ଭୁବନେଶ୍ୱର (ସୁବ୍ରତ ଦାସ): ୩୭ ଦିନରେ ୨୪ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୭୨ ବର୍ଷ ବୟସରେ ଉପନୀତ ନବୀନ ରାଜ୍ୟର ୩୦ ଜିଲ୍ଲାରୁ ୨୪ଟିରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜନସାଧାରଣଙ୍କ ନିକଟରେ ନିଜକୁ ପହଞ୍ଚାଇଛନ୍ତି। ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ପ୍ରତିଷ୍ଠା କରି ଓ ସେମାନଙ୍କ ସହ ସୁଖ ଦୁଃଖ ବାଣ୍ଟିଛନ୍ତି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନବୀନଙ୍କର ଏହି ତୋଫାନୀ ଗସ୍ତ ବିରୋଧୀଙ୍କ ନିଦ ହଜାଇ ଦେଇଛି।
ନବୀନଙ୍କ ସାଂପ୍ରତିକ ଜିଲ୍ଲା ଗସ୍ତ ଗତ ଜାନୁଆରି ୨୪ ତାରିଖଠାରୁ ଆରମ୍ଭ ହୋଇଛି। ବଲାଙ୍ଗୀରରେ ସେ ବିଶାଳ ଯୁବ ସମାବେଶରେ ଯୋଗ ଦେଇ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ଏବଂ ଏହି ପଶ୍ଚିମ ଓଡ଼ିଶା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପରଦିନ ଶ୍ରୀକ୍ଷେତ୍ର ପୁରୀରୁ ‘‘କାଳିଆ’’ ଯୋଜନାର ଶୁଭାରମ୍ଭ କରିଥିଲେ ନବୀନ। ତା’ ପରଠାରୁ ପ୍ରାୟ ପ୍ରତ୍ୟେକ ଦିନ ତାଙ୍କର ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ ଜାରି ରହିଛି। ସେ ରାଜ୍ୟ ସରକାରଙ୍କ ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ -‘‘କାଳିଆ’’,‘‘ବିଜୁ ଯୁବ ବାହିନୀ’’ ଏବଂ ‘‘ମିଶନ ଶକ୍ତି’’ର ମୁଖ୍ୟ ଅଂଶୀଦାରମାନଙ୍କ ସହିତ ଭାବ ବିନିମୟ କରିଛନ୍ତି।
ଗତ ଜାନୁଆରି ୨୪ ତାରିଖଠାରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ୨୪ଟି ଜିଲ୍ଲା ଗସ୍ତ କରିଛନ୍ତି। ସେଗୁଡ଼ିକ ହେଲା, କଟକ,ବଲାଙ୍ଗୀର,ପୁରୀ,ଗଂଜାମ,ସମ୍ବଲପୁର,ମୟୁରଭଂଜ,କେନ୍ଦୁଝର,କୋରାପୁଟ,ନବରଙ୍ଗପୁର,ଗଜପତି,କନ୍ଧମାଳ,ବାଲେଶ୍ୱର,କେନ୍ଦ୍ରାପଡ଼ା,କଳାହାଣ୍ଡି,ବୌଦ୍ଧ,ଯାଜପୁର,ବରଗଡ,ଢ଼େଙ୍କାନାଳ,ଅନୁଗୁଳ,ନୂଆପଡ଼ା,ରାୟଗଡା,ଖୋର୍ଦ୍ଧା,ଝାରସୁଗୁଡା ଏବଂ ସୁନ୍ଦରଗଡ଼। ଆଜି ସେ ଝାରସୁଗୁଡ଼ା ଜିଲ୍ଲାର ତାପଜ ଶିଳ୍ପକେନ୍ଦ୍ର ବନହରପାଲୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଇସ୍ପାତ ନଗରୀ ରାଉରକେଲା ଗସ୍ତ କରିଛନ୍ତି। ଆସନ୍ତାକାଲି ତାଙ୍କର ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ରହିଛି।
ତେବେ ମୁଖ୍ୟମନ୍ତ୍ରୀଙ୍କର ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ମାଲକାନଗିରି ଜିଲ୍ଲା ,ପଶ୍ଚିମ ଓଡ଼ିଶାରେ ଦେବଗଡ ଓ ସୋନପୁର ଜିଲ୍ଲା ଏବଂ ଉପକୂଳ ଓଡ଼ିଶାର ଭଦ୍ରକ ଓ ନୟାଗଡ଼ ଜିଲ୍ଲା ଗସ୍ତ ବାକି ରହିଛି। ଆସନ୍ତା ସପ୍ତାହକ ମଧ୍ୟରେ ସେ ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କ ନିକଟରେ ପହଞ୍ଚିବେ ବୋଲି ଦଳୀୟ କର୍ମକର୍ତ୍ତାମାନେ ଆଶା ରଖିଛନ୍ତି। ଅର୍ଥାତ୍ ନିର୍ବାଚନ ତାରିଖ ଘୋଷଣା ହେବା ବେଳକୁ ମୋଟାମୋଟି ସମଗ୍ର ରାଜ୍ୟ ନବୀନ ଗସ୍ତ କରିସାରିଥିବେ।
ଶାସକ ବିଜୁ ଜନତା ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ,ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ପାରିଛନ୍ତି। ସେମାନଙ୍କ ସୁଖ ଦୁଃଖ ଶୁଣିବା ସହିତ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ଯୋଜନା ମୁଖ୍ୟତଃ କାଳିଆ,ମିଶନ ଶକ୍ତି ଏବଂ ବିଜୁ ଯୁବ ବାହିନୀର କାର୍ଯ୍ୟକାରିତା ସଂପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ସେମାନଙ୍କର ଉଚ୍ଛ୍ୱସିତ ସମର୍ଥନ ଜ୍ଞାପନ କରିଛନ୍ତି ବୋଲି ଦଳୀୟ ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି।
/sambad/media/post_attachments/wp-content/uploads/2019/03/Nabin-1-300x176.jpg)
ତେବେ ,ପ୍ରଦେଶ କଂଗ୍ରେସ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସରକାରୀ ଅର୍ଥରେ ନିର୍ବାଚନ ପ୍ରଚାର କରୁଛନ୍ତି। ଗତ ସାଢେ ୪ ବର୍ଷ ମଧ୍ୟରେ ସେ ଯେତିକି ଅଞ୍ଚଳ ଗସ୍ତ କରିଥିଲେ, ଗତ ମାସକ ମଧ୍ୟରେ ସେ ସେତିକି ଗସ୍ତ କରିଛନ୍ତି। ତେବେ ପ୍ରଚାର ଯାହା କରନ୍ତୁ ନା କାହିଁକି,ଭୋଟରଙ୍କ ପୁଞ୍ଜିଭୂତ ଅସନ୍ତୋଷର ପରିପ୍ରକାଶ ଆସନ୍ତା ନିର୍ବାଚନରେ ଘଟିବ ଏବଂ ନବୀନବାବୁ ପରାଜୟ ସ୍ୱାଦ ଚାଖିବେ ବୋଲି ଶ୍ରୀ ଜ୍ଞାନେନ୍ଦ୍ର ମତ ପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ମଧ୍ୟ ଅନୁରୂପ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/naveen-4.jpg)