ଧାନ ସଂଗ୍ରହର ବକେୟା ସବ୍‌ସିଡି ତୁରନ୍ତ ଦିଅ, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ବିଳମ୍ବ ହେଉଥିବାରୁ ସୁଧ ବି ପ୍ରଦାନ କରିବାକୁ ଦାବି

ଭୁବନେଶ୍ବର : ଧାନ ସଂଗ୍ରହର ସବ୍‌ସିଡି ବାବଦକୁ କେନ୍ଦ୍ର ଉପରେ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ବାକି ପଡ଼ିଛି। ଅର୍ଥ ପ୍ରଦାନରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏଠାରେ ଯୋଗାଣ ନିଗମ ପରି ଧାନ ସଂଗ୍ରହ କରୁଥିବା ସଂସ୍ଥା ଋଣ ଭାରରେ ଭାରାକ୍ରାନ୍ତ ହେଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ସବ୍‌ସିଡି ଅର୍ଥ ପ୍ରଦାନ ପାଇଁ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାର ନିଜ ସଂସ୍ଥା ମାଧ୍ୟମରେ ଧାନ ସଂଗ୍ରହ କରୁଛନ୍ତି। ୨୦୧୫ ମସିହାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହୋଇଥିବା ବୁଝାମଣା ‌ଅନୁଯାୟୀ ଧାନ ସଂଗ୍ରହ କରୁଥିବା ସଂସ୍ଥା ଏହି କାର୍ଯ୍ୟ ପାଇଁ ଆଦୌ ଆର୍ଥିକ ବୋଝ ନେବ ନାହିଁ। ଧାନ ସଂଗ୍ରହ ପାଇଁ ଯେଉଁ ଖର୍ଚ୍ଚ ହେବ, ତାହାର ଆଗୁଆ ଆକଳନ କରାଯାଇ ପ୍ରତି ତିନି ମାସର ପ୍ରଥମ ମାସ‌ରେ ୯୦ ପ୍ରତିଶତ ସବ୍‌ସିଡି କେନ୍ଦ୍ର ଦେବ। ପରବର୍ତ୍ତୀ ସମୟରେ ଅଗ୍ରୀମ ଅର୍ଥକୁ କଟାଯାଇ ପ୍ରୋଭିଜିନାଲ୍‌ ସବ୍‌ସିଡି ଧାନ ସଂଗ୍ରହକାରୀ ସଂସ୍ଥାକୁ ପ୍ରଦାନ କରାଯିବ। କିନ୍ତୁ ଅଗ୍ରୀମ ଓ ପ୍ରୋଭିଜିନାଲ୍‌ ସବ୍‌ସିଡି ପ୍ରଦାନରେ ଅନିୟମିତତା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ନିୟମିତ ଭାବେ ବିନିଯୋଗ ପ୍ରମାଣପତ୍ର(ୟୁସି) ଦେଉଥିଲେ ବି କେନ୍ଦ୍ର ଅର୍ଥ ଦେଉ ନାହିଁ। ସବ୍‌ସିଡି ପ୍ରଦାନରେ ବିଳମ୍ବ ଯୋଗୁ ରାଜ୍ୟ ଯୋଗାଣ ନିଗମ ୨୦୧୭-୧୮ ମସିହାରୁ ୨୧୨୩ କୋଟି ଟଙ୍କା ପାଇବାକୁ ଅଛି। ଏହା ବାଦ୍ ସେପ୍ଟମ୍ବର ୩୦ ସୁଦ୍ଧା ଅଗ୍ରୀମ ସବ୍‌ସିଡି ୧୩୪୫ କୋଟି ମିଳିବାକୁ ଅଛି। ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସୁଧ ବାବଦ ଅର୍ଥକୁ କେନ୍ଦ୍ର ସରକାର ଭରଣା କରିବା ଉଚିତ।

ତେଣୁ ମନ୍ତ୍ରୀ ନିଜେ ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ସମସ୍ତ ବକେୟା ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଏହା ସହ କେନ୍ଦ୍ର-ରାଜ୍ୟ ବୁଝାମଣା ଅନୁଯାୟୀ ଅଗ୍ରୀମ ଓ ପ୍ରୋଭିଜିନାଲ୍‌ ସବ୍‌ସିଡି ନିୟମିତ ଭାବେ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତ।

ସମ୍ବନ୍ଧିତ ଖବର