ନବୀନବାବୁ ପଦ୍ମପୁରକୁ ଜିଲ୍ଲା କରିବେ: ପାଣ୍ଡିଆନ

୫ ବିଧାନସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ସଭା ଓ ରୋଡ ସୋ’

ବରଗଡ: ବିଜେଡି ନେତା ଭି.କେ ପାଣ୍ଡିଆନ ଆଜି ବରଗଡ ଗସ୍ତରେ ଆସି ୫ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । ପଦ୍ମପୁର, ବିଜେପୁର, ଭେଡେନ, ସୋହେଲାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ସହ ବରଗଡ ସହରରେ ରୋଡ ସୋ’ କରିଛନ୍ତି । ସବୁ ନିର୍ବାଚନୀ ସଭାରେ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ଶ୍ରୀ ପାଣ୍ଡିଆନ। ପ୍ରଥମେ ପଦ୍ମପୁର ସଭାରେ ଯୋଗଦେଇ ଜିଲ୍ଲା ଦାବି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ମା’ ସମଲେଇଙ୍କ ପ୍ରକଳ୍ପ, ସବୁ କାମ ବନ୍ଦ ଓ ବିଳମ୍ବ କରିବାକୁ ଚକ୍ରାନ୍ତ କରୁଛନ୍ତି। ହାଇକୋର୍ଟ, ସୁପ୍ରିମକୋର୍ଟ ସବୁଠି କେସ୍‌ କଲେ। କାମକୁ ଅଟକାଇ ପାରିଲେ ନାହିଁ। ମୁଖ୍ୟମନ୍ତ୍ରୀ ଯାହା ଭଲ କାମ କଲେ ବିରୋଧୀ ସହିପାରୁ ନାହାନ୍ତି। ପଦ୍ମପୁର ଜିଲ୍ଲା କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। କ୍ୟାବିନେଟ୍‌ରେ ସଂକଳ୍ପ ପ୍ରସ୍ତୁତ ହେଲା। ବିଜ୍ଞପ୍ତି ବି। ଜାଗା ଚିହ୍ନଟ ହୋଇ ଜଣେ ଆଇଏଏସଙ୍କୁ ନିଯୁକ୍ତି ଦିଆଗଲା । କିନ୍ତୁ ପଦ୍ମପୁରର ଜଣେ ନେତା ଯିଏ ଏବେ ପ୍ରାର୍ଥୀ ହୋଇଛନ୍ତି, ତାଙ୍କ ପରାମର୍ଶରେ ହାଇକୋର୍ଟରେ କେସ୍‌ କରାଯାଇ ଏହି ପ୍ରକ୍ରିୟା ବନ୍ଦ କରାଗଲା। ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନେ ଏଭଳି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସ୍ୱଭାବକବିଙ୍କ ପାଇଁ କେତେ ଟଙ୍କା କେନ୍ଦ୍ରମନ୍ତ୍ରୀ ଖର୍ଚ୍ଚ କରିଛନ୍ତି?
କେନ୍ଦୁପତ୍ରରୁ ଜିଏସ୍‌ଟି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ
ଏମ୍‌ଏସ୍‌ପି ଦୁଇ ଗୁଣା ପ୍ରତିଶ୍ରୁତି କୁଆଡ଼େ ଗଲା?

ଶ୍ରୀ ପାଣ୍ଡିଆନ କହିଥିଲେ, କେନ୍ଦୁପତ୍ର ଜିଏସ୍‌ଟି ଉଠାଇବାକୁ ବହୁବାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସତ୍ତ୍ବେ ସେମାନେ ଶୁଣୁନାହାନ୍ତି। ରାଜ୍ୟ ସରକାର ଜିଏସ୍‌ଟି ଉଠାଇବା ସହ ବୋନସ ୨୫ ରୁ ୫୦ ପ୍ରତିଶତ କଲେ ବୋଲି କହିଥିଲେ । ସେହିପରି ବିଜେପୁର ସଭାରେ ସେ କହିଥିଲେ, ଖାଦ୍ୟ ସୁରକ୍ଷାରେ ବରଗଡ଼ର ଭୂମିକା ଅଧିକ । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଆଜି ସଫଳ ହୋଇଛି । ଯେତେ ଗାଁ ବାକି ଅଛି ତାହା ବି ପ୍ରକଳ୍ପରେ ସାମିଲ କରାଯିବ। ସରକାର କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥଳୀର ଉନ୍ନତୀକରଣ କରୁଛନ୍ତି । କିନ୍ତୁ କବି ଗଙ୍ଗାଧର ମେହେରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟଙ୍କାଟିଏ ହେଲେ ଖର୍ଚ୍ଚ କରିଛନ୍ତି କି ବୋଲି ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଏବେ ୨୦୨୪ରେ ପୁଣି କହୁଛନ୍ତି । ଯାହା ୧୦ ବର୍ଷ ଭିତରେ ହେଲା ନାହିଁ, ଆଉ ପୁଣି କେବେ ହେବ? ଚାଷୀଙ୍କ ଫସଲ ବୀମା ପାଇଁ କେନ୍ଦ୍ର ସରକାର ପ୍ରିମିୟମ୍‌ ମାଗୁଛନ୍ତି । କିନ୍ତୁ ନବୀନ ସରକାର ଚାଷୀଙ୍କ ପ୍ରିମିୟମ ଟଙ୍କା ଦେଇ ବୋଝ ହାଲକା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଫସଲ ବୀମାକୁ ସରଳ କରିବେ କହି କୁମ୍ଭୀର କାନ୍ଦଣା କାନ୍ଦିଲେ, କିନ୍ତୁ କିଛି କଲେ ନାହିଁ । ବିରୋଧୀ ସବୁବେଳେ ନିଜେ କାମ କରିବେ ନାହିଁ କି କାହାକୁ କରାଇଦେବେ ନାହିଁ ବୋଲି କହିଥିଲେ ।

ଭଟଲି ସଭାରେ ସେ କହିଥିଲେ, ପଡ଼ୋଶୀ ଛତିଶଗଡରେ ଡବଲ ଇଞ୍ଜିନ ସରକାର ନକ୍ସଲ ସମସ୍ୟା ସମାଧାନ କରିପାରୁନି । ଗୁଳି ଫୁଟୁଛି । କିନ୍ତୁ ଓଡ଼ିଶାରେ ନବୀନ ଇଞ୍ଜିନ ସରକାର ବିକାଶ ଜରିଆରେ ନକ୍ସଲ ସମସ୍ୟା ଦୂର କରିଛି ଓ ଏଠି ଶାନ୍ତି ଅଛି । ନବୀନ ସରକାର ପ୍ରତି ପଂଚାୟତକୁ କୋଟିଏ ଲେଖାଏଁ ଦେଉଛନ୍ତି । ଶେଷରେ ସଂଧ୍ୟାରେ ବରଗଡ଼ ସହରରେ ରୋଡ ସୋ’ରେ ପାଣ୍ଡିଆନ ପ୍ରଚାର କରିଥିଲେ । ଅନୁଷ୍ଠିତ ନିର୍ବାଚନୀ ସଭା ଓ ରୋଡ ସୋ’ କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ର, ପଦ୍ମପୁର ବିଧାନସଭା ପ୍ରାର୍ଥୀ ବର୍ଷା ସିଂ ବରିହା, ଅତାବିରା ବିଧାନସଭା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାନସଭା ପ୍ରାର୍ଥୀ ରୀତା ସାହୁ, ଭଟଲି ବିଧାନସଭା ପ୍ରାର୍ଥୀ ସୁଶାନ୍ତ ସିଂ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର