ଭୁବନେଶ୍ୱରରେ ଖୋଲୁ ସି-ଡାକ୍ ଆଞ୍ଚଳିକ କେନ୍ଦ୍ର
କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ / ଆଜି ଆସୁଛନ୍ତି ରବିଶଙ୍କର ପ୍ରସାଦ
ଭୁବନେଶ୍ୱର : କେନ୍ଦ୍ର ଆଇନ୍ ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ଏହି ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏକ ଚିଠି ଲେଖି ରାଜ୍ୟର ଦାବି ରଖିଛନ୍ତି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ରାଜ୍ୟରେ ବିପୁଳ ସମ୍ଭାବନା ଥିବାରୁ ଓଡ଼ିଶାରେ ‘ସି-ଡାକ୍’(ସେଣ୍ଟର୍ ଫର୍ ଡେଭଲପ୍ମେଣ୍ଟ୍ ଅଫ୍ ଆଡ୍ଭାନ୍ସ୍ଡ୍ କମ୍ପ୍ୟୁଟିଂ)ର ଆଞ୍ଚଳିକ କେନ୍ଦ୍ର ଖୋଲିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ବେଶ୍ ଗୁରୁତ୍ୱ ବହନ କରୁଛି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରର ଦ୍ରୁତ ଗତିରେ ବିକାଶ ହେଉଛି। ଏହି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ରାଜଧାନୀ ନିକଟରେ ସ୍ୱତନ୍ତ୍ର ଇଲେକ୍ଟ୍ରୋନିକ୍ ପାର୍କ କରିଛନ୍ତି। ଏଠାରେ ସମସ୍ତ ଅତ୍ୟାଧୁନିକ ଭିତ୍ତିଭୂମି ଓ ଗବେଷଣା ସୁଯୋଗ ରହିଛି। ରାଜ୍ୟ ମଧ୍ୟ ଦୁଇଟି ଦୁଇଟି ଆଇଟି ଏସ୍ଇଜେଡ୍ ପାଇଛି, ଯେଉଁଠାରୁ କି ପ୍ରମୁଖ ଆଇଟି କମ୍ପାନିମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ନିକଟ ଅତୀତରେ ଆଇଆଇଟି, ଆଇଆଇଏମ୍, ଏମ୍ସ୍, ନାଇଜର୍ ପରି ଜାତୀୟ ସ୍ତରର ଅନୁଷ୍ଠାନ ଓଡ଼ିଶାରେ ଖୋଲିଛନ୍ତି। ବିଟ୍ସ୍ ପରି ଅନୁଷ୍ଠାନ ମଧ୍ୟ ଓଡ଼ିଶାରେ ତା’ର ଶାଖା ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରିଛି। ଏହା ବାଦ୍ ବୁର୍ଲାର ଭିଏସ୍ଏସ୍ ବୈଷୟିକ ବିଶ୍ୱବିଦ୍ୟାଳୟରେ ‘ସି-ଡାକ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା କରାଯାଇଛି। ରାଜ୍ୟର ଅନ୍ୟ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କଲେଜରେ ଏହିପରି କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ସି-ଡାକ୍ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ବେଶ୍ ଗୁରୁତ୍ୱ ବହନ କରୁଛି। ଏହି କେନ୍ଦ୍ର ରାଜ୍ୟ ତଥା ଜାତୀୟ ଗୁରୁତ୍ୱ ରଖୁଥିବା ସମସ୍ୟାର ସମାଧାନ ପାଇଁ ଗବେଷକ, ଅଧ୍ୟାପକ ତଥା ଛାତ୍ରଛାତ୍ରୀଙ୍କୁ ଗଢ଼ିପାରିବ। ଓଡ଼ିଶା ଏକ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଉଚ୍ଚ ଦକ୍ଷତାସମ୍ପନ୍ନ କମ୍ପ୍ୟୁଟିଂ ବ୍ୟବସ୍ଥାର ପ୍ରୟୋଗ ହିଁ ପାଣିପାଗ ଆକଳନ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହାୟକ ହୋଇପାରିବ। ତେଣୁ ପ୍ରସ୍ତାବର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଭୁବନେଶ୍ୱରରେ ଏହି କେନ୍ଦ୍ର ଖୋଲିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ଏବେ ଦେଶରେ ମୋଟ୍ ୧୧ଟି ସି-ଡାକ୍ କେନ୍ଦ୍ର ରହିଛି। ପୂର୍ବାଞ୍ଚଳରେ କେବଳ କେବଳ କୋଲ୍କାତାରେ ଗୋଟିଏ କେନ୍ଦ୍ର ରହିଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ ୧୯୮୮ ମସିହାରୁ କାମ କରୁଥିବା ‘ସି-ଡାକ୍’ ଆଇଟି, ଇଲେକ୍ଟ୍ରୋନିକ୍ସ ଓ ଏହି ସମ୍ପର୍କିତ ବିଷୟ ଉପରେ ଗବେଷଣା ଓ ବିକାଶ ଦିଗରେ କାର୍ଯ୍ୟରତ।