ଭୁବନେଶ୍ୱର: ବିରୋଧୀ ନେତାମାନେ ମିଛ କହୁଛନ୍ତି। ଲୋକ ସବୁ ବୁଝି ସାରିଲେଣି। ସେମାନଙ୍କ କୁମ୍ଭୀର କାନ୍ଦଣା ଆଉ ଚଳିବନି। ଲୋକେ ସେମାନଙ୍କୁ ଗ୍ରହଣ କରିବେନି। ଆଜି ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହା କହିଛନ୍ତି। ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ କୋରେଇରେ ଆୟୋଜିତ ନିର୍ବାଚନୀ ସଭାରେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତେଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ବେଳେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି ଗର୍ଜିଥିଲେ। ରାଇରଙ୍ଗପୁର ଓ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ରାଷ୍ଟ୍ରପତିଙ୍କ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଲେ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ, ମୋ ଭଉଣୀ। ଏ ମାଟିର ଝିଅକୁ ସମ୍ମାନ ଦେଇକି ବିଜେଡି ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲା। ଏହାପରେ ସେ ଘୋଷଣା କରିଥିଲେ ଯେ ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ। ବିଜେଡି ସରକାର ବିଜୁଳି ମାଗଣା ଦେବ। ଆପଣମାନେ ଖୁସି ତ? ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ବିଏସ୍‌କେୱାଇ, ମିସନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, କାଳିଆ, ୫-ଟି ସ୍କୁଲ ରୂପାନ୍ତର, ପିଲାଙ୍କ ସ୍କଲାର୍‌ସିପ୍‍, ମଧୁବାବୁ ପେନ୍‍ସନ ଯୋଜନା, ପୁରୀ ମନ୍ଦିର କାମ ଆଦି ସବୁ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’। ନବୀନ ପଟ୍ଟନାୟକ ଭଲ କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ। ବାଲେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ ଯେ ଆପଣଙ୍କ ବିଜେପି ଏମ୍‌ପି. ଆପଣଙ୍କ ପାଇଁ କିଛି କରିଛନ୍ତି କି? ‌ସମବେତ ଜନତା ଉତ୍ତର ଦେଇଥିଲେ, ନା।

Advertisment

ବିଭିନ୍ନ ସଭାରେ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଉଦ୍‌ବୋଧନ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଆଦିବାସୀ ଭାଇଭଉଣୀମାନେ ଅଛନ୍ତି। ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାହିରାର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଭାରତବର୍ଷରେ କେହି ଚିନ୍ତା କରିନାହାନ୍ତି। ଏଥିପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଲକ୍ଷ ଲକ୍ଷ ଝିଅଙ୍କ ପାଠପଢ଼ାର ସୁବିଧା ପାଇଁ ହଜାର ହଜାର ହଷ୍ଟେଲ୍‌ ଖୋଲିଛନ୍ତି। ଆଦିବାସୀ ଭାଇଭଉଣୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ଜାଣିଛି। ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି। ଦ୍ୱିତୀୟ ଦସ୍ତଖତରେ ବିଏସ୍‌କେୱାଇରେ ସମସ୍ତେ ସାମିଲ ହେବେ। ସମସ୍ତଙ୍କୁ କାର୍ଡ ମିଳିବ। ତୃତୀୟରେ ମିସନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିରୋଧୀ ନେତାଙ୍କ ଅଶାଳୀନ ଭାଷା ବ୍ୟବହାରକୁ ନିନ୍ଦା କରି ପାଣ୍ଡିଆନ କହିଲେ, ନବୀନ ବାବୁଙ୍କୁ ଆକ୍ରମଣ କରିବା ଅର୍ଥ ପର୍ବତକୁ ପଥର ପକାଇବା ସହ ସମାନ। ବିରୋଧୀ ନେତାମାନେ ଆସି କହୁଛନ୍ତି, ଓଡ଼ିଶାରେ କିଛି ଭଲ କାମ ହେଉନାହିଁ। ଓଡ଼ିଶାର ବିକାଶ ସମସ୍ତଙ୍କୁ ଦିଶୁଛି, ସେମାନଙ୍କୁ ଦେଖାଯାଉନି। ନବୀନ ବାବୁଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇ କହୁଛନ୍ତି। ନବୀନ ବାବୁ କୁଆଡ଼େ ଘରୁ ବାହାରୁ ନାହାନ୍ତି। ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ବୋଲି ଅପପ୍ରଚାର କରୁଛନ୍ତି। ଅଥଚ ନବୀନ ବାବୁ ଆପଣଙ୍କ ସାମ୍‍ନାରେ ଅଛନ୍ତି, ଆପଣଙ୍କ ସହ କଥା ହେଉଛନ୍ତି। ଏମାନେ କେତେ ମିଛ କହୁଛନ୍ତି, ତାହା ଆପଣମାନେ ଦେଖନ୍ତୁ।

ବିଜେପିର ଚକ୍ରାନ୍ତ ବିଷୟରେ ଲୋକଙ୍କୁ ସତର୍କ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସୁଯୋଗ ପାଇଲେ ବିଜେପି ଆପଣମାନଙ୍କ ମିସନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିଦେବ। ବିଏସ୍‌କେୱାଇ ସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆଦି ସବୁ ଭଲ ଭଲ ଯୋଜନାକୁ ବନ୍ଦ କରିଦେବ। ମୟୂରଭଞ୍ଜରେ ସରକାରଙ୍କ ବିକାଶ କାମର ହିସାବ ଦେଇ ପାଣ୍ଡିଆନ କହିଲେ ଯେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୩ କୋଟି ଟଙ୍କା ଦେଇଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ମେଡିକାଲ କଲେଜ କରିଛନ୍ତି। ତାଙ୍କ ଜନ୍ମଦିନକୁ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି। ତିରିଙ୍ଗରେ ଡିଗ୍ରି କଲେଜ କରିଛନ୍ତି। ବାରିପଦା ରିଙ୍ଗ୍‌ ରୋଡ ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି। ଦୁର୍ଘଟଣାପ୍ରବଣ ବାଙ୍ଗିରିପୋଷି ଘାଟି ପାଇଁ ନୂଆ ରାସ୍ତା କରୁଛନ୍ତି।
ବାଲେଶ୍ବରରେ ପାଣ୍ଡିଆନ କହିଥିଲେ, ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି। ନୂଆ ଓଡ଼ିଶା ଗଠନରେ ବାଲେଶ୍ୱରର ବହୁତ ବଡ଼ ଅବଦାନ ରହିବ। ଆମ ଘୋଷଣାପତ୍ର ଅନୁଯାୟୀ ବାଲେଶ୍ୱର, ବାରିପଦାକୁ ନେଇ ଶିଳ୍ପ କ୍ଲଷ୍ଟର୍‌ କରାଯିବ। ବହୁତ ବଡ଼ ବଡ଼ ଶିଳ୍ପ ଆସିବ ଓ ନିଯୁକ୍ତି ସୃଷ୍ଟି ହେବ। କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଶ୍ରୀ ସୁଦାମ ମାର୍ଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ ଓ ସମସ୍ତ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ମୁଁ ପୂରା ସୁସ୍ଥ ଅଛି, ପ୍ରଚାର କରୁଛି: ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଉଥିଲେ। ଆଜି ତାହାର ଜବାବ ରଖିଛନ୍ତି ନିଜେ ନବୀନ। ମୟୂରଭଞ୍ଜ‌ରେ ନିର୍ବାଚନ ପ୍ରଚାର ସମୟରେ ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଅଛି। ବିଜେପି ମିଛ କହିବାର ସବୁ ସୀମା ଟପିଯାଇଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମାସେ ହେଲା ରାଜ୍ୟ ସାରା ବୁଲି ପ୍ରଚାର କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।