ବ୍ରହ୍ମପୁର, ଆସିକା, କନ୍ଧମାଳରେ ନବୀନଙ୍କ ମାରାଥନ୍‌ ପ୍ରଚାର: ଚୋରଙ୍କୁ ନୁହେଁ, ଭଲ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ

ବିଜେଡି ଇସ୍ତାହାରକୁ ପ୍ରତି ଘରେ ପହଞ୍ଚାନ୍ତୁ: ପାଣ୍ଡିଆନ

ବ୍ରହ୍ମପୁର/ଗୋଳନ୍ଥରା/ଆସିକା/କନ୍ଧମାଳ: ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ୩ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ସଭାରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ। ବ୍ରହ୍ମପୁରରେ କନିଷି ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ବିଶାଳ ଜନସମାବେଶକୁ ସ୍ବାଗତ କରି କିଛି ପ୍ରଶ୍ନ ପଚାରିଥିଲେ। ବିଏସ୍‌କେୱାଇ, ମିସନ ଶକ୍ତି, ଲକ୍ଷ୍ମୀ ବସ୍, କାଳିଆ ଯୋଜନା, ୫-ଟି, ନୂଆ-ଓ ଛାତ୍ରବୃତ୍ତି, ମଧୁବାବୁ ପେନସନ୍‌ ଯୋଜନା ଭଲ କି ବୋଲି ପଚାରିଥିଲେ। ଏଥିରେ ଜନସାଧାରଣ ହଁ ବୋଲି ଉତ୍ତର ଦେଇଥିଲେ। ଶେଷରେ ନବୀନ ପଟ୍ଟନାୟକ ଭଲ କି ବୋଲି ପ୍ରଶ୍ନ କରିବାରୁ ସଭାରେ ଥିବା ପ୍ରତ୍ୟେକ ଲୋକ ଛିଡ଼ା ହୋଇ ହାତ ଉଠାଇ ଉଚ୍ଚସ୍ବରରେ ହଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ନାହିଁ।

ବିଜେଡି ଇସ୍ତାହାରକୁ ପ୍ରତି ଘରେ ପହଞ୍ଚାନ୍ତୁ: ପାଣ୍ଡିଆନ
୨୪ ବର୍ଷରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଠିକ୍‌ କରିପାରୁନି ବିଜେପି
ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ୫ ହଜାର କେସ୍‌ ରଦ୍ଦ କରିଛନ୍ତି

ପ୍ରାରମ୍ଭରେ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଜେଡି ନେତା ଭି.କେ. ପାଣ୍ଡିଆନ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଥିବା ଭଲ ପାଇବା ଆଜିର ସମାବେଶରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନରୁ ବିଜେଡିର ଷ୍ଟ୍ରାଇକ୍‌ରେଟ୍‌ ୯୦ ପ୍ରତିଶତ ରହିବ। ଆପଣମାନଙ୍କ ଆଶୀର୍ବାଦ ରହିଲେ, ଏହା ଶହେ ପ୍ରତିଶତ ହେବ ବୋଲି ପାଣ୍ଡିଆନ କହିଥିଲେ। ମୁଖ୍ୟମନ୍ତ୍ରୀ ଯାହା କହିଲେ ଯେଉଁଠି ଚୋରମାନେ ପ୍ରାର୍ଥୀ ହୋଇଛନ୍ତି, ସେମାନଙ୍କୁ ମୁହଁତୋଡ଼ ଜବାବ ଦେବା। ଏହା ସହିତ ପାଣ୍ଡିଆନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପ୍ରଶ୍ନ କରିଥିଲେ। ବିରୋଧୀ ଦଳ ପ୍ରତି ୫ବର୍ଷରେ ଥରେ ଇସ୍ତାହାର ଆଣିଥା’ନ୍ତି। ୨୦୧୪ ଓ ୨୦୧୯ରେ ବିଜେପି ତା’ର ଇସ୍ତାହାରରେ ନାନା ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ପୂରଣ ହେଲା ନାହିଁ। ଏଥର ମଧ୍ୟ ସେମାନଙ୍କର ଇସ୍ତାହାର ମିଛ ବୋଲି ପାଣ୍ଡିଆନ କହିଥିଲେ। ବିଜେଡି ଇସ୍ତାହାର ସମସ୍ତଙ୍କ ପାଇଁ ଖୁସି ଆଣିବ ବୋଲି ପାଣ୍ଡିଆନ କହିଥିଲେ।

ସେହିପରି ଆସିକାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିରୋଧୀ ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜେଡି ନେତା ପାଣ୍ଡିଆନ କହିଲେ ଯେ, ନବୀନ ବାବୁଙ୍କ ଯେଉଁ ଯାତ୍ରା ଆସିକା ମାଟିରୁ ଆରମ୍ଭ ହୋଇଥିଲା ତା’ର ବିକାଶଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତା’ ଠାରୁ ଅଧିକ କାର୍ଯ୍ୟ କରନ୍ତି। ମହିଳା ସଶକ୍ତୀକରଣର ଉଦାହରଣ ଏହା ଯେ ଆସିକା ସାଂସଦ ପ୍ରାର୍ଥୀ ସହିତ ଏହା ଅଧୀନ ଥିବା ସାତଟି ବିଧାନସଭା କ୍ଷେତ୍ର ମଧ୍ୟରୁ ପାଞ୍ଚ ଜଣ ପ୍ରାର୍ଥୀ ମହିଳା। ଏଥିରୁ ଆପଣମାନେ ଜାଣନ୍ତୁ ମହିଳା ସଶକ୍ତୀକରଣ ଉପରେ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି। କଂଗ୍ରେସ, ବିଜେପି କେବଳ କଥା କହନ୍ତି, କିଛି କରନ୍ତି ନାହିଁ। କନ୍ଧମାଳ ଲୋକସଭା ପାଇଁ ସ୍ଥାନୀୟ ଷ୍ଟାଡିୟମରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କ ପାଇଁ ଭୋଟ ମାଗିଥିଲେ। ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀଙ୍କୁ ବହୁତ ଭଲ ପାଆନ୍ତି। ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବିଭିନ୍ନ ଛୋଟ ବଡ଼ ଜଙ୍ଗଲ, ଅବକାରୀ ତଥା ପୁଲିସ କେସ୍‌ରେ ଛନ୍ଦି ହୋଇ ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମୁଖ୍ୟମନ୍ତ୍ରୀ ତାକୁ ସହୃଦୟର ସହିତ ନେଇ ସେମାନଙ୍କ ଉପରେ ଲାଗିଥିବା ୫୦,୦୦୦ କେସ୍‌ ରଦ୍ଦ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ହଳଦୀ ଚାଷ ଭଲ ହେଉଛି। ଏଣୁ ହଳଦୀ ପାଇଁ ଅଗ୍ରୀମ ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର