ବ୍ରଜରାଜନଗର ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ଚୟନ କରିବେ ନବୀନ

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ଗ୍ରହଣ କରିବେ। ଉପନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ଦିନ ଅନୁଷ୍ଠିତ ଦଳର ସାଙ୍ଗଠନିକ ବୈଠକରେ ଏ ନେଇ ସର୍ବସମ୍ମତ ମତ ପ୍ରକାଶ ପାଇଛି।

ବୈଠକରେ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ଯୋଗଦେଇଥିଲେ। ବୈଠକରେ ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପରେ ଏହି ଦାୟିତ୍ବ ଅର୍ପଣ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଦଳର ସଭାପତିଙ୍କ ହାତ‌ରେ ହିଁ ପ୍ରାର୍ଥୀ ଚୟନ କ୍ଷମତା ରହିଛି। ସେ ଯାହାଙ୍କୁ  ପ୍ରାର୍ଥୀ କରିବେ, ତାଙ୍କୁ ବିଜୟୀ କରିବା ଆମର କର୍ତ୍ତବ୍ୟ।
ବୈଠକରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକ୍‌ର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ସମିତି ସଭ୍ୟ, ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷ ଓ କାଉନସିଲର, ବେଲପାହାଡ଼ ପୌର ପରିଷଦର ସମସ୍ତ କାଉନସିଲର, ବ୍ରଜରାଜନଗର ସହର ବିଜେଡି ସଭାପତି, ଲଖନପୁର ବ୍ଲକ୍‌ ସଭାପତି, ବେଲପାହାଡ଼ ସହର ସଭାପତିଙ୍କ ସମେତ ଅନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ। ବୈଠକରେ ଆଗାମୀ ଉପନିର୍ବାଚନ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏହି ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ ରହିଛନ୍ତି।

ସମ୍ବନ୍ଧିତ ଖବର