଼ିଶା ଶାଖାର ସଭାପତି ଡ. ମାୟା ପାଢ଼ୀ ଓ ସମ୍ପାଦିକା ଡ. ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଦେଶ ବିଦେଶରୁ ପ୍ରାୟ ୮୦୦୦ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କ୍ଷେତ୍ରରେ ଉଚ୍ଚତର ଚିକିତ୍ସା ସୁବିଧା ତଥା ଗବେଷଣା କ୍ଷେତ୍ରରେ ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହେବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ଶୁକ୍ରବାର ଦିନ ‘ଅବଧୂତ ମାତୃତ୍ୱ ଯୋଜନା’ ର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର