ସ୍କୁଲ୍‌ରେ ଗୋଲ୍‌କିପର ଥିଲେ ନବୀନ : କେବିସି ସୋ’ରେ ରହସ୍ୟ ଖୋଲିଲେ

ଭୁବନେଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ୍‌ ସମୟରେ ହକି ଖେଳିଛନ୍ତି। ଆଉ ସେ ଡେଙ୍ଗା ଥିବାରୁ ତାଙ୍କୁ ସେତେବେଳେ ଗୋଲ୍‌କିପର କରି ଦିଆଯାଇଥିଲା।

କେବିସି ସୋ’ରେ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ରୋଚକ ତଥ୍ୟ ରଖିଥିେଲ। ନବୀନଙ୍କ ଏଭଳି ମନ୍ତବ୍ୟ ସେଠାରେ ଉପସ୍ଥିତ ଥିବା ଭାରତୀୟ ଅଧିନାୟକ ତଥା ଗୋଲ୍‌କିପର ଏସ୍ ଶ୍ରୀଜେଶଙ୍କୁ ଖୁସି କରିଥିଲା।

ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ବକପ୍ ପାଇଁ ଓଡ଼ିଶା ସମେତ ଏବେ ପୂରା ଦେଶରେ ଏକ ସକାରାତ୍ମକ ପରିେବଶ ସୃଷ୍ଟି ହୋଇଛି। ଏହି ଅଭିଯାନରେ ସାମିଲ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କେବିସି ସୋ’ରେ ହକି ବିଶ୍ବକପ୍‌ ସଫଳ କରିବାକୁ କ୍ୟାମ୍ପେନ କରାଯାଇଛି।

କେବିସି ମଞ୍ଚରେ ଏକାଠି ହୋଇଥିଲେ ଭାରତୀୟ ହକି ଟିମର ସଦସ୍ୟ। ସେମାନଙ୍କ ସହ ହକିକୁ ନୂଆ ପରିଚୟ ଦେଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ସୋ’ରେ ସାମିଲ ହୋଇଥିଲେ।

ନବୀନ ଏହି ଅବସରରେ କହିଥିଲେ, ହକି କେବଳ ଓଡ଼ିଶାରେ ନୁହେଁ, ବରଂ ପୂରା ଦେଶରେ ଲୋକପ୍ରିୟ। ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏହା ସବୁଠାରୁ ଅଧିକ ଲୋକପ୍ରିୟ। ଏଠାକାର ପିଲାମାନେ ଚାଲିବା ଶିଖିବା ସମୟରୁ ହିଁ ହକି ଖେଳିଥାନ୍ତି।

ଓଡ଼ିଶା ହକି ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ କାହିଁକି ଆଗ୍ରହୀ ପ୍ରଶ୍ନରେ ନବୀନ କହିଥିେଲ, ଯେହେତୁ ଏହା ଓଡ଼ିଶାର ଏକ ଲୋକପ୍ରିୟ ଖେଳ ତେଣୁ ଏହାକୁ ଆଗକୁ ନେବା ସହ ଆହୁରି ଲୋକପ୍ରିୟ କରିବାକୁ ବିଶ୍ବକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛୁ। ଭାରତୀୟ ହକି ଟିମକୁ ମଧ୍ୟ ସମର୍ଥନ କରୁଛୁ ।

ଆଲୋଚନା ସମୟରେ କେଉଁ ଖେଳ ପ୍ରତି ଭଲପାଇବା ରହିଛି େବାଲି ଅମିତାଭଙ୍କ ପ୍ରଶ୍ନରେ ନବୀନ କହିଥିଲେ, ସେ ସ୍କୁଲ୍‌ ଜୀବନରେ ସବୁ ପ୍ରକାର ଖେଳିଛନ୍ତି । ଏପରିକି ସେ ହକି ମଧ୍ୟ ଖେଳିଛନ୍ତି। ଆଉ ହକି ଖେଳରେ ସେ ଗୋଲ୍‌କିପର ଭାବେ ଖେଳିଥିଲେ। କାରଣ ସେ ଖେଳାଳି ଭିତରୁ ଡେଙ୍ଗା ଥିବାରୁ ତାଙ୍କୁ ଗୋଲ୍‌କିପର କରାଯାଇଥିଲା।

ସବୁଠାରୁ ଦୀର୍ଘ ସମୟ ତଥା କ୍ରମାଗତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ନେଇ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ଲୋକଙ୍କ ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ ତାଙ୍କୁ ଏହି ସଫଳତା ଦେଇଛି। ୧୯୯୯ ମସିହା ମହାବାତ୍ୟା ପରେ ପରେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ଏହି ମହାବାତ୍ୟାରେ ପ୍ରାୟ ୧୦ ହଜାର ଲୋକଙ୍କର ଜୀବନ ହାନି ଘଟିଥିଲା ଓ ରାଜ୍ୟର ବିପୁଳ କ୍ଷତି ହୋଇଥିଲା। ତେଣୁ ନୂଆ କରି ଆସିଥିବା ତାଙ୍କ ସରକାର ବିପର୍ଯ୍ୟୟ ମୁକାବିଲା ନେଇ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ବାତ୍ୟାରେ କୌଣସି ଜୀବନ ହାନି ଘଟିନାହିଁ।

ମୁଖ୍ୟମନ୍ତ୍ରୀ ଆସନ୍ତା ନଭେମ୍ବରରେ ହେବାକୁ ଥିବା ବିଶ୍ବକପ୍ ସଫଳତା ପାଇଁ ଭାରତୀୟ ଟିମ୍‌କୁ ଶୁଭକାମନା ଜଣାଇଥିଲେ। ନିଜ ପଡ଼ିଆରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍‌ ହେଉ ବୋଲି ସେ ଆଶା ପ୍ରକଟ କରିଥିେଲ। ବିଗ୍ ବିଙ୍କୁ ସେ ଓଡ଼ିଶାକୁ ନିମନ୍ତ୍ରଣ କରିଥିେଲ। ଏହି ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ଭଲପାଇବାକୁ ଢେର ପ୍ରଂଶସା କରିଥିଲେ ଅମିତାଭ। ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଧନରାଜ ପିଲେ ମଧ୍ୟ ନବୀନଙ୍କୁ ଧନ୍ୟବାଦ ଦେଇଥିଲେ। କୁଇଜ ଭିତ୍ତିକ ସୋ’ କେବିସିରେ ଭାରତୀୟ ଟିମ ଖେଳିବା ସହ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଥିଲେ।

ସମ୍ବନ୍ଧିତ ଖବର