ଭୁବନେଶ୍ୱର : ଆସନ୍ତା ଖରିଫ ଋତୁରେ ଏଫ୍ସିଆଇ ଦ୍ବାରା ଓଡ଼ିଶାରୁ ବଳକା ଉଷୁନା ଚାଉଳ ସଂଗ୍ରହ କରିବା ଉପରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପ୍ରତିବନ୍ଧକ ଲଗାଇଛି। ଏହାକୁ ତୀବ୍ର ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ରବିବାର ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ଘଟଣାରେ ହସ୍ତକ୍ଷେପ କରି ବଳକା ଚାଉଳ ସଂଗ୍ରହ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ୨୦୦୩-୦୪ ମସିହାରୁ ରାଜ୍ୟ ସରକାର ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ଏମ୍ଏସ୍ପି ଦେଇ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଛନ୍ତି। ଏହା ଦ୍ବାରା ଚାଷୀଙ୍କୁ ଠିକ୍ ସମୟରେ ସେମାନଙ୍କ ଉତ୍ପାଦର ଏମ୍ଏସ୍ପି ମିଳିପାରୁଛି। ଏହି ସଂଗୃହୀତ ଧାନରୁ ବାହାରୁଥିବା ଚାଉଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ କେନ୍ଦ୍ର ସରକାରଙ୍କ ଅନ୍ୟ କଲ୍ୟାଣକାରୀ ଯୋଜନାରେ ବ୍ୟବହାର ହେଉଛି। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ)କୁ ଦିଆଯାଉଛି। ୨୦୨୦-୨୧ ଖରିଫ ଋତୁରେ ୧୪ ଲକ୍ଷ ଚାଷୀ ୭୭.୩୩ ମେଟ୍ରିକ୍ ଟନ୍ ଧାନ(ପ୍ରାୟ ୫୨.୩୫ ମେଟ୍ରିକ୍ ଟନ୍ ଚାଉଳ) ବିକ୍ରି କରିଥିଲେ। ସେହି ଚାଷୀମାନଙ୍କୁ ଏମ୍ଏସ୍ପି ବାବଦକୁ ୧୪,୪୪୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଧାନ ବିକ୍ରି କରିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ୍କୁ ସିଧାସଳଖ ଟଙ୍କା ଦିଆଯାଇଥିଲା। ଏହା ଦ୍ବାରା କେବଳ ଚାଷୀମାନେ ଉପକୃତ ହୋଇନାହାନ୍ତି, ବରଂ କୋଭିଡ୍ ସମୟରେ ରାଜ୍ୟର ଗ୍ରାମ୍ୟ ଅର୍ଥନୀତି ମଜବୁତ୍ ହୋଇଛି।
/sambad/media/post_attachments/wp-content/uploads/2021/02/sona-massuri-rice-500x500-2.png)
ଗତ ଅଗଷ୍ଟ ୩୧ ତାରିଖରେ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଆସନ୍ତା ଖରିଫ ଋତୁରେ ଏଫ୍ସିଆଇ ଦ୍ବାରା ଓଡ଼ିଶାରୁ ବଳକା ଉଷୁନା ଚାଉଳ ସଂଗ୍ରହ କରାଯିବନି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧-୨୨ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ବିଭିନ୍ନ ଯୋଜନାରେ ଓଡ଼ିଶାକୁ ମୋଟ୍ ୨୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଆବଶ୍ୟକତା ରହିଛି। ତେଣୁ ରାଜ୍ୟର ୨୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହିବ। ତାହା ମଧ୍ୟରୁ ୪ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ। ତେଣୁ ଓଡ଼ିଶାର ସିଧାସଳଖ ୨୪ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ବଳକା ରହିବ, ଯାହା କି ଏଫ୍ସିଆଇ ଦ୍ବାରା ଉଠାଇବାର ଆବଶ୍ୟକତା ରହିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ନିଷ୍ପତ୍ତି ଓଡ଼ିଶାରୁ ବଳକା ଚାଉଳ ଉଠାଇବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡିଏଫ୍ପିଡିର ପ୍ରତିବନ୍ଧକ ପାଇଁ ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠା ନ ଗଲେ ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଏହାଦ୍ବାରା ୧୦ ଲକ୍ଷ ଚାଷୀ ପ୍ରଭାବିତ ହେବେ। ତେଣୁ ୨୦୨୧-୨୨ ଖରିଫ ଋତୁରେ ବଳକା ଉଷୁନା ଚାଉଳ ସଂଗ୍ରହ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/naveen-patnaik-news-18.jpg)