ପାରିବାରିକ ହିଂସା ପ୍ରତି ସତର୍କ ରହିବାକୁ ନିର୍ଦେଶ, ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କର: ମୁଖ୍ୟମନ୍ତ୍ରୀ

ସପ୍ତାହକ ଭିତରେ ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ

ଭୁବନେଶ୍ବର: ଚାଷୀଙ୍କର ଯେଭଳି କୌଣସି ଅସୁବିଧା ନ ହୁଏ, ତାହାକୁ ପୁଲିସ ମହାନିର୍ଦେଶକ ସୁନିଶ୍ଚିତ କରିବେ। କେବଳ ସେତିକି ନୁହେଁ, ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ନବୀନ ନିବାସରୁ ସବୁ ବରିଷ୍ଠ ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ଅବସରରେ ଏଭଳି ନିର୍ଦେଶ ଦେଇଛନ୍ତି। ଏଥିସହିତ ପାରିବାରିକ ହିଂସା ପ୍ରତି ସତର୍କ ରହିବାକୁ ଇଙ୍ଗିତ କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସ୍ଥିତି ସଂପର୍କରେ ଆଜି ନବୀନ ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀଙ୍କୁ ପଚାରି ବୁଝିଥିଲେ। ଗତ ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ଯେତେ ସବୁ ନିଷ୍ପତ୍ତି ହୋଇଥିଲା, ତା’ ଉପରେ ବର୍ତମାନ ସ୍ଥିତି କଣ ସେକଥା ଜାଣିବାକୁ ଚାହିଁଥିଲେ।

ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ କରୋନା ସମୟରେ ଭଲ କାମ କରିଥିବାରୁ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୁଲିସ ଅଧିକାରୀ,ସର୍ବୋପରି ଜନସାଧାରଣ ଧନ୍ୟବାଦର ପାତ୍ର। ତେବେ ଲକ୍‌ଡାଉନ୍‌ ସମୟରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆସନ୍ତା ଏକ ସପ୍ତାହ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ହେବା ଦରକାର। ୩୬ଟି ସ୍ଥାନରେ ୬୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାକୁ ଯୋଜନା କରାଯାଇଛି। ଏମକେସିଜିରେ କୋଭିଡ୍ ପରୀକ୍ଷା ସୁବିଧା ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହିତ ଆସନ୍ତା ଦୁଇ ଦିନ ମଧ୍ୟରେ ଭିମ୍‌ସାରରେ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ଆଇଜିଏଚରେ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଥିବା ନେଇ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। କୋଭିଡ୍ କାର୍ଯ୍ୟରେ ନିୟୋଜିତ ପୁଲିସ ଓ ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଅଧିକାରୀମାନେ ଜଣାଇଥିଲେ େଯେ ଏବେ ସୁଦ୍ଧା ଦେଢ଼ଲକ୍ଷ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆସରିଲେଣି। ସେହିଭଳି ପାରିବାରିକ ହିଂସା ଏକ ଚିନ୍ତାର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବା ଲାଗି ନିର୍ଦେଶ ଦେଇଥିଲେ। ଫୋନରେ ସେମାନଙ୍କୁ ସହାୟତା ପ୍ରଦାନ ଉପରେ ପୁଲିସ ପଦକ୍ଷେପ ନେବା ଦରକାର େବାଲି କହିଥିଲେ।

ସମ୍ବନ୍ଧିତ ଖବର