ନୂଆବର୍ଷ ପାଳିବେନି ନବୀନ; ନବୀନ ନିବାସ ନ ଆସିବା ପାଇଁ ଶୁଭେଚ୍ଛୁଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟାଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି। ଏହି କାରଣରୁ ଆସନ୍ତାକାଲି ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଚ୍ଛୁମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। 

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ସୋନି ମେହେଟ୍ଟାଙ୍କର ଗତକାଲି ପରଲୋକ ଘଟିଛି  । ଅନ୍ତର୍ଜାତୀୟସ୍ତରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ ତଥା ମୁଖ୍ୟସଂପାଦକ ଥିବା ସୋନି ମେହେଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କୁ ବିବାହ କରିଥିଲେ।  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜାମାତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ସୋନି ମେହେଟ୍ଟାଙ୍କର  ୭୭ ବର୍ଷ ବୟସରେ ପରଲୋକ ଘଟିଛି।

ଭିଣୋଇଙ୍କ ବିୟୋଗରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ‘ ମୁଁ ମୋର ଭିଣୋଇସୋନି ମେହେଟ୍ଟାଙ୍କର ପରଲୋକରେ ଗଭୀର ମର୍ମାହତ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେହେଟ୍ଟାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର