ଭୁବନେଶ୍ବର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବ‌ାଚନ ପାଇଁ ଆଜି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ହୋଇଥିବା ସମାବେଶରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଡବଲ୍‌ ଇଞ୍ଜିନ ସରକାର ଆଣିବାକୁ ଆହ୍ବାନ ଦେବା ସହ ବିଜେଡି ସରକାରକୁ କଡ଼ା ଭା‌ଷାରେ ଭର୍ତ୍ସନା କରିଛନ୍ତି। ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଖରାପ ହେବା ପଛରେ ଷଡ଼ଯନ୍ତ୍ରର ସନ୍ଦେହ କରି ବିଜେଡିକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି। ଏହା ବି ଦୃଢ଼ୋକ୍ତି ଦେଖାଇଛନ୍ତି ଯେ ଓଡ଼ିଶାରେ ବିଜେଡିର ୨୫ ବର୍ଷର ଶାସନରେ ପୂର୍ଣ୍ଣଛେଦ ପଡ଼ିବ। ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ। ଆଜି ସାରା ଓଡ଼ିଶାରୁ ଗୋଟିଏ ସ୍ୱର ଆସୁଛି - ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବେ। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ହିଁ ଶପଥ ଗ୍ରହଣ କରିବେ। ଏହି ମାଟିରେ ବଢ଼ିଥିବା ଏଠିକାର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ।

Advertisment

ମୋଦୀ କହିଛନ୍ତି, ନବୀବ ବାବୁଙ୍କ ଶୁଭଚିନ୍ତକମାନେ ଚିନ୍ତାରେ ଅଛନ୍ତି ଯେ ଗତ ଏକ ବର୍ଷରେ ଅଚାନକ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇ ଯାଇଛି। ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କ’ଣ କିଛି ଷଡ଼ଯନ୍ତ୍ର ରହିଛି? ନବୀନ ବାବୁଙ୍କ ନାମରେ ପର୍ଦା ପଛରେ ରହି କ୍ଷମତା ଭୋଗ କରୁଥିବା ସେହି ଲବିର ହାତ ଏଥିରେ ନାହିଁ ତ? ଏହି ରହସ୍ୟ ଉପରୁ ପରଦା ଉଠିବା ଜରୁରୀ। ବିଜେପି ସରକାରକୁ ଆସିଲେ ସ୍ବତନ୍ତ୍ର କମିଟି ଗଠନ କରିବ। ବର୍ଷକ ମଧ୍ୟରେ ନବୀନ ବାବୁ ସ୍ୱାସ୍ଥ୍ୟ ଏଭଳି ଖରାପ କେମିତି ହୋଇଗଲା, ତାହାର ତଦନ୍ତ କରିବ ଏହି କମିଟି। ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ସେ କହିଲେ, ଓଡ଼ିଶା ଭାରତକୁ ବିକଶିତ କରିବାକୁ ଭୋଟ ଦେଇଛି, ଦୁର୍ନୀତିଗ୍ରସ୍ତ ଶାସନକୁ ହଟାଇବା ପାଇଁ ଭୋଟ ଦେଇଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆଶଙ୍କାକୁ ହଟାଇବାକୁ ଭୋଟ ଦେଇଛି। ଓଡିଶାରୁ ଲୁଣ୍ଠନ କରାଯାଉଥିବା ଅର୍ଥ ବିଦେଶକୁ ଯାଉଥିବା କୁହାଯାଉଛି। ଲୁଟ୍‌ର ଅର୍ଥକୁ କେଉଁଠାରେ ହେଲେ ଲୁଚାଇ ଦିଅନ୍ତୁ, ମୋଦୀ ଗୋଟିଏ ଗୋଟିଏ ପଇସାର ହିସାବ ବାହାର କରିବ ଓ ତାକୁ ଫେରାଇ ଆଣିବ । ଲୁଟ୍‌ କରିଥିବା ଲୋକମାନେ ସାରା ଜୀବନ ଜେଲରେ ରୁଟି ଖାଇବେ, ଏହା ହେଉଛି ମୋଦୀର ଗ୍ୟାରେଣ୍ଟି। ଯେଉଁ ବିଜେଡି ନେତାମାନଙ୍କ ପାଖରେ କେବେ ସାଇକେଲ ବି ନଥିଲା ଆଜି ସେମାନଙ୍କ ପାଖରେ ମହଙ୍ଗା ବଡ଼ ଗାଡ଼ି ଅଛି। ବିଜେଡିର ନେତାମାନେ ଚାଷୀଙ୍କ ନାଁରେ ବି ଠକେଇ କରି ଋଣ ନେଇଛନ୍ତି। ଜନତାଙ୍କ ସହ ଧୋକା କରିଥିବା ବ୍ୟକ୍ତି ପ୍ରତି କୌଣସି ସହାନୁଭୂତି ନାହିଁ। ପ୍ରଧାନମନ୍ତ୍ରୀ କହିଲେ, ଆସନ୍ତା ୬ମାସ ଭିତରେ ଓଡ଼ିଶା ରାଜନୀତିରେ ବଡ଼ ଭୂକ˚ପ ଦେଖିବାକୁ ମିଳିବ। ବିଜେଡି ରାଜନୀତିରେ ବିସ୍ଫୋରଣ ମଧ୍ୟ ହେବ।

ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ମୋଦୀଙ୍କ ପ୍ରଚାର
ବିଜେପି ସରକାର ଗଠନ ନେଇ ଦୃଢ଼ୋକ୍ତି ଦେଖାଇଲେ
ଓଡ଼ିଶା ରାଜନୀତିରେ ଭୂକମ୍ପ ଦେଖିବାକୁ ମିଳିବ
ଓଡ଼ିଶାରୁ ଲୁଣ୍ଠନ ହୋଇଥିବା ଧନର ହିସାବ ବାହାର କରାଯିବ

ମୋଦୀ ଆହୁରି କହିଲେ, ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ। ଓଡ଼ିଶାର ଲୋକମାନେ ଏଇଥି ପାଇଁ ଗରିବ ଯେ ଏଠାରେ ପ୍ରଥମେ କଂଗ୍ରେସର ନେତାମାନେ ଲୁଟିଲେ ଓ ପରେ ୨୫ ବର୍ଷ ବିଜେଡିର ନେତାମାନେ ଲୁଟୁଛନ୍ତି। ଓଡ଼ିଶାର ଜନସାଧାରଣ ଜାଣିଛନ୍ତି ଯେ ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ନିଜର ଭୋଟ ବରବାଦ କରିବା। ସେମାନଙ୍କୁ ଏବେ ବିଜେଡି ଉପରେ ବିଶ୍ୱାସ ନାହିଁ। ଓଡ଼ିଶାରେ ନୂଆ ଶିଳ୍ପ କଥା ଛାଡ଼ନ୍ତୁ, ପୂର୍ବରୁ ଯେଉଁ ଶିଳ୍ପ ଥିଲା ତାହା ବି ବନ୍ଦ ହୋଇଯାଇଛି। ବର୍ଷ ବର୍ଷ ଏଠାରେ ରାସ୍ତା ନିର୍ମାଣ ହୋଇନି, ରେଲୱେ ସଂଯୋଗୀକରଣ ଓ ବନ୍ଦର ସଂଯୋଗୀକରଣ ହୋଇପାରିନି। ଯେଉଁ କାମ ହୋଇଛି, ସେଥିରୁ ଅଧିକ କାମ ୧୦ ବର୍ଷରେ ବିଜେପି ସରକାର କରିଛି । କେନ୍ଦ୍ର ସରକାରଙ୍କ ସଫଳତା ବଖାଣି ମୋଦୀ କହିଥିଲେ, କେହି କେବେ ଭାବି ନ ଥିଲେ ଯେ ଜାମ୍ମୁ କାଶ୍ମୀରରେ ଶାନ୍ତି ଆସିବ। ଆମେ ୩୭୦ର ପ୍ରାଚୀରକୁ ହଟାଇଲୁ ଏବଂ ଆଜି ସେଠାରେ ରେକର୍ଡ ମତଦାନ ହେଉଛି। କୋଟି କୋଟି ରାମ ଭକ୍ତ ଓ କରସେବକ ଅଯୋଧ୍ୟାରେ ରାମ ମନ୍ଦିରର ଆଶା ଛାଡ଼ି ଦେଇଥିଲେ। ଆଜି ୫୦୦ ବର୍ଷର ପ୍ରତୀକ୍ଷା ଶେଷ ହୋଇ ସାରିଛି। ଆମର ରାମଲଲା ଟେଣ୍ଟ୍‌ରୁ ବାହାରି ଭବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି। ପ୍ରଥମେ ଲୋକମାନଙ୍କୁ ଲାଗୁଥିଲା ଯେ ଦୁର୍ନୀତିକୁ ରୋକିବା ଅସମ୍ଭବ। ଦଶ ବର୍ଷ ମଧ୍ୟରେ ଆମେ ବିନା ଦୁର୍ନୀତିର ସରକାର ଦେଇଛୁ। ଗତ ପାଞ୍ଚ ବର୍ଷରେ ଯେଉଁ ବିକାଶ ହୋଇଛି ତାହା କେବଳ ଟ୍ରେଲର। ଆଗାମୀ ପାଞ୍ଚ ବର୍ଷ ଭାରତର ବିକାଶ ପାଇଁ ଅଭୂତପୂର୍ବ ହେବ। ଆଗାମୀ ପାଞ୍ଚ ବର୍ଷରେ ଭାରତ ସାରା ବିଶ୍ୱରେ ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି।

ବାଲେଶ୍ବରରେ ପ୍ରଧାନମନ୍ତ୍ରୀ କହିଥିଲେ, ବାଲେଶ୍ୱର ଧାନ, ପାନ ଓ ମୀନର ମାଟି ଅଟେ। ଏଠାକାର ପାନ ବନାରସ ଓ ବାଲେଶ୍ୱରକୁ ଯୋଡ଼ିଥାଏ। ଆମର ବାଲେଶ୍ୱର ମିସାଇଲ୍ ସିଟି ଅଟେ। ୧୦ ବର୍ଷରେ ଭାରତର ମିସାଇଲ୍ କ୍ଷମତା ଅନେକ ଗୁଣା ବୃଦ୍ଧି ପାଇଛି। ନୀଳଗିରି ରେଳ ଷ୍ଟେସନରୁ ଟ୍ରେନ ଚାଲୁ ନଥିଲା, କିନ୍ତୁ ବିଜେପି ସାଂସଦ ଚୟନ ହେବା ପରେ ଏବେ ଟ୍ରେନ ସୁବିଧା ହୋଇଯାଇଛି। ଏଠାରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ସମସ୍ତ ସାମୁଦ୍ରିକ ତଟର କାୟାକଳ୍ପ କରିବାର କାମ କରାଯିବ। ମୟୂରଭଞ୍ଜରେ ମୋଦୀ କହିଥିଲେ, ମୁଁ ଏଠାକାର ଲୋକଙ୍କ ଠାରୁ ଆଶୀର୍ବାଦ ନେବାକୁ ଓ ନିମନ୍ତ୍ରଣ ଦେବାକୁ ଆସିଛି ଯେ, ଜୁନ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି। ମୟୂରଭଞ୍ଜର ଏହି ମାଟି ନାରୀ ସଶକ୍ତୀକରଣର ମାଟି ଅଟେ। ଏବେ ଯାଏ ମୟୂରଭଞ୍ଜର ଜୟ ଜୟକାର ଏଥିପାଇଁ ହେଉଥିଲା, କାରଣ ମାଆ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣୁଥିଲେ। କିନ୍ତୁ ଏବେ ମୟୂରଭଞ୍ଜର ଝିଅ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ନେତୃତ୍ୱ ନେଉଛି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ତିନି ସେନାର କମାଣ ସମ୍ଭାଳୁଛନ୍ତି। ବିଜେପି ସରକାର ଆଦିବାସୀ ଗୌରବ, ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ ଭାଗରେ କାମ କରୁଛି । ଶ୍ରଦ୍ଧେୟ ଅଟଳଜୀଙ୍କ ସରକାରରେ ଆଦିବାସୀ ମନ୍ତ୍ରାଳୟର ଗଠନ କରାଯାଇଥିଲା ଏବଂ ବିଜେପି ହିଁ ସାନ୍ତାଳୀ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିଥିଲା । ମୋଦୀ ସରକାର ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଘୋଷଣା କରିଛି। ଆଦିବାସୀ କଲ୍ୟାଣର ବଜେଟ ୫ ଗୁଣା ବୃଦ୍ଧି କରିଛି।

କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ୧୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତରେ ଦୁନିଆର ସବୁଠୁ ବଡ ଦୁର୍ନୀତିର ଖବର ଆସୁଥିଲା। କିନ୍ତୁ ଗତ ୧୦ ବର୍ଷରେ ସବୁଠୁ ବଡ଼ ଓ ସବୁଠୁ ଉଚ୍ଚା ନିର୍ମାଣର ଖବର ଆସୁଛି। ଆଜି ଦୁନିଆର ସବୁଠୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତରେ ଅଛି, ସବୁଠୁ ବଡ ଅଫିସ୍ ବିଲ୍ଡିଂ ଭାରତରେ ଅଛି, ଏସିଆର ସବୁଠୁ ବଡ ସମୁଦ୍ର ସେତୁ ମଧ୍ୟରୁ ଗୋଟିଏ ଅଟଳ ସେତୁ ଆଜି ଭାରତରେ ଅଛି, ଦୁନିଆର ସବୁଠୁ ବଡ ମଧ୍ୟରୁ ଗୋଟିଏ ଅଟଳ ଟନେଲ ଭାରତରେ ଅଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବାଲେଶ୍ୱରର ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜର ପ୍ରାର୍ଥୀ ନବ ଚରଣ ମାଝୀ ଓ ଭଦ୍ରକର ପ୍ରାର୍ଥୀ ଅଭିମନ୍ୟୁ ସେଠୀ ତଥା ବିଧାନସଭା ପ୍ରାର୍ଥୀ ଓ ଦଳର ପଦାଧିକାରୀମାନେ ଉପସ୍ଥିତ ଥିଲେ।