ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇଛନ୍ତି। କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶା ମଧ୍ୟ କରୋନାର କଡ଼ା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆନ୍ୟମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ ହାର ବଢ଼ୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଥିସହିତ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଏହି ସଙ୍କଟ ସମୟରେ ଆପଣମାନେ ଲୋକଙ୍କ ସାଥୀରେ ରୁହନ୍ତୁ। ଆମର କୋଭିଡ ଯୋଦ୍ଧାମାନଙ୍କୁ ସହଯୋଗ କରନ୍ତୁ। ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ। ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ। ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି। ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରନ୍ତୁ।
ଆପଣମାନେ ଜାଣି ଖୁସି ହେବେ ଯେ ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଗଲା। ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ହେବ। ମୋର ଅନୁରୋଧ ଆପଣମାନେ ନିଜେ ଯତ୍ନବାନ ରୁହନ୍ତୁ ଏବଂ ଲୋକଙ୍କୁ ସଚେତନ କରାନ୍ତୁ। କୋଭିଡ ଯୋଗୁଁ ଅନ୍ୟ ରାଜ୍ୟରେ ଥିବା ଆମର ୧୦ଲକ୍ଷ ଭାଇଭଉଣୀ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ। ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଭାଇଭଉଣୀମାନେ ଯେପରି ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣ କରିପାରିବେ ସେଥିରେ ଆପଣ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି। ଲୋକଙ୍କ ଅସୁବିଧା ସମୟରେ ଆପଣ ଲୋକଙ୍କ ସାଥୀରେ ରୁହନ୍ତୁ। ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ। ବର୍ତ୍ତମାନ କେବଳ ସାରା ଓଡ଼ିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ଵାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧କୋଟି ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କାରେ ସ୍ୱୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣା ଯାଇ ପାରିବ।
ଜେଇଇ-ନିଟରେ ପିଲାମାନେ ଯେଭଳି ଭଲଭାବେ ପରୀକ୍ଷାଦେବେ ସେଥିପାଇଁ ସବୁ ବିଧାୟକ ପରୀକ୍ଷାର୍ଥୀମାନଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ସବୁଠାରୁ ଆଗରେ ଅଛି। କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ରାଜ୍ୟରେ ଆରୋଗ୍ୟହାର ବଢୁଛି ଓ ମୃତ୍ୟୁହାର କମ ରହିଛି। ତେଣୁ ଏହି ସଙ୍କଟ ସମୟରେ ଲୋକଙ୍କ ସାଥିରେ ରହିବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/26-17-750x430-copy.jpg)