ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ରାସନ୍‌ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଅ

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ରାସନ୍‌ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଆଜି ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଓଡ଼ିଶାକୁ ୩,୨୬,୪୧,୮୦୦ ହିତାଧିକାରୀଙ୍କ ଟାର୍ଗେଟ୍‌ ଦିଆଯାଇଥିଲା। ଏହା ୨୦୧୧ ଜନଗଣନା ଅନୁଯାୟୀ ଲୋକସଂଖ୍ୟାର ୭୮ ପ୍ରତିଶତ। ଏହାକୁ ଓଡ଼ିଶା ସରକାର ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ଓ ନିୟମିତ ଭାବେ ହିତାଧିକାରୀଙ୍କୁ ରାସନ୍‌ ଯୋଗାଇ ଦିଆଯାଉଛି।

୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଗତ ଦଶନ୍ଧିରେ ଓଡ଼ିଶାର ଲୋକସଂଖ୍ୟାରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି। ଯଦି ଏହି ତଥ୍ୟକୁ ହିସାବକୁ ନିଆଯାଏ, ତେବେ ୨୦୧୧ ତୁଳନାରେ ୨୦୧୮ରେ ଲୋକସଂଖ୍ୟା ୧୦.୨୨ ପ୍ରତିଶତ ପଢ଼ିଛି। ୨୦୧୮ରେ ଓଡ଼ିଶାର ଲୋକସଂଖ୍ୟା ୪,୬୨,୬୩,୯୮୩ ବୋଲି ଆକଳନ କରାଯାଇଛି। ଏହି ଆକଳନ ଅନୁଯାୟୀ ଓଡ଼ିଶା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ୩,୬୦,୮୫,୯୦୭ ହିତାଧିକାରୀ ପାଇବା ପାଇଁ ହକ୍‌ଦାର।

ତେଣୁ ଓଡ଼ିଶାକୁ ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଫଳରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଆଇନ୍‌ରେ ଅନ୍ତର୍ଭୁକ୍ତ କରିହେବ। ଏହା ସହ ଲୋକସଂଖ୍ୟା ବୃଦ୍ଧିକୁ ନଜରରେ ରଖି ନିୟମିତ ବ୍ୟବଧାନରେ ହିତାଧିକାରୀଙ୍କ ସଂଖ୍ୟାକୁ ପରିବର୍ତ୍ତନ କରିବାକୁ ଏକ ବ୍ୟବସ୍ଥା ପ୍ରଚଳନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର