ନବୀନଙ୍କ ପସନ୍ଦର ନେତ୍ରୀ ନିଜ ଜିଲ୍ଲାରେ ଅଲୋଡ଼ା!

ବାରିପଦା: ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ୮ରୁ ୧୦ ଲକ୍ଷ କୁଡ଼ୁମୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ଏହି ସଂପ୍ରଦାୟର ଲୋକ ଯେଉଁ ଦଳକୁ ସମର୍ଥନ ଦିଅନ୍ତି, ସେ ଦଳ ଜିଲ୍ଲାରେ ଭଲ ପ୍ରଦର୍ଶନ କରେ। ତେଣୁ କୁଡ଼ୁମୀ ସଂପ୍ରଦାୟର ଭୋଟ୍‌କୁ ନିଜ ପକେଟ୍‌କୁ ଆଣିବା ପାଇଁ ୨୦୨୦ରେ ବିଜେଡି ଏକ ସୁଚିନ୍ତିତ ରଣନୀତି ଆପଣାଇଥିଲା। କୁଡ଼ୁମୀ ସଂପ୍ରଦାୟର ଉଚ୍ଚଶିକ୍ଷିତା ମହିଳା ମମତା ମହାନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ନବୀନ ପସନ୍ଦ କରିଥିବା ନେତ୍ରୀଙ୍କୁ ଏବେ ଜିଲ୍ଲାର ଦଳୀୟ ନେତାମାନେ ଅଣଦେଖା କରୁଥିବା ବେଳେ କୌଣସି କାର୍ଯ୍ୟକ୍ରମକୁ ଡାକୁନାହାନ୍ତି। ଏହାକୁ ନେଇ କୁଡ଼ୁମୀ ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ ବି ଦେଖିବାକୁ ମିଳିଛି।

ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ଗାଁରୁ ସହର; ସବୁଠି ବିଜେଡିର ହୋର୍ଡିଂ, ବ୍ୟାନର୍‌ ଛାଇ ଯାଇଥିଲା। ପ୍ରାୟ ସବୁ ହୋର୍ଡିଂରେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କ ସହ ବରିଷ୍ଠ ନେତା ଡା.ଦେବାଶିଷ ମାରାଣ୍ଡିଙ୍କ ଫଟୋ ରହିଥିଲା। ହେଲେ ରାଜ୍ୟସଭା ସାଂସଦ ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ଥାଇ ମଧ୍ୟ ମମତା ମହାନ୍ତଙ୍କ ଫଟୋକୁ କେହି ହୋର୍ଡିଂରେ ସ୍ଥାନ ଦେଇନଥିଲେ। ଏହାକୁ ନେଇ ମମତା କ୍ଷୁବ୍ଧ ହେବା ସହ ଜିଲ୍ଲା ନେତୃବୃନ୍ଦଙ୍କୁ ଭେଟି ନିଜର ଅସନ୍ତୋଷ ଜଣାଇଥିଲେ। ହେଲେ କିଛି ଲାଭ ହୋଇନଥିଲା। ନିର୍ବାଚନ ପରେ ମହାବିଷୁବ ସଂକ୍ରାନ୍ତି ଓ ଅନ୍ୟ ପର୍ବରେ ଦଳର ଶହଶହ ଶୁଭେଚ୍ଛା ହୋର୍ଡିଂ ଲାଗିଥିଲେ ମଧ୍ୟ ସବୁଠି ମମତାଙ୍କୁ କୋଣଠେସା କରି ଦିଆଯାଇଛି। ଏବେ ଅକ୍ଷୟତୃତୀୟା ଓ ଇଦ୍ ପର୍ବ ପାଇଁ ବାରିପଦା ସହରରେ ଲାଗିଛି ବିଜେଡିର ଶୁଭେଚ୍ଛା ହୋର୍ଡିଂ। ପୂର୍ବରୁ ଥିବା ସମସ୍ତ ରାଜନେତାଙ୍କ ଫଟୋ ହୋର୍ଡିଂରେ ଥିବାବେଳେ ପ୍ରଥମ କରି ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦାଙ୍କ ଫଟୋ ସ୍ଥାନ ପାଇଛି। ହେଲେ ମମତା ପୂର୍ବ ଭଳି ଅଦୃଶ୍ୟ ହୋଇ ରହିଛନ୍ତି।

ବାରିପଦା ସହରରେ ଲାଗିଥିବା ଏକ ହୋର୍ଡିଂରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ନାଁ ଓ ଫଟୋ ରହିଛି। ତେବେ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ ନାଁରେ କିଏ ହୋର୍ଡିଂ ଲଗାଇଛି, ତାହା ସେ ଜାଣିନଥିବା କହିଥିଲେ। କୁଡ଼ୁମୀ ସଂପ୍ରଦାୟର ସମର୍ଥନରେ ମମତା କାଳେ ଜିଲ୍ଲାରେ ଦଳର ପ୍ରମୁଖ ଚେହେରା ପାଲଟିଯିବେ, ସେହି ଭୟରେ କିଛି ନେତା ତାଙ୍କୁ ଅଣଦେଖା କରୁଥିବା ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ସାଂସଦ ମମତା ମହାନ୍ତଙ୍କୁ ପଚରାଯିବାରୁ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା କଥାକୁ ସ୍ବୀକାର କରିଥିଲେ ଓ ଏହାକୁ ନେଇ ସେ ମର୍ମାହତ ବୋଲି କହିଥିଲେ। ତେବେ ଏ ନେଇ ଜିଲ୍ଲା ନେତୃବୃନ୍ଦ ମୁହଁ ଖୋଲୁନଥିବା ବେଳେ କୁଡୁମୀ ସମାଜର କିଛି ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଅବଗତ କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର