ଏନ୍‌ଡିଏରେ ମିଶିଲେ ନବୀନ ଭଲରେ ରହିବେ

ଭୁବନେଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଏନ୍‌ଡିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ। ଏନ୍‌ଡିଏ ଯୋଗୁଁ ନବୀନ ପଟ୍ଟନାୟକ ଓଡ଼ିଶାରେ କ୍ଷମତାକୁ ଆସିଲେ। ହେଲେ କିଛି ବର୍ଷ ପରେ ଏନ୍‌ଡିଏ ଠାରୁ ଦୂରେଇ ଗଲେ। ଏହାପରେ ଭଲ କାମ କରୁଥିବାରୁ ନିଜ ବଳରେ କ୍ଷମତାରେ ରହୁଛନ୍ତି। କିନ୍ତୁ ଏନ୍‌ଡିଏରେ ମିଶିଗଲେ ଆହୁରି ଭଲରେ ରହିବେ।

ଏହିଭଳି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏରେ ମିଶିବାକୁ ଅଫର୍‌ ଦେଇଛନ୍ତି ଏନ୍‌ଡିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ନେତା ତଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରାମଦାସ ଅଠାୱଲେ। ସେ କହିଛନ୍ତି ଯେ ବିଜେଡି ଏବେ ଏନ୍‌ଡିଏରେ ନାହିଁ। କିନ୍ତୁ ଏନ୍‌ଡିଏ‌କୁ ସମର୍ଥନ କରୁଛି। ରାଜ୍ୟସଭା, ଲୋକସଭାରେ ଯେଉଁ ବିଲ୍‌ ଆସୁଛି ତାକୁ ବିଜେଡି ସମର୍ଥନ କରୁଛି। ଏପରିକି ନବୀନଙ୍କ ଦଳ ଏନ୍‌ଡିଏର ସହଯୋଗୀ ଦଳ ଭଳି କାମ କରୁଛି। ୨୦୨୪ରେ ନବୀନଙ୍କ ଦଳ ଏନ୍‌ଡିଏରେ ମିଶିଗଲେ ନବୀନ ଅଧିକ ଫାଇଦାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦୀ ବି ଓଡ଼ିଶାକୁ ଅଧିକ ବଜେଟ୍‌ ଦେବେ। ଏହାସହ ଶ୍ରୀ ଅଠାୱଲେ କହିଥିଲେ ଯିଏ ବିଜେପିକୁ ଧୋକା ଦେଇଛନ୍ତି ତାଙ୍କ ବ୍ୟବସ୍ଥା ବିଜେପି କରିଛି। ମୁଁ ବିଜେପି ସହ ଥିଲି, ଅଛି, ରହିବି।

ସେହିପରି ଜାତି ଭିତ୍ତିକ ଜନଗଣନା ନେଇ ଶ୍ରୀ ଅଠାୱଲେ କହିଥିଲେ ଯେ ମୁଁ ଏନେଇ ବହୁବାର ସଂସଦରେ ଦାବି କରିଛି। ମୁଁ ଚାହିଁବି ଯେ ଆସନ୍ତା‌ ଜନଗଣନାରେ କେଉଁ ଜାତିର କେତେ ଲୋକ ଅଛନ୍ତି ତାହା ଗଣନା କରାଯାଉ। ହେଲେ କେନ୍ଦ୍ର ସରକାର ଜାତି ଭିତ୍ତିକ ଗଣନାକୁ ଅନୁମତି ନଦେବାର କାରଣ ହେଲା ସମ୍ବିଧାନ କହୁଛି ଯେ ଜାତିବାଦକୁ ପ୍ରଶ୍ରୟ ଦିଆଯିବନି। ତେଣୁ ଏହା ହେଉନି। ମୋ ମତରେ ଜାତିଭିତ୍ତିକ ଗଣନା ହେଲେ ସରକାର ଯାହା ଆଶଙ୍କା କରୁଛନ୍ତି ତାହା ହେବନି।

ସମ୍ବନ୍ଧିତ ଖବର