ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ତାଙ୍କୁ ସ୍ୱାଗତ କରି ବିଜେଡିକୁ ସମର୍ଥନ ଜଣାଇଥିଲେ। ପାଣ୍ଡିଆନ ପଚାରିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି? ସମବେତ ଜନତା ‘ହଁ’ କହିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ପାଣ୍ଡିଆନ୍ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି। ଜନଜାତି ଭାଇଭଉଣୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦିଅନ୍ତି। ଅନ୍ୟ ରାଜ୍ୟମାନେ ଜନଜାତି ବଜେଟ କମାଇ କମାଇ ଚାଲିଛନ୍ତି। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜନଜାତି ବଜେଟକୁ ବଢ଼ାଇ ଚାଲିଛନ୍ତି। ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଅନ୍ୟ କୌଣସି ରାଜ୍ୟ ଏଭଳି କି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହା କରିନାହାନ୍ତି। ଜନଜାତି ସମ୍ପ୍ରଦାୟଙ୍କ ଉପରୁ ୫୦ ହଜାର ଛୋଟ, ବଡ଼ ମାମଲା ରଦ୍ଦ କରାଯାଇଛି।

Advertisment

ବିରୋଧୀଙ୍କୁ ଟାର୍ଗେଟ୍‌ କରି ସେ କହିଲେ ଯେ, ବିରୋଧୀ ବିଜେପି ନେତାମାନେ ଏଠାକୁ ଆସି ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ। ତେଣୁ ଆପଣମାନେ ଜାଣନ୍ତୁ, ଅନ୍ୟ ଯିଏ ଆସିଲେ ବିକାଶ କାମରେ ବାଧାସୃଷ୍ଟି ହେବ। ବିରୋଧୀଙ୍କୁ ପଚାରନ୍ତୁ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା? ଖାଇବା ତେଲ, ଡାଲି, ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମିଲା କି?
ମହିଳାମାନଙ୍କ ସଶକ୍ତୀକରଣ ବିଷୟ ଉପସ୍ଥାପନ କରି ସେ କହିଲେ ଯେ ମିସନ ଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି। କୌଣସି ରାଜ୍ୟ ସରକାର ମା’ମାନଙ୍କ ଯିବାଆସିବା ଭଡ଼ା ୫ ଟଙ୍କା କରିନାହାନ୍ତି। ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଦେଉଛନ୍ତି। ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି। ମିସନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ଦିଆଯିବ। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ. କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିସନଶକ୍ତି ମା’ ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ।

ଜନଜାତି ଭାଇଭଉଣୀଙ୍କ ଉନ୍ନତିକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦିଅନ୍ତି
ବିରୋଧୀଙ୍କୁ ପଚାରନ୍ତୁ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା?
ଖାଇବା ତେଲ, ଡାଲି, ପେଟ୍ରୋଲ, ଡିଜେଲ, ଏଲ୍‍ପିଜି ଦର କମିଲା କି?

ସେ ପୁଣି କହିଥିଲେ ଯେ କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି। ଏତେ ଭଲ କାମ ଦେଖି ବିରୋଧୀ ଦଳଙ୍କ ନିଦ ହଜିଗଲାଣି। ସେମାନେ ଏବେ ମିଛ କଥା କହି ଅପପ୍ରଚାର କରିବାକୁ ଲାଗିଛନ୍ତି। ଓଡ଼ିଶାରେ ବିକାଶର ଚିତ୍ର ରଖି ସେ କହିଲେ ଯେ ନବୀନ ବାବୁଙ୍କ ସରକାର ନିର୍ମାଣ କରିଥିବା ଆମ ହସ୍‍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି। ଏ ସବୁ ନୂଆ ଓଡ଼ିଶାର ନମୁନା। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟମାନେ ଭୋଟ ପାଇଁ କାମ କରନ୍ତି। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। ଏଭଳି ମହାନ ଜନନାୟକଙ୍କୁ ଆଶୀର୍ବାଦ କରନ୍ତୁ। କରଞ୍ଜିଆରେ ସେ କହିଲେ ଯେ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ଏବେ ଘରେ ଘରେ ପିଇବା ପାଣିର ସୁବିଧା, ଦେବକୁଣ୍ଡର ଉନ୍ନତି, ଅନେକ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି। ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପାଟଣାରେ ସେ କହିଲେ ଯେ ଏଠାରେ ମସ୍‌ଜିଦ ଓ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି। ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ଦିଆଯାଇଛି।

ତେଲକୋଇରେ ସେ କହିଲେ ଯେ ଗୁପ୍ତଗଙ୍ଗା ପାଇଁ ୨.୫୦ କୋଟି ଗୁଣ୍ଡିଚା ଘାଇ ପାଇଁ ୨୦ ଲକ୍ଷ, ଆଇ.ଟି.ଆଇ. ବିଲ୍‌ଡିଂ ପାଇଁ ୬.୫୦ କୋଟି ଦିଆଯାଇଛି। ତେଲକୋଇ ନିର୍ବାଚନମଣ୍ଡଳୀର ୮୦ଟି ରାସ୍ତା ନିର୍ମାଣ ପାଇଁ ୫୭୦ କୋଟି ଟଙ୍କା ଦିଆଯାଇଛି। କାଳିଆ ପଞ୍ଚାୟତ ହାଟ ସମସ୍ୟାର ସମାଧାନ କରାଯିବ। ହାତିମୁଣ୍ଡା ଜଳସେଚନ ପ୍ରକଳ୍ପ କରାଯିବ ଓ ସଲାଇ କେନାଲ ରାସ୍ତାର ମରାମତି ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଘଷିପୁରାରେ କହିଲେ ଯେ ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇ କାମ କରୁଛନ୍ତି । ଅନେକ ମଠ, ମନ୍ଦିର, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତି କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତୀ ହେମ୍ୱ୍ରମ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସରଦାର ଓ ଘଷିପୁରା ବିଧାୟକ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।