ଫନି ବାତ୍ୟାରେ ରାଜ୍ୟର କ୍ଷତି ପାଇଁ ଆଜି ଜନ୍ମଦିନ ପାଳିବେନି ନବୀନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୪ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏଥର ସେ ଜନ୍ମଦିନ ପାଳିବେ ନାହିଁ। ରାଜ୍ୟରେ ଫନି ବାତ୍ୟାରେ ବ୍ୟାପକ କ୍ଷତି ହୋଇଥି‌ବାରୁ ନବୀନ ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବା ପାଇଁ ମନ୍ତ୍ରୀ, ନେତା, କର୍ମୀ ଓ ଶୁଭେଚ୍ଛୁଙ୍କୁ କୁହାଯାଇଛି।

ଜନ୍ମଦିନ ପାଳନ ପାଇଁ ନିଷ୍ପତ୍ତି ନେବା ସହ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲ୍‌କୁ ଯାଇ ସେମାନଙ୍କ ଭଲ ପାଇଁ କିଛି କାମ କରିବାକୁ ଦଳର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆସନ୍ତାକାଲି ସାରା ରାଜ୍ୟରେ ବିଜେଡି ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି।

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି। ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା। କେବଳ ମୋର ଜନ୍ମଦିନରେ ନୁହେଁ, ଆପଣମାନଙ୍କ ଜୀବନର ସବୁ ସ୍ମରଣୀୟ ଦିନ ଯଥା ଜନ୍ମଦିନ, ପିଲାଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀ ଆଦି ଦିନମାନଙ୍କରେ ଏହି ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଖକୁ ଯାଆନ୍ତୁ ଓ ସେମାନଙ୍କ ପାଇଁ କିଛି କରନ୍ତୁ। ଯେତେବେଳେ ଆପଣ ଅନାଥ ଆଶ୍ରମ ବା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍କୁଲ୍‌କୁ ଯାଉଛନ୍ତି, ସେ‌େତବେଳେ ଆପଣ ଆପଣଙ୍କ ପରିବାରକୁ ଓ ପିଲାମାନଙ୍କୁ ସାଥୀରେ ନେଇ ଯାଆନ୍ତୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ।

ସମ୍ବନ୍ଧିତ ଖବର