ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିବେ ବିଜେଡିର ୫୦ ବିଧାୟକ। ବିଧାନସଭାରେ ‌େଯଉଁଦିନ ଯେଉଁ ବିଭାଗର ଆଲୋଚନା ହେବ ସେହିଦିନ ସେହି ବିଭାଗ ଦାୟିତ୍ବରେ ଥିବା ବିଜେଡିର ବିଧାୟକ ଆଲୋଚନାରେ ସକ୍ରିୟ ଭାଗ ନେବେ। ରାଜ୍ୟବାସୀଙ୍କ ହକ୍ ପ୍ରସଙ୍ଗ ଉଠାଇବେ। ଏହି ଲକ୍ଷ୍ୟରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡିର ୫୦ଜଣ ବିଧାୟକଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବାଣ୍ଟିଛନ୍ତି।

Advertisment

ନିକଟ‌ରେ ବ୍ରିଟେନ୍‌ର କଞ୍ଜେରଭେଟିଭ୍ ପାର୍ଟି ନିର୍ବାଚନରେ ପରାଜୟ ପରେ ଦଳର ନେତା ଋଷି ସୁନକଙ୍କ ନେତୃତ୍ୱରେ ବିରୋଧୀ ଦଳ ‘ଛାୟା କ୍ୟାବିନେଟ’ ଗଠନ କରିଛି। ସେହିଭଳି ନବୀନ ଆଜି ୫୦ଜଣ ବିଧାୟକଙ୍କୁ ନେଇ ଛାୟା କ୍ୟାବିନେଟ୍ ଗଠନ କରିଥିବା କୁହାଯାଉଛି। ବିଜେଡିର ଏହି ଯୋଜନା ନେଇ ଦଳ କହିଛି ଯେ ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟ୍ଟନାୟକ ଏହି ଯୋଜନା କରିଛନ୍ତି। ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ କରି ବିରୋଧୀ ଦଳ ପକ୍ଷରୁ ଏହିପରି ବିଭାଗ ବଣ୍ଟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ଯେ ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଯାଇଥିଲେ ବି ସବୁ ବିଭାଗର ଟିକିନିଖ ଖବର ରଖିବାକୁ ବିଧାୟକମାନଙ୍କ ମଧ୍ୟରେ ବିଭାଗ ବାଣ୍ଟିଛନ୍ତି। ସବୁ ବିଭାଗର ସବୁ ଯୋଜନାକୁ ବିଧାୟକମାନେ ଅନୁଧ୍ୟାନ କରିବେ ଏବଂ ଏହାର ତ୍ରୁଟିବିଚ୍ୟୁତି କାଢ଼ି ଗଠନମୂଳକ ସମାଲୋଚନା କରିବେ।

ବିଜେଡି କହିଛି, ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏପରି ପଦକ୍ଷେପ ନିଆଯାଇଛି। ଏହାଦ୍ବାରା ବିରୋଧୀ ବିଜେଡିକୁ ଅଧିକ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ। ନବୀନଙ୍କ ସ୍ବାକ୍ଷରରେ ଜାରି ହୋଇଥିବା ତାଲିକାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ସଂସଦୀୟ ବ୍ୟାପାର, ବଦ୍ରି ନାରାୟଣ ପାତ୍ର ଓ ମନୋରମା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ରମାକାନ୍ତ ଭୋଇଙ୍କୁ ବି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅଶ୍ୱିନୀ କୁମାର ପାତ୍ରଙ୍କୁ ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅରୁଣ କୁମାର ସାହୁଙ୍କୁ ଜଳ ସମ୍ପଦ, ସାରଦା ପ୍ରସାଦ ନାୟକଙ୍କୁ ଶିଳ୍ପ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ଓ ସାଧାରଣ ଉଦ୍ୟୋଗ, ବ୍ରଜ କିଶୋର ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜେନ୍ଦ୍ର ଢୋଲକିଆ ଓ ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ମନୋହର ରନ୍ଧାରୀ, ଯୋଗେଶ କୁମାର ସିଂହ, ଚକ୍ରମଣି କହଁରଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ବ୍ୟୋମକେଶ ରାୟ ଓ ଅଭିମନ୍ୟୁ ସେଠୀଙ୍କୁ ପୂର୍ତ୍ତ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ୱର ବେହେରାଙ୍କୁ ଇସ୍ପାତ ଓ ଖଣି, ବର୍ଷା ସିଂହ ବରିହା ସୁଜାତା ସାହୁଙ୍କୁ ମିସନ ଶକ୍ତି, ସନାତନ ମହାକୁଡ଼ଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏମ୍‌ଏସ୍‌ଏମ୍‌ଇ, କଳିକେଶ ନାରାୟଣ ସିଂହଦେଓଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପ୍ରଦୀପ କୁମାର ଦିଶାରୀଙ୍କୁ ଅନୁସୂଚିତ ଜାତି ବ୍ୟାପାର, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଗ୍ରାମ୍ୟ ଉନ୍ନୟନ, ସୌଭିକ ବିଶ୍ୱାଳଙ୍କୁ ଏସ୍‌ଏସ୍‌ଇପିଡି, ପ୍ରଶାନ୍ତ ବେହେରାଙ୍କୁ ଅବକାରୀ, ଧ୍ରୁବଚରଣ ସାହୁ ଓ ସୁନିଲ କୁମାର ମହାନ୍ତିଙ୍କୁ ପର୍ଯ୍ୟଟନ, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅନନ୍ତ ନାରାୟଣ ଜେନାଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସୁଶାନ୍ତ କୁମାର ରାଉତଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର, ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ବାଣିଜ୍ୟ ଓ ପରିବହନ, ରମେଶ ଚନ୍ଦ୍ର ବେହେରାଙ୍କୁ ଉଚ୍ଚ ଶିକ୍ଷା, ରୋହିତ ଯୋଶେଫ ତିର୍କୀଙ୍କୁ ସଂଖ୍ୟାଲଘୁ ବ୍ୟାପାର, ସୁଦର୍ଶନ ହରିପାଲଙ୍କୁ ହସ୍ତତନ୍ତ, ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଯୋଜନା ଓ ସଂଯୋଜନ, ଗୌତମ ବୁଦ୍ଧ ଦାସଙ୍କୁ ସୂଚନା ଓ ଲୋକ ସଂପର୍କ, ସୁବାସିନୀ ଜେନାଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ମାଧବ ଧଡ଼ାଙ୍କୁ ବିଜ୍ଞାନ ଓ ବୈଷୟିକ, ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଶ୍ରମ ଓ ଇଏସ୍‌ଆଇ, ନଳିନୀକାନ୍ତ ପ୍ରଧାନ ଓ ପ୍ରଦୀପ କୁମାର ସାହୁଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ, ଅରବିନ୍ଦ ମହାପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ସାରଦା ପ୍ରସନ୍ନ ଜେନାଙ୍କୁ ସମବାୟ, ନବ କିଶୋର ମଲ୍ଲିକଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ୱ ଦିଆଯାଇଛି। ହେଲେ ବିରୋଧୀ ଦଳ ନେତା ନବୀନ ନିଜ ପାଖରେ କୌଣସି ବିଭାଗ ରଖିନାହାନ୍ତି।