ଆଜି ନବୀନ-ଜଗନ ଭେଟ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ଏଥିପାଇଁ ଆଜି ଶ୍ରୀ ରେଡ୍ଡି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ଆନ୍ଧ୍ରର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସୁଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ରେ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଅପରାହ୍ନ ୪ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାଜ୍ୟ ଅତିଥି ଭବନ ଯିବେ। ସେଠାରେ କିଛି ସମୟ ବିଶ୍ରାମ ନେଇ ଲୋକସେବା ଭବନରେ ପହଞ୍ଚିବେ। ବୈଠକ ସରିଲା ପରେ ସେ ସିଧା ବିମାନବନ୍ଦର ଯାଇ ଆନ୍ଧ୍ର ଫେରିଯିବେ। ଶ୍ରୀ ରେଡ୍ଡିଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ୍‌ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ଆଜିର ବୈଠକ ପାଇଁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବେଶ୍‌ ଉତ୍ସୁକତା ପ୍ରକାଶ ପାଇଛି। ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ। ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ୍‌ ନିର୍ମାଣ ପ୍ରସଙ୍ଗ ଉପରେ ଆଲୋଚନା ଆନ୍ଧ୍ରପ୍ରଦେଶର ଫୋକସ୍‌ରେ ରହିଛି। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଛନ୍ତି। ନେରେଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ନେବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ଦ୍ବାରା ରାୟଗଡ଼ା ଓ ଗଜପତିରେ ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟ ଉପରେ କିଛିଟା ସ୍ପଷ୍ଟୀକରଣ ମାଗିଛନ୍ତି। ଫଳରେ ଟ୍ରିବ୍ୟୁନାଲଙ୍କ ରାୟ ଏ ଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହି ବିବାଦର ସମାଧାନ ସହ ଓଡ଼ିଶା ସରକାରଙ୍କୁ ମନାଇବା ପାଇଁ ଶ୍ରୀ ରେଡ୍ଡି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇ ପା‌ରନ୍ତି ବୋାଲି ଅନୁମାନ କରାଯାଉଛି। ସେହିପରି ପୋଲାଭରମ୍‌ ପ୍ରସଙ୍ଗ କୋର୍ଟଙ୍କ ବିଚାରାଧୀନ ରହିଛି। ଏହି ପ୍ରସଙ୍ଗରେ କିଛି ବୁଝାମଣା ହେବ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ।

The Hans India

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସମ୍ପର୍କ ଦିନକୁ ଦିନ ତିକ୍ତ ହେଉଥିଲା ‌ବେଳେ ସେହି ପ୍ରସଙ୍ଗ ବୈଠକରେ ଆଲୋଚନା ହେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସରକାର ଆଲୋଚନା ପାଇଁ ସେତେଟା ଆଗ୍ରହୀ ନ ଥିବା ଜଣାପଡ଼ିଛି। କିନ୍ତୁ ଓଡ଼ିଶା ସରକାର ଏହି ପ୍ରସଙ୍ଗ ଉଠାଇବାକୁ ରାଜ୍ୟର ସଚେତନ ନାଗରିକ ମହଲ‌ରେ ଦାବି ଉଠିଛି।

ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାକୁ ନେଇ ଟ୍ବିଟ୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା, ଭାଷା ଓ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି । ଏହି ବୈଠକରେ ସୀମା, ଭାଷା ଓ ଜଳ ବିବାଦ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ସେ ଦୃଷ୍ଟିରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ। ଗତ ସେପ୍ଟେମ୍ବର ୨୨ରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୀମା ବିବାଦ ଏବଂ ଗତ ଅକ୍ଟୋବର ୧ରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପତ୍ର ଲେଖିଥଲେ। ପରବର୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୀମା ବିବାଦ ବିଷୟରେ ଅବଗତ କରାଇଥିଲେ। ଗଣତନ୍ତ୍ରରେ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ଅନେକ ବିବାଦର ସମାଧାନ ହୋଇପାରିଛି। ଦୁଇ ରାଜ୍ୟ ମଧ୍ୟରେ ସର୍ବୋଚ୍ଚ ରାଜନୈତିକ ସ୍ତରରେ ହେଉଥିବା ଆଲୋଚନା ମାଧ୍ୟମରେ ସୀମା, ଭାଷା ଓ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨ ତାରିଖରେ ଏବଂ ଓଡ଼ିଶା ସୀମାବର୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର