ନବୀନଙ୍କ ମହିଳା କାର୍ଡ, ୩୩% ସଂରକ୍ଷଣ ସଂକଳ୍ପ ଗୃହୀତ

ଭୁବନେଶ୍ବର: ବିଜେପି ନା କେଂଗ୍ରସ କିଏ ବିେଜଡି ସହିତ ନିବିଡ, ଏମିତି କଳି ଲଗାଇଥିବା େବଳେ ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ହଠାତ୍ ମହିଳା କାର୍ଡ େଖଳିଛନ୍ତି। ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ(୩୩%) ସଂରକ୍ଷଣ ରହୁ। ଆଜି ସନ୍ଧ୍ୟାରେ ନବୀନଙ୍କ ଏହି ସଂକଳ୍ପକୁ ସବୁ ଦଳର ସଭ୍ୟମାନେ ସମର୍ଥନ ଜଣାଇଥିଲେ ଓ ବାଚନିକ ଭୋଟ୍‌ରେ ପାରିତ ହୋଇଥିଲା। ଦେଶରେ ଏଭଳି ସଂକଳ୍ପ ଆଣିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ। ସଂକଳ୍ପ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ବାରା ମହିଳା ସଶକ୍ତୀକରଣ ହୋଇପାରିବ। ମହିଳାମାନେ ହେଉଛନ୍ତି ଜନସଂଖ୍ୟାର ଅଧା। ରାଜ୍ୟ ଓ ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନରେ ରହି ଯଦି ସେମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ମିଳିବ, ତାହାହେଲେ ନୂତନ ଓଡ଼ିଶା ଦ୍ରୁତ ଗତିରେ ଆଗେଇ ପାରିବ। ଏଥିପାଇଁ ଓଡ଼ିଶା ସଂକଳ୍ପ ନେଉ। ସାରା ଦେଶକୁ ଦେଖାଉ ଯେ ଏଠାରେ ମହିଳା ବାସ୍ତବରେ ସଶକ୍ତ ଏବଂ ଜାତି ନିର୍ମାଣରେ ସେମାନଙ୍କର ଭୂମିକା ରହିଛି।

ଦେଶରେ ଅଗ୍ରଣୀ ରାଜ୍ୟ ଓଡ଼ିଶା
ବିଜେପି, କଂଗ୍ରେସର ବି ସମର୍ଥନ
ବିଜୁଙ୍କ ରାସ୍ତାରେ ନବୀନ
ମମତା, ଜୟନ୍ତୀଙ୍କ ନାଁ ନେଲେ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା କୋୟା ସଂପ୍ରଦାୟର ମମତା ପଡ଼ିଆମୀ ଓ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରାର ଜୟନ୍ତୀ ଏକ୍କାଙ୍କୁ ମନେ ପକାଇଥିଲେ। କହିଥିଲେ, ମମତାଙ୍କ ଦ୍ବାରା ଅନୁପ୍ରେରିତ ହୋଇ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ସେବା ନିମନ୍ତେ ଆର୍ଥିକ ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ଜୟନ୍ତୀ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ବେ ମେକ୍‌ ଇନ୍‌ ଓଡ଼ିଶାରେ ଯେପରି ବକ୍ତବ୍ୟ ଦେଇଥିଲେ ତାହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା। ସେମାନେ ଆଜି ଓଡ଼ିଶାବାସୀଙ୍କ ପାଇଁ ଗଭୀର ଆତ୍ମବିଶ୍ବାସ ଓ ଦୃଢ଼ପ୍ରତିଜ୍ଞାର ପରିଚୟ ସୃଷ୍ଟି କରିପାରିଛନ୍ତିି। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏକ ଐତିହାସିକ ପ୍ରସ୍ତାବ ଦର୍ଶାଇ ସେମାନଙ୍କ ସଶକ୍ତୀକରଣ ତାଙ୍କ ହୃଦୟର ନିକଟତର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏ ଦିଗରେ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି। ମିସନ ଶକ୍ତି, ମମତା, ବାଳିକା ଶିକ୍ଷା, ମିସନ ଶକ୍ତି ଜରିଆରେ ୧ ପ୍ରତିଶତ ସୁଧରେ ଋଣ, ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ୍‌, ମହିଳାଙ୍କ ନିମନ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭ ଲକ୍ଷ ଟଙ୍କାର ସୁବିଧା, ମହିଳାଙ୍କୁ ଜମି ଅଧିକାର ଆଦି ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ଆନ୍ଦୋଳନାତ୍ମକ ପରିବର୍ତନ ଆଣିଛି। ବିଜୁବ‌ାବୁଙ୍କ କଥା ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାସ୍ତବରେ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ େସ ଅପ୍ରତିଦ୍ବନ୍ଦ୍ବୀ ବ୍ୟକ୍ତିତ୍ବ। ମହିଳାଙ୍କ ପାଇଁ ପଞ୍ଚାୟତିରାଜ ଓ ପୌର ପରିଷଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସେ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ସଂକଳ୍ପକୁ ଗୃହର ସଭ୍ୟମାନେ ସର୍ବସମ୍ମତକ୍ରମେ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସରକାରଙ୍କୁ ସମାଲୋଚନା କରି କହିଥିଲେ, ଆଗକୁ ନିର୍ବାଚନ ଅଛି। ଏହାକୁ ଆଖି ଆଗରେ ରଖି ଏଭଳି ସଂକଳ୍ପ ଅଣାଯାଇଛି। ରାଜ୍ୟରେ ମହିଳାଙ୍କୁ ଦୁଷ୍କର୍ମ, ନାରୀ ନିର୍ଯାତନା ବଢ଼ୁଛି। ମାଆଙ୍କୁ ସମ୍ମାନ ଦେବାରେ ସରକାର ବିଫଳ। କଂଗ୍ରେସ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇଆସିଛି। ସରକାର ପ୍ରଥମେ ଘୋଷଣା କରନ୍ତୁ ଯେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍‌‌ ଦେବ। ଏହା ରାଜନୈତିକ ଚାଲ୍‌। ମହିଳାଙ୍କ ସ୍ଥାନ ସଂରକ୍ଷଣ ପାଇଁ କଂଗ୍ରେସ ପ୍ରସ୍ତୁତ କହି ସେ ପରୋକ୍ଷରେ ସମର୍ଥନ କରିଥିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଲେ ଯେ ଲୋକଙ୍କୁ ବୋକା ବନାଇବା ପାଇଁ ଏଭଳି ସଂକଳ୍ପ ଅଣାଯାଇଛି। ମୋଦୀ ସରକାର ମହିଳା ବିଲ୍‌ ଆଣିଛନ୍ତି। ତାହା ରାଜ୍ୟସଭାରେ ଅଟକିଛି। ସରକାର ବହୁ ବିଳମ୍ବରେ ଏଭଳି ସଂକଳ୍ପ ଆଣିଥିଲେ ବି ବିଜେପି ଏହାକୁ ସମର୍ଥନ କରୁଛି ବୋଲି ସେ କହିଥିଲେ। ଆଲୋଚନାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ବେଦପ୍ରକାଶ ଅଗ୍ରୱାଲା, ଡା. ରାସେଶ୍ବରୀ ପାଣିଗ୍ରାହୀ, ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ମହେଶ ସାହୁ, ପ୍ରଦୀପ ପୁରୋହିତ, ରବି ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବାଚନିକ ଭୋଟରେ ସଂକଳ୍ପ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର