ଭୁବନେଶ୍ବର: ‘ଜୁମଲା’ ପାଇଁ ଆପଣଙ୍କ ଦଳ ଜଣାଶୁଣା। କିନ୍ତୁ ଓଡ଼ିଶାବାସୀ, ଯେଉଁମାନଙ୍କୁ ଆପଣ ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଇଛନ୍ତି ସେମାନଙ୍କ ପାଇଁ ଆପଣଙ୍କ ବଜେଟ୍ ନିଷ୍ଠୁର ଉପହାସ। ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କୁ ଏମିତି ଆକ୍ରମଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେପି କହିଥିଲା ଯେ ସେମାନଙ୍କ ସରକାର ହେବ ଗେମ୍ ଚେଞ୍ଜର, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସରକାର ନେମ୍ ଚେଞ୍ଜର ହୋଇଯାଇଛି ବୋଲି କଟାକ୍ଷ କରିବାକୁ ପଛାଇ ନାହାନ୍ତି ନବୀନ। ଆହୁରି ମଧ୍ୟ ସିଧା ଚାଲେଞ୍ଜ କରିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଆମ ରାଜ୍ୟରେ ୫% ଲୋକଙ୍କୁ ମଧ୍ୟ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ବିଜେପି ସକ୍ଷମ ହେବ ନାହିଁ।
ଆଜି ଅପରାହ୍ନରେ ବିଧାନସଭାରେ ୨୦୨୪-୨୫ ବଜେଟ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ ନବୀନ। ବିଜେପି ସରକାରର ପ୍ରଥମ ବଜେଟ୍ ପାଇଁ ଅଭିନନ୍ଦନ ଜଣାଇବା ସହ ପୂର୍ବ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦%ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ବତନ୍ତ୍ର ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାର ପ୍ରତିଶ୍ରୁତି ଦେଉଥିବା ବେଳେ ନବୀନ ତାଙ୍କ ଭାଷଣରେ ଏହାକୁ ତାତ୍ସଲ୍ୟ କରିବାକୁ ଯାଇ ରାଉରକେଲା-ସମ୍ବଲପୁର-ପାରାଦୀପ-ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡରର ଉଦାହଣ ଦେଇଛନ୍ତି। ଏଭଳି ଏକ କରିଡର ନିର୍ମାଣ ପାଇଁ ୧ଲକ୍ଷ କୋଟିରୁ କମ୍ ଖର୍ଚ୍ଚ ହେବ ନାହିଁ। କିନ୍ତୁ ବଜେଟ୍ରେ ମାତ୍ର ୨୦କୋଟିର ପ୍ରସ୍ତାବ ରଖାଯାଇଛି।
ନବୀନଙ୍କ ସମାଲୋଚନା ଆରମ୍ଭ ହୋଇଥିଲା ବଜେଟ୍ରେ ପୂର୍ବ ସରକାରର ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନକୁ ନେଇ। କହିଥିଲେ, ଲୋକଙ୍କୁ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ ରାଜ୍ୟରେ ବିଜେପି ସରକାର ଗଢ଼ିଛି। ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବା ପରେ ମୁଁ ଯେଉଁ ପରିବର୍ତ୍ତନ ବା ଚେଞ୍ଜ୍ ଦେଖୁଛି, ତାହା ହେଲା ଏହି ସରକାର କେବଳ ଆମ ସରକାରଙ୍କ ୪୫ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ବିଜେଡି ସରକାର ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡ଼ିକ ଲୋକାଭିମୁଖୀ, ପ୍ରଗତିଶୀଳ ଏବଂ ଦୃଢ଼ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। ତେଣୁ ଏଥିରୁ ୮୦% ଯୋଜନାକୁ ପୁନଃପ୍ରବର୍ତ୍ତନ କରାଯାଉଛି ଏବଂ ୮୦% ପାଣ୍ଠି ବି ଆବଣ୍ଟନ ହୋଇଛି। ବାକି ୨୦% ପାଣ୍ଠି ଆବଣ୍ଟନ ବିଜେପିର ନିର୍ବାଚନ ଇସ୍ତାହାରରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ଖର୍ଚ୍ଚ ହେବ।
ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିରୁ ୬ଟିର ଉଦାହରଣ ଦେଇ ନବୀନ କହିଥିଲେ, ବିଜେପି ପ୍ରତିଶ୍ରୁତି ଦେଇଛି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ବର୍ଷରେ ୫୦ହଜାର ଟଙ୍କା ଲେଖାଏ ଦିଆଯିବ। ଓଡ଼ିଶାରେ ୨କୋଟିରୁ ଅଧିକ ମହିଳା ଅଛନ୍ତି। ଏହି ପ୍ରତିଶ୍ରୁତି ପାଳନ ପାଇଁ ୧ଲକ୍ଷ କୋଟି ଟଙ୍କା ଦରକାର। କିନ୍ତୁ ଆପଣ ମାତ୍ର ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି। ଏହା ଦ୍ୱାରା ମାତ୍ର ୧୦% ମହିଳା ଉପକାର ପାଇବେ। ବାକି ୧ କୋଟି ୮୦ ଲକ୍ଷ ମହିଳା କେବେ ପାଇବେ ? ସାମାଜିକ ସୁରକ୍ଷା ମାସିକ ଭତ୍ତା ୩୫୦୦ ଟଙ୍କା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ମୋଟ ୫୦ ଲକ୍ଷ ହିତାଧିକାରୀ ଅଛନ୍ତି। କିନ୍ତୁ ବଜେଟର ପ୍ରସ୍ତାବ ଅନୁଯାୟୀ ମାତ୍ର ଏକ ଲକ୍ଷ ହିତାଧିକାରୀ ଉପକାର ପାଇବେ। ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦% ବା ତା’ଠାରୁ ଅଧିକ ଅକ୍ଷମ ବ୍ୟକ୍ତିମାନେ ଏହି ବର୍ଦ୍ଧିତ ଭତ୍ତା ପାଇବେ। ତେବେ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ବିଧବା , ଭିନ୍ନକ୍ଷମ ଏବଂ ଦୁଃଖୀ ଲୋକମାନେ କାହିଁକି ଏଥିରୁ ବଞ୍ଚିତ ହେବେ?
ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ ବୋଲି କହିଥିଲ। କିନ୍ତୁ ବଜେଟରେ ସମ୍ବଳ ଆବଣ୍ଟନରୁ ଜଣାପଡ଼ୁଛି ଏହା ରାଜ୍ୟର ୩୦% ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବ ନାହିଁ। ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବର୍ଦ୍ଧିତ ଏମ୍ଏସ୍ପି ଦେବାପାଇଁ କ’ଣ ଯୋଜନା ରହିଛି? ସେହିପରି ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବପାଇଁ ପ୍ରତିଶ୍ରୁତି ଦେଇଥିଲ। ସାରା ଦେଶର ୧ କୋଟି ଘରକୁ ମାଗଣା ବିଜୁଳି ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତେଣୁ ଓଡ଼ିଶା ଭାଗରେ ମାତ୍ର ୩ଲକ୍ଷ ଘର ପଡ଼ିପାରେ। କିନ୍ତୁ ଆମ ରାଜ୍ୟରେ ଦେଢ଼ କୋଟି ଘର ରହିଛି। ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଏହା କ’ଣ ଆପଣଙ୍କ ପ୍ରତିଶ୍ରୁତି? ସେହିପରି ଆସନ୍ତା ତିନି ବର୍ଷରେ ଅର୍ଥାତ୍ ୨୦୨୭ ବେଳକୁ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଙ୍କୁ ୨୦ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ। କିନ୍ତୁ ଚଳିତ ବଜେଟରେ ମାତ୍ର ହଜାରେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ପରେ ନବୀନ କହିଥିଲେ, ନିର୍ବାଚନ ଜିତିବା ପାଇଁ ବିଜେପିର ଥିଲା ଏଗୁଡ଼ିକ ମୁଖ୍ୟ ପ୍ରତିଶ୍ରୁତି। ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି ପାଳନ ନକରନ୍ତି ତେବେ ଆପଣଙ୍କ ଇସ୍ତାହାର ଓ ବହୁଳ ପ୍ରଚାରିତ ଗ୍ୟାରେଣ୍ଟିଗୁଡ଼ିକ ମିଥ୍ୟାର ଦସ୍ତାବିଜ ପାଲଟିଯିବ। ଓଡ଼ିଶାବାସୀ ନଭାବନ୍ତୁ ମିଥ୍ୟା ତଥା ବୃଥା ସ୍ୱପ୍ନ ଦେଖାଇ ଆପଣ ନିର୍ବାଚନ ଜିତିଛନ୍ତି। ଏହା ଆମ ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ମଙ୍ଗଳପ୍ରଦ ହେବ ନାହିଁ।