ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିଲା ପରେ ବିଜେଡି ଆଜି ପ୍ରଥମ ଥର ପାଇଁ ବଡ଼ଧରଣର ଆକ୍ରମଣ କରିଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ବିଶାଳ ସମାବେଶ କରିଛି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ। ସିଧାସଳଖ ଟାର୍ଗେଟ୍ କରି କହିଥିଲେ, ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ସାତ ମାସ ହୋଇଗଲା କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ। କିନ୍ତୁ କାମ ଘର ଶୂନ। ଏପଟେ ଦରବୃଦ୍ଧି ମାଡ଼। ସେପଟେ ଜିଏସ୍ଟି ମାଡ଼। ସବୁ ଜିନିଷରେ ଜିଏସ୍ଟି। ଗରିବ ଲୋକ ଅଧିକ ଜିଏସ୍ଟି ଦେଉଛନ୍ତି। ଲୋକଙ୍କ ଉପରେ ଡବଲ୍ ଇଞ୍ଜିନ୍ ଡବଲ୍ ମାଡ଼ କରୁଛି।
ବିଜେଡିର ବିଶାଳ ସମାବେଶ
ଡବଲ୍ ଇଞ୍ଜିନ୍, ଡବଲ୍ ମାଡ଼
ଆଈମା’ କାହାଣୀ କହି ଖୁସି
ନବୀନ କହିଥିଲେ, ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁ ନାହିଁ। ଡାଲି, ତେଲ, ପରିବା, ତେଜରାତିଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶଛୁଆଁ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଈମା’ କାହାଣୀ କହି ସରକାର ଖୁସି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି। ଅଦିନିଆ ବର୍ଷା ଯୋଗୁ ଫସଲ ହାନି ହୋଇଛି। ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି। ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି। କିନ୍ତୁ ନେତାଙ୍କ ସମୟ ନିଜ ପ୍ରଚାରରେ ବିତୁଛି। ହାଟ ବଜାରରେ ଲୋକ ପ୍ରତିଦିନ ଅଶାନ୍ତି। ମା’ମାନେ କାନ୍ଦୁଛନ୍ତି। ଚାଷୀ କାନ୍ଦୁଛନ୍ତି। କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ବିଜେଡି ସୁପ୍ରିମୋ ଆହୁରି କହିଥିଲେ, ବିଜେପି ସରକାର ଟ୍ରେଲର୍ରେ ଗୋଲାପି ଚିତ୍ର ଦେଖାଇଲେ। କିନ୍ତୁ ଫିଲ୍ମ ରିଲିଜ୍ ହେଲା ‘ଏମ୍ଏମ୍ ସରକାର ମହଙ୍ଗା ମାଡ଼ ସରକାର’। ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ।
ବିଜେଡି ପକ୍ଷରୁ ଆଜିର ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବଡ଼ ଧରଣର ପ୍ରସ୍ତୁତି କରାଯାଇଥିଲା। ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀ ସମେତ ନିକଟବର୍ତ୍ତୀ ନିର୍ବାଚନମଣ୍ଡଳୀଗୁଡ଼ିକରୁ ବହୁ ସଂଖ୍ୟାରେ ନେତା ଓ କର୍ମୀ ଭୁବନେଶ୍ବର ଆସିଥିଲେ। ସହରର ଏକାଧିକ ସ୍ଥାନରୁ ଶୋଭାଯାତ୍ରା ବାହାରି ମାଷ୍ଟର୍କ୍ୟାଣ୍ଟିନ୍ ଛକ ଅଭିମୁଖେ ଯାଇଥିଲା। ମଧ୍ୟାହ୍ନରେ ମହାତ୍ମା ଗାନ୍ଧୀ ମାର୍ଗରେ ଭିଡ଼ ଜମିଥିଲା। ବିଜେଡିର ବରିଷ୍ଠ ନେତାମାନେ ଦରଦାମ ବୃଦ୍ଧି ପ୍ରତିବାଦରେ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମଲ, ଅରୁଣ ସାହୁ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ବଦ୍ରି ନାରାୟଣ ପାତ୍ର, ପ୍ରମିଳା ମଲ୍ଲିକ, ରମେଶ ଚ୍ୟାଉପଟ୍ଟନାୟକ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଧ୍ରୁବ ସାହୁ, ରୋହିତ ପୂଜାରୀ, ଗଣେଶ୍ବର ବେହେରା, କଳିକେଶ ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଦେବାଶିଷ ସାମନ୍ତରାୟ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଭୂତି ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡ଼ାଇ, ଶୁଭାଶିଷ ଖୁଣ୍ଟିଆ, ସସ୍ମିତ ପାତ୍ର ଓ ସୁଲୋଚନା ଦାସ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/07/5aZyM6wtzC7nc9WmNwaN.jpg)