ଭୁବନେଶ୍ବର: ‘‘ବିଶେଷଜ୍ଞମାନେ କହୁଛନ୍ତି, ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ। ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ଥମିବା ପରେ ଏବେ ପୂର୍ବାପେକ୍ଷା ଭୟଙ୍କର ରୂପରେ ବଢୁଛି। କେରଳରେ ଓନାମ୍ ପରେ ସଂକ୍ରମଣ ତିନିଗୁଣ ବଢ଼ିଯାଇଛି। ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି। ମୋର ଅନୁରୋଧ, ପୂଜା ସମୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ କରନ୍ତୁ ନାହିଁ। ଘରେ ରହି ମା’ଙ୍କ ପୂଜା କରନ୍ତୁ। ପ୍ରାର୍ଥନା କରନ୍ତୁ। ପରିବାର ସହ ଘରେ ରହି ପର୍ବ ପାଳନ କରନ୍ତୁ। ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ।’’ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୂଜା ପାଇଁ ଅଭିନନ୍ଦନ ଜଣାଇବା ସହିତ ଏଭଳି ଢଙ୍ଗରେ ସତର୍କ କରାଇଛନ୍ତି। ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ମା'ଙ୍କ ପାଖରେ ଶପଥ ନେଇ କାମ କରିବା ଲାଗି ସମସ୍ତଙ୍କୁ ପ୍ରବର୍ତ୍ତାଇଛନ୍ତି। ଏକଥା ବି କହିଛନ୍ତି ଯେ ଆଉ ଥରେ ସଂକ୍ରମଣ ବଢିଲେ ଆମେ ହଇରାଣ ହେବା; ପରିବାର ହଇରାଣ ହେବ। କିନ୍ତୁ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ।
ଏକ ଭିଡ଼ିଓ ବାର୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସାତ ମାସ ହେଲା ଓଡିଶା
କରୋନା ବିରୋଧରେ ଲଢେଇ ଜାରି ରଖିଛି। ଏଥିପାଇଁ ରାଜ୍ୟବାସୀ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିଛନ୍ତି। ବିଶେଷକରି ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି। ହେଲେ ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରୁଛନ୍ତି। ରାଜ୍ୟବାସୀଙ୍କ ତ୍ୟାଗ ଆଦୌ ବୃଥା ଯାଇନାହିଁ। ବରଂ ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। ଏଥିରେ ରାଜ୍ୟର ସବୁ ନାଗରିକଙ୍କର ସହଯୋଗ ରହିଛି। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି। ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତ୍ବ ବଜାୟ ରଖୁଛନ୍ତି। ଅବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି। ସେମାନେ ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଦରକାର। ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋଭିଡ୍ ସଂକ୍ରମଣ କମିବା ଆରମ୍ଭ କରିଛି। ସେପ୍ଟେମ୍ବର ୨୬ରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ ଆଜି ଏହା ଦୁଇ ହଜାର ତଳକୁ ଖସିଛି। ଆଗକୁ ଆହୁରି କମିବ। ଗଞ୍ଜାମ ଏବଂ ଗଜପତି ସଂପର୍କରେ ସ୍ମରଣ କରାଇ ନବୀନ କହିଛନ୍ତି, ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ୍ ଥିଲା। ପ୍ରତିଦିନ ଶହ ଶହ ପଜିଟିଭ୍ ଚିହ୍ନଟ ହେଉଥିଲେ। ଲୋକଙ୍କ ସହଯୋଗ, ଗୋଷ୍ଠୀ ଭାଗିଦାରୀ, କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଉଭୟ ଗଞାମ ଓ ଗଜପତିରେ ସଂକ୍ରମଣ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି। ହେଲେ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ। କରୋନାର ଚରିତ୍ର ବେଶ୍ ବିଚିତ୍ର; ତାଜୁବ୍ କଲାଭଳି। ଏଣୁ ଔଷଧ ଏବଂ ଟିକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ।
ୟୁରୋପ ଦେଶମାନଙ୍କର ଉଦାହରଣ ଦେଇଥିଲେ ନବୀନ। କହିଥିଲେ, ୟୁକେ, ଫ୍ରାନ୍ସ, ସ୍ପେନ୍ ଆଦି ଦେଶରେ ମାର୍ଚ୍ଚ-ଏପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା। ଅନେକ ଲୋକ ଜୀବନ ହରାଇଲେ। ତା ପରେ କରୋନା ପ୍ରଭାବ କମିଲା। କିନ୍ତୁ ଏବେ ସେଠାରେ ସଂକ୍ରମଣ ପୁଣିଥରେ ବହୁତ ବଢ଼ି ଯାଇଛି। ଏହା ପୂର୍ବଠାରୁ ଅଧିକ ଭୟଙ୍କର। ସେପ୍ଟେମ୍ବର ୧ରେ ୟୁକେରେ ଦୈନିକ ବାରଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିଲା। ଅକ୍ଟୋବର ୮ରେ ଏହି ସଂଖ୍ୟା ୧୭ହଜାରରୁ ଅଧିକ ହେଲାଣି। ସେହିଭଳି ଫ୍ରାନ୍ସରେ ଅଗଷ୍ଟ ୩୧ରେ ତିନି ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିଲେ। ଅକ୍ଟୋବର ୧୦ରେ ଏହି ସଂଖ୍ୟା ବଢି ୨୬ ହଜାର ଡେଇଁଗଲାଣି। ଭାରତ ଏବେ ଆମେରିକା ପରେ ବିଶ୍ବରେ କରୋନା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ରହିଛି। କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା। କିନ୍ତୁ ତାଙ୍କର ପ୍ରସିଦ୍ଧ ଓନାମ୍ ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି। ଏଣୁ ରାଜ୍ୟବାସୀ ସତର୍କତାର ସହିତ ପୂଜା ପାଳନ କରିବା ଲାଗି ନବୀନ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/naveen-2-1024x618.jpg)