‘ଏବେ ସ୍କୁଲକୁ ପ୍ରତିଦାନ ପାଇଁ ସମୟ ଆସିଛି’, ପୋଷ୍ୟ ଭାବେ ଗ୍ରହଣ ପାଇଁ ନବୀନଙ୍କ ଆହ୍ବାନ

୨ କେନ୍ଦ୍ରମନ୍ତ୍ରୀ, ହାଇକୋର୍ଟ ବିଚାରପତିଙ୍କୁ ଚିଠି
ସବୁ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ବି ନିବେଦନ

ଭୁବନେଶ୍ବର : ସରକାରୀ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆଉ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ, ହାଇକୋର୍ଟର ବିଚାରପତି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ ଶ୍ରୀ ପଟ୍ଟନାୟକ ଏକ ଚିଠି ଲେଖିଛନ୍ତି।

ରାଜ୍ୟର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ସେମାନେ ପଢିଥିବା ବିଦ୍ୟାଳୟ ବା ପସନ୍ଦର ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ଟି ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ‘‘ଆପଣମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ଦ୍ବାରା ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏଥିରେ ଆପଣ ପାଠ ପଢିଥିବା ବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି, ଆମକୁ ଗଢିଛି। ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମ ଭିତରେ ସାମର୍ଥ ସୃଷ୍ଟି କରିଛି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛି। ରାଜ୍ୟ ସରକାରଙ୍କର ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆପଣଙ୍କର ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ।’’ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘‘ ସ୍କୁଲ ଆମକୁ ବହୁତ କିଛି ଦେଇଛି। ତାର ପ୍ରତିଦାନ ଦେବା ପାଇଁ ଆଜି ସମୟ ଆସିଛି। ସମାଜର ନେତୃବର୍ଗଙ୍କର ଏହି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଆପଣମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ଓ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବ।’’

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡିଥାଏ। ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ। ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ। ଘର ପରେ ବିଦ୍ୟାଳୟ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ସବୁଠାରୁ ଅଧିକ। ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଲେ ସେ ପଢୁଥିବା ସ୍କୁଲର ବିକାଶରେ ସାମିଲ ହୋଇପାରିବ। ଭିତ୍ତିଭୂମି ବିକାଶ ହେଉ, ବା ଶିକ୍ଷାଦାନ କ୍ଷେତ୍ରରେ ସେ ସାମିଲ ହୋଇପାରିବେ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର