ସମ୍ବଲପୁର ପାଇଁ ନବୀନଙ୍କ ଦୀପାବଳି ଭେଟି: ଉଦ୍‌ଘାଟନ, ଶିଳାନ୍ୟାସ କଲେ ୧୫୫୩ କୋଟି ଟଙ୍କାର ପ୍ରକଳ୍ପ

ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ, ଉପକୃତ ହେବେ ୭ ଲକ୍ଷ ୭୩ ହଜାର

କୁଚିଣ୍ଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ। କୁଚିଣ୍ଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କାର୍ଡ଼ ଗ୍ରହଣ କରିଛନ୍ତି। ଏଥିସହିତ, ସମ୍ବଲପୁର ପାଇଁ ୧୫୫୩ କୋଟି ଟଙ୍କାର ୪୪୫ ପ୍ରକଳ୍ପର ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ
ଉପକୃତ ହେବେ ୭ ଲକ୍ଷ ୭୩ ହଜାର
ପିଇବା ପାଣି ପାଇଁ ୧୦୦୦ କୋଟି
ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ‌ାଇଁ ୧୪୭ କୋଟିର ପାଣ୍ଠି ଘୋଷଣା

କୁଚିଣ୍ଡାର ମୁକୁନ୍ଦି ପଡ଼ିଆଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢ଼ି, ସମ୍ବଲପୁରୀ ଗୀତ ଓଡ଼ିଶାର ମହାନ ସଂସ୍କୃତିର ପରିଚୟ। ମାଁ ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ ମାଁଙ୍କ ପୀଠକୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଗରିବ ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଟଙ୍କାଟିଏ ବି ଖର୍ଚ୍ଚ ନକରି ଏହି କାର୍ଡ ଜରିଆରେ ଦେଶର ୨୦୦ଟି ହସ୍ପିଟାଲରୁ ଭଲ ଚିକିତ୍ସା ପାଇପାରିବେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଏଥିସହିତ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୧୪୭ ‌େକାଟି ଟଙ୍କାର ପାଣ୍ଠି ଘୋଷଣା କରିଥିଲେ। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଜିଲ୍ଲାର ୧୫୫୩ କୋଟିରୁ ଅଧିକ ଟଙ୍କାର ୪୪୫ଟି ପ୍ରକଳ୍ପ ଭେଟି ଦେଇଛନ୍ତି। ଏହା ସମ୍ବଲପୁର ଜିଲ୍ଲା ପାଇଁ ଦୀପାବଳି ଭେଟି । ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା ବେଳେ ଅନ୍ୟ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ହୋଇଛି। ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଆସନ୍ତା ୨୦୨୨ରେ ସମ୍ବଲପୁରର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କ ଭକ୍ତ। ତେଣୁ, ନବୀନ ତାଙ୍କ ବାମ ହାତ ହଲେଇଦେଲେ ସବୁ ବନ୍ୟାବାତ୍ୟା ଚାଲିଯାଉଛି। ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ଓ ଚେତନାରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ କଥା ରହିଛି। ନବୀନଙ୍କ ଯୋଗୁ ଓଡ଼ିଶା ଏବେ ପ୍ରଗତି ପଥରେ ଆଗେଇ ଚାଲିଛି। ଓଡ଼ିଶାରେ ଯାହାର କେହି ନାହାନ୍ତି, ତାଙ୍କର ନବୀନ ପଟ୍ଟନାୟକ ଅଛନ୍ତି ବୋଲି କୁଚିଣ୍ଡା ବିଧାୟକ କିଶୋର ନାୟକ କହିଥିଲେ। ଆକାଶ ଦାସନାୟକ ଓ ଶ୍ରୀମୟୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

 

ସମ୍ବନ୍ଧିତ ଖବର