ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ଓଡ଼ିଶାରେ ପ୍ରତିରକ୍ଷା ଶିଳ୍ପ କରିଡର୍‌ ପ୍ରତିଷ୍ଠା କରାଯାଉ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିରକ୍ଷା ଶିଳ୍ପ କରିଡର୍‌ ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଏରୋନଟିକାଲ୍‌ ବିଶ୍ୱବିଦ୍ୟାଳୟ ଖୋଲିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଦୁଇଟି ଯାକ ପ୍ରସ୍ତାବ କାର୍ଯ୍ୟକାରିତା କରିବା ପାଇଁ ଓଡ଼ିଶାରେ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ ଅଛି ବୋଲି ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ।

ଶ୍ରୀ ପଟ୍ଟନାୟକ ରାଜ୍ୟର ଭିତ୍ତିଭୂମି ସମ୍ପର୍କରେ ନିଜ ଚିଠିରେ ଦର୍ଶାଇଛନ୍ତି, ଦେଶରେ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ସେଲ୍‌, ଟାଟା ଷ୍ଟିଲ୍‌, ହିଣ୍ଡାଲ୍‌କୋ ଓ ନାଲ୍‌କୋ ପରି ସଂସ୍ଥାରୁ ପ୍ରତିରକ୍ଷା ପାଇଁ ଆବଶ୍ୟକ ଉତ୍ପାଦ ମିଳିପାରୁଛି। ଏବେ ଓଡ଼ିଶାର କୋରାପୁଟରେ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌, ବାଲେଶ୍ୱରର ଡିଆର୍‌ଡିଓ, ଚାନ୍ଦିପୁରରେ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ୍‍ ରେଞ୍ଜ୍‌ ଏବଂ ବଲାଙ୍ଗୀରରେ ଗୋଳାବାରୁଦ କାରଖାନା ରହିଛି। ଏକ ଲକ୍ଷ ଏକରରୁ ଅଧିକ ଇଣ୍ଡଷ୍ଟ୍ରି୍ରଆଲ୍‌ ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌ ରାଜ୍ୟରେ ମହଜୁଦ୍‌ ରହିଛି। ରାଜ୍ୟରେ ଦକ୍ଷ ମାନବ ସମ୍ବଳ ଓ ଆଇଆଇଟି, ଏନ୍‌ଆଇଟି ପରି ଜାତୀୟ ସ୍ତରର ପ୍ରତିଷ୍ଠାନ ବି ରହିଛି। ଆହୁରି ମଧ୍ୟ ରାଜ୍ୟ ସରକାର ପ୍ରତିରକ୍ଷା ଓ ଏରୋସ୍ପେସ୍‌ ଉତ୍ପାଦନ ନୀତି ପ୍ରସ୍ତୁତ କରୁଛନ୍ତି। ତେଣୁ ରାଜ୍ୟରେ ଏପରି ସୁଯୋଗ ଓ ସମ୍ଭାବନା ଥିବାରୁ ପ୍ରତିରକ୍ଷା ଓ ଏରୋସ୍ପେସ୍‌ ଉତ୍ପାଦଗୁଡ଼ିକର ଉତ୍ପାଦନର ମୂଲ୍ୟ ଅପେକ୍ଷାକୃତ କମ୍‌ ରହିବ। ପ୍ରତିରକ୍ଷା ଓ ଏରେସ୍ପେସ୍‌ ଡିଜାଇନ୍‌ ଓ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଦେଶର ଯେଉଁ ଭିଜନ୍‌ ରହିଛି, ତାହାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ବି ପ୍ରତିଶ୍ରୁତିବଦ୍ଧ। ତେଣୁ ପ୍ରତିରକ୍ଷା ଶିଳ୍ପ କରିଡର୍‌ ଓ ଏରୋନଟିକାଲ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଲେ ରାଜ୍ୟ ସରକାର ତୁରନ୍ତ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର