ଅଫିସରଙ୍କୁ ନବୀନଙ୍କ ପରାମର୍ଶ, ଜନକଲ୍ୟାଣକୁ ଗୁରୁତ୍ୱ ଦିଅ

ଭୁବନେଶ୍ୱର : ଫାଇଭ-ଟି ମାଧ୍ୟମରେ ଲୋକଙ୍କ କଲ୍ୟାଣରେ ବିଶ୍ୱାସ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବ,ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ଡିଜି ଓ ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ବରିଷ୍ଠ ଅଧିକାରୀଙ୍କ ସହ ସହ ବୈଠକ କରି ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯାହାକି ଓଡ଼ିଶାକୁ ଆନ୍ତର୍ଜାତିକ ମାନଦଣ୍ଡ ଅନୁରୂପ କରାଇପାରିଛି। ବିପର୍ଯ୍ୟୟ ପରିଚାଳନା, ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଓ ରାଜ୍ୟରୁ ନକ୍ସଲଙ୍କ ପ୍ରଭାବ ହ୍ରାସ ମାଧ୍ୟମରେ ଓଡ଼ିଶା ଏବେ ସମଗ୍ର ଦେଶରେ ସ୍ୱୀକୃତି ଲାଭ କରିଛି । ତେଣୁ ସମସ୍ତ ସରକାରୀ କଳ ଫାଇଭ-ଟି’କୁ ସାମିଲ କରି ରାଜ୍ୟରେ କାର୍ଯ୍ୟକାରୀ କରାଇବା ଉଚିତ୍। ସେହିପରି ଗ୍‌ହନିର୍ମାଣ, ଶକ୍ତି, ଉଚ୍ଚଶିକ୍ଷା, ସ୍ବାସ୍ଥ ଆଦି କ୍ଷେତ୍ରରେ ଫାଇଭ-ଟି ପାଳନ ପାଇଁ ନବୀନ ପରାମର୍ଶ ଦେଇଛନ୍ତି ।
ନାଗରିକକୈଦ୍ରିକ ଶାସନ ପ୍ରଦାନ ପାଇଁ ଏବଂ ଉତ୍ତରଦାୟିତ୍ୱ ପ୍ରକ୍ରିୟାରେ ସୁଧାର ଆଣିବା ନିମନ୍ତେ ଜିଲ୍ଲା ଏସପି ଓ ଭାରତୀୟ ଜଙ୍ଗଲ ସେବା ଅଧିକାରୀମାନେ (ଅତିରିକ୍ତ ପିସିସିଏଫ ଓ ତଦୁର୍ଦ୍ଧ୍ୱ ଅଫିସର) ନିଜର ବାର୍ଷିକ ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟକୁ ଏଣିକି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଅଫିସରମାନଙ୍କ ଏହି ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟରେ ଫାଇଭ-ଟି କାର୍ଯ୍ୟକାରୀ କରିବା ପାଇଁ ୨୦ ପ୍ରତିଶତ ମାର୍କ ବ୍ୟବସ୍ଥା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର