୨୦ରୁ ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ, ବରିଷ୍ଠ ଅଧିକାରୀଙ୍କ ସହ ଦିଲ୍ଲୀ ଗଲେ

ଭାଟିକାନ୍‌ରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କୁ ଭେଟିବେ
ଇଟାଲିରେ ଅନୁଭୂତି କହିବେ, ଦୁବାଇରୁ ପୁଞ୍ଜି ଆଣିବେ

ଭୁବନେଶ୍ବର : ଆସନ୍ତା ୨୦ତାରିଖରୁ ବିଦେଶ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଶନିବାର ଦିନ ସେ ଦିଲ୍ଲୀ ଯାଇଛନ୍ତି। ଏହି ୧୦ଦିନିଆ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ଇଟାଲି ଓ ଦୁବାଇ ଯିବେ। ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍କୋଙ୍କୁ ଭାଟିକାନ୍ ସହରରେ ଭେଟିବେ। ମୁଖ୍ୟମନ୍ତ୍ରୀଙ୍କ

କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି)ର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ରୋମ୍‌ସ୍ଥିତ ମୁଖ୍ୟାଳୟକୁ ଯାଉଛନ୍ତି। ସେଠାରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ପରିବର୍ତ୍ତନଶୀଳ ପଦକ୍ଷେପ ସମ୍ପର୍କରେ ନିଜର ଅନୁଭୂତି ଓ ସଫଳତାର ଚିତ୍ର ଉପସ୍ଥାପନ କରିବେ। ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟ ଉପରେ ନିର୍ଭର କରିବାଠୁ ଆରମ୍ଭ କରି ଖାଦ୍ୟ ବଳକା ରାଜ୍ୟ ହେବା ଏବଂ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ଶସ୍ୟ ଯୋଗାଇବା , ୧୯୯୯ ମସିହା ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍‌ ରାଜ୍ୟ ବୋଲି ୟୁନାଇଟେଡ୍‌ ନେସନ୍‌ର ସାର୍ଟିଫିକେଟ୍ ପାଇବାର ଅନୁଭୂତି ମୁଖ୍ୟମନ୍ତ୍ରୀ କହିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡବ୍ଲୁଏଫ୍‌ପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବେସଲି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ। ଡବ୍ଲ୍ୟୁଏଫ୍‌ପି ସହଭାଗିତାରେ ଓଡ଼ିଶାରେ ହେବାକୁ ଥିବା ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ।

ୟୁରୋପର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟର ସଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ। ରାଜ୍ୟରେ କଳାର ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟାରେ ପ୍ରବାସୀ ଓଡିଆମାନେ ସାମିଲ ହେବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ।

ଇଟାଲି ଗସ୍ତରୁ ଫେରିବା ବେଳେ ମୁଖ୍ୟମନ୍ତ୍ରୀ ଦୁବାଇରେ ମଧ୍ୟ-ପୂର୍ବ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳର ପୁଞ୍ଜିପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ। ରାଜ୍ୟ ସରକାର ପୁଞ୍ଜିନିବେଶ ପାଇଁ ସବୁ ପ୍ରକାରର ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ମଧ୍ୟ ଦେବେ। କିଛି ବଡ଼ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍‌ ଟୁ ୱାନ୍ ଆଲୋଚନା କରିବେ। ଏଠାରେ ହେବାକୁ ଥିବା ଉଦ୍ୟୋଗୀ ବୈଠକରେ ଓଡ଼ିଶାର ଏକ ଉଦ୍ୟୋଗପତି ପ୍ରତିନିଧି ଦଳ ଯୋଗଦେଇ ବିଦେଶୀ ପୁଞ୍ଜିନିବେଶ ପାଇଁ ସମ୍ଭାବ୍ୟ ସହଯୋଗିତା ଉପରେ ଆଲୋଚନା କରିବେ। ସେଠାକର ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଆସିଥିବା ପରିବର୍ତ୍ତନ ବିଷୟରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ସହଯୋଗୀ ହେବାକୁ ନିମନ୍ତ୍ରଣ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ, ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖସଚିବ ଭି.ଭି ଯାଦବ, ଶିଳ୍ପ ବିଭାଗ ପ୍ରମୁଖସଚିବ ହେମନ୍ତ ଶର୍ମା, ନୂଆଦିଲ୍ଲୀସ୍ଥିତ ଆବାସିକ ଆୟୁକ୍ତ ରବି କାନ୍ତ ପ୍ରମୁଖ ବିଦେଶ ଗସ୍ତରେ ଯିବେ।

ସୂଚନାଯୋଗ୍ୟ ଯେ, ଆଜି ନୂଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଯାଇଥିବାବେଳେ ୨୦ତାରିଖ ଅପରାହ୍ନ ୪ଟା ୧୫ରେ ନୂଆଦିଲ୍ଲୀରୁ ଇଟାଲିର ରୋମ୍‌ ଅଭିମୁଖେ ଯିବେ। ‌ରୋମ୍‌ରୁ ୨୬ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇ ଅଭିମୁଖେ ବାହାରିବେ। ଦୁବାଇରେ ୨୯ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ବାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେବେ। ଜୁନ୍ ୩୦ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ବାହାରି ରାତି ୮ଟା ୨୦‌େର ନୂଆଦିଲ୍ଲୀରେ ପହଞ୍ଚିବେ, ସେଠାରୁ ରାତି ୯ଟା ୩୦ରେ ବାହାରି ଭୁବନେଶ୍ବରରେ ରାତି ସାଢ଼େ ୧୧ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର