ପୁଲୱାମା ସହିଦଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି : ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ଆସନ୍ତାକାଲି ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ସମର୍ଥକ, ଶୁଭେଚ୍ଛୁ କିମ୍ବା ବିଜେଡି ନେତାମାନଙ୍କୁ ନବୀନ ନିବାସ ଯିବା ପାଇଁ ମଧ୍ୟ ମନା କରାଯାଇଛି । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କାଲି ହୋଲି ପାଳିବେ ନାହିଁ ବୋଲି ଜଣାପଡିଛି ।

ଗତ ଫେବୃଆରୀ ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା । ଏବେ ଏହାକୁ ଆଖି ଆଗରେ ରଖି ନିଜର ସାଥୀ ଯବାନଙ୍କ ବିୟୋଗରେ ଦେଶର ପ୍ରାୟ ୧୦ଲକ୍ଷ ଯବାନ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସବୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳଙ୍କ ସମେତ ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଭାବରେ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଏ ମଧ୍ୟରେ ରହିଛନ୍ତି, ସିଏପିଏଫ୍‌, ବିଏସ୍‌ଏଫ୍‌, ଆଇଟିବିପି, ସିଆଇଏସ୍‌ଏଫ୍‌, ଏସ୍‌ଏସ୍‌ବି ଯବାନ ।

ସୂଚନା ମୁତାବକ, ଫେବୃଆରୀ ୧୪,୨୦୧୯ରେ ଯବାନମାନେ ବସରେ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ବେଳେ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ  ବସ୍‌ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪୦ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଥିଲେ । ପରେ ପରେ ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରି ପାଖାପାଖି ୨୫୦ ଆତଙ୍କବାଦୀଙ୍କୁ ନିହତ କରିଥିଲେ ।

ସମ୍ବନ୍ଧିତ ଖବର