କର୍ମକର୍ତ୍ତାଙ୍କୁ ଚିଠି ଲେଖିଲେ ନବୀନ: ପଦଯାତ୍ରାକୁ ସଫଳ କରାଅ
ପର୍ବପର୍ବାଣୀରେ ବନ୍ଦ ରହିବ ପଦଯାତ୍ରା, ସବୁ କାର୍ଯ୍ୟକ୍ରମର ରିପୋର୍ଟ ନବୀନଙ୍କ ପାଖକୁ ଆସିବ
ଭୁବନେଶ୍ବର : ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ଏକ ମାସବ୍ୟାପୀ ଚାଲିବ। ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ଦଳର ରାଜ୍ୟ କର୍ମକର୍ତ୍ତା, ସାଂସଦ, ବିଧାୟକଙ୍କ ସମେତ ଜିଲ୍ଲା, ବ୍ଲକ୍ ଓ ନଗର ସଭାପତିମାନଙ୍କୁ ଚିଠି ଲେଖିଛନ୍ତି। ଲୋକଙ୍କ ସହ ମିଶି ପଦଯାତ୍ରାକୁ ସଫଳତାର ସହ ଆୟୋଜନ କରିବାକୁ ଆହ୍ବାନ ଦେଇଛନ୍ତି। ପଦଯାତ୍ରାକୁ କିପରି ଆୟୋଜନ କରାଯିବ ତାହାର ବିସ୍ତୃତ ସୂଚନା ମଧ୍ୟ ସେ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ଗୋପବନ୍ଧୁ ଜୟନ୍ତୀ ଓ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ପାଳନ ସହିତ ଏ ବର୍ଷର ଜନସମ୍ପର୍କ ପଦଯାତ୍ରା ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଓ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ। ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଓ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ/ବିଧାୟିକା ପ୍ରାର୍ଥୀ ଏବଂ ଜିଲ୍ଲା ସ୍ତରରେ ସଂପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରାଇବେ। ଦଳର ମହିଳା, ଯୁବ ଓ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ‘ଜନସମ୍ପର୍କ ପଦଯାତ୍ରା’ରେ ଯୋଗ ଦେବେ। ଏହା ସହିତ ସଂପୃକ୍ତ ଅଞ୍ଚଳର ଜନସାଧାରଣ ଓ ଦଳୀୟ କର୍ମୀ ଯେଭଳି ବହୁ ସଂଖ୍ୟାରେ ପ୍ରତ୍ୟେକ ସ୍ଥାନରେ ଯୋଗ ଦିଅନ୍ତି, ତାହା ସୁନିଶ୍ଚିତ କରିବେ।
ପଦଯାତ୍ରା ଅବଧି ମଧ୍ୟରେ ପଢ଼ୁଥିବା ପ୍ରମୁଖ ପର୍ବପର୍ବାଣୀ ଦିନ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରତ୍ୟେକ ସ୍ଥାନରେ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସେହି ଅଞ୍ଚଳର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କ ଫଟୋଚିତ୍ର କିମ୍ବା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ପଦଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜେଡି ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରାଯିବ। ନଭେମ୍ବର ୨ ତାରିଖ ଅର୍ଥାତ ଶେଷ ଦିନ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ରାଜ୍ୟର ଉନ୍ନତି ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ‘ସମୂହ ଶପଥପାଠ’ କରାଯିବ। ମାସେବ୍ୟାପୀ କରାଯାଇଥିବା ସମସ୍ତ କାର୍ଯ୍ୟର ବିବରଣୀ ତାଙ୍କ ଅବଗତି ନିମନ୍ତେ ପଠାଇବା ପାଇଁ ଶ୍ରୀ ପଟ୍ଟନାୟକ କହିଛନ୍ତି।