ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେବାର ନାଁ ଧରୁନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୪ର୍ଥ ଥର ପାଇଁ ଏହି ପ୍ରକଳ୍ପ ‘କାର୍ଯ୍ୟ ବନ୍ଦ ଆଦେଶ’କୁ ଘୁଞ୍ଚାଯାଇଛି। ଫଳରେ ବର୍ଷକ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ଯଦି ରାଜ୍ୟ ବିଶେଷ କରି ମାଲକାନଗିରି ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ବିନା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଏ, ତାହା ଓଡ଼ିଶାବାସୀଙ୍କ ମନରେ ସବୁଦିନ ପାଇଁ କ୍ଷତଚିହ୍ନ ରହିଯିବ।

Advertisment

ଆଜି ଏଭଳି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତିି। ସେ ଉଲ୍ଲେଖ କରିଛନ୍ତି ଯେ ଗତ ୧୦ ତାରିଖରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପୋଲାଭରମ୍‌ ପ୍ରକଳ୍ପ ପାଇଁ ରହିଥିବା ‘କାର୍ଯ୍ୟ ବନ୍ଦ ଆଦେଶ’କୁ ପୁନର୍ବାର ସ୍ଥଗିତ ରଖିଛି। ଏହା ବିସ୍ମୟକର। ସେ ଗତ ଜୁନ୍‌ ମାସ ୨ ତାରିଖରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ନିର୍ଦିଷ୍ଟ ଭାବେ ପୋଲାଭରମ୍‌ ପ୍ରକଳ୍ପ ବନ୍ଦ କରିବାକୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ୨୦୧୫ ଜୁନ୍‌ ୨୩ ତାରିଖରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅନୁରୋଧରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସର୍ତରେ ପ୍ରକଳ୍ପ ନିର୍ମାଣର ‘କାର୍ଯ୍ୟ ବନ୍ଦ ଆଦେଶ’କୁ ବର୍ଷକ ପାଇଁ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ୨୦୧୬ ଅଗଷ୍ଟ ୧୨ ତାରିଖରେ ଆଉ ବର୍ଷକ ପାଇଁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଥିଲା ସଂପୃକ୍ତ ମନ୍ତ୍ରାଳୟ। ଗତ ୧୦ ତାରିଖରେ ଚତୁର୍ଥ ଥର ପାଇଁ ଏଭଳି ପଦକ୍ଷେପ ନେଇଛି ମନ୍ତ୍ରାଳୟ। ଏଭଳି ‘କାର୍ଯ୍ୟ ବନ୍ଦ ଆଦେଶ’କୁ ମନ୍ତ୍ରାଳୟ ବାରମ୍ବାର ସ୍ଥଗିତ କରୁଥିବା ବେଳେ ଓଡ଼ିଶାକୁ ଅନ୍ଧାରରେ ରଖାଯାଉଥିବା ଚିଠିରେ ଦର୍ଶାଯାଇଛି।

ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରୀୟ ମନ୍ତ୍ରାଳୟ ଦର୍ଶାଇଥିଲା ଯେ ଓଡ଼ିଶା ଓ ଛତିଶଗଡ଼ରେ ପୋଲାଭରମ୍‌ ପ୍ରକଳ୍ପ ନେଇ ଜନଶୁଣାଣି କରାଯିବ। କିନ୍ତୁ ଜନଶୁଣାଣି ଅଦ୍ୟାବଧି ହୋଇନାହିଁ। ଏହା ସତ୍ତ୍ୱେ ପ୍ରକଳ୍ପ ପାଇଁ ଥିବା ପୂର୍ବୋକ୍ତ ସର୍ତଗୁଡ଼ିକ ସହିତ ‘କାର୍ଯ୍ୟ ବନ୍ଦ ଆଦେଶ’କୁ ସ୍ଥଗିତ ରଖାଗଲା। ଫଳରେ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ଗତ ୧୦ ତାରିଖରେ ବର୍ଷକ ପାଇଁ ‘କାର୍ଯ୍ୟ ବନ୍ଦ ଆଦେଶ’ ସ୍ଥଗିତ ରଖାଯାଇଥିବାରୁ ସେହି ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଫଳରେ ମାଲକାନଗିରିର ଆଦିବାସୀ ଗ୍ରାମଗୁଡ଼ିକ ଜଳମଗ୍ନ ହେବା ସହିତ ବହୁସଂଖ୍ୟକ ଆଦିବାସୀ ବିସ୍ଥାପିତ ହେବେ। ଅନ୍ୟପକ୍ଷରେ ଓଡ଼ିଶାର ଜଙ୍ଗଲ ଜମିରେ ପ୍ରକଳ୍ପ ନିମନ୍ତେ ନଦୀବନ୍ଧ ନିର୍ମାଣ କରାଯିବ ବୋଲି ଯାହା କୁହାଯାଉଛି ତାହା ସଂପୂର୍ଣ୍ଣ ରୂପେ ଆଇନର ଉଲ୍ଲଂଘନ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।

ପୋଲାଭରମ୍‌ ପ୍ରକଳ୍ପ ଜରିଆରେ ମାଲକାନଗିରି ଜିଲ୍ଲାର ବହୁସଂଖ୍ୟକ ଆଦିବାସୀ, ସେମାନଙ୍କର ଚାଷ ଜମି ପ୍ରଭାବିତ ହେବେ। ଏଭଳି ଗୁରୁତର ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ବିବାଦ ମାମଲାର ରାୟକୁ ଅପେକ୍ଷା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି। ଏଣୁ, ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିି।