ନିତି ଆୟୋଗକୁ ନବୀନଙ୍କ ନୀତିବାଣୀ : ନିର୍ବାଚିତ ସରକାରକୁ କାମ କରିବାକୁ ଦିଅ

ସବୁ କଥାକୁ ରାଜନୈତିକ ଦୃଷ୍ଟିରୁ ଦେଖନି
ଏକକ ନିର୍ବାଚନ ସପକ୍ଷରେ ନବୀନ
ସଂଘୀୟ ବ୍ୟବସ୍ଥାରେ ମିଳିତ ମୁକାବିଲା ବିଧେୟ
ମହିଳା ସଂରକ୍ଷଣ ନକଲେ ଇତିହାସ କ୍ଷମା ଦେବନି
ମେଧା ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଉ
ସ୍ବତନ୍ତ୍ର ଫୋକ୍‌ସଡ ରାଜ୍ୟ ଦାବି ଦୋହରାଇଲେ

ଭୁବନେଶ୍ବର : ବିଶ୍ବ ସାମ୍ନାରେ କୋଭିଡ୍ ମୁକାବିଲା ଗୋଟିଏ ଚ୍ୟାଲେଞ୍ଜ ଥିଲା। କିନ୍ତୁ ଅବିଶିଷ୍ଟ ବିଶ୍ବକୁ ଭାରତ ଦେଖାଇଦେଲା ସମ୍ମିଳିତ ମୁକାବିଲା କେତେ ପ୍ରଭାବୀ ହୋଇପାରେ। ୟୁରୋପୀୟ ଦେଶ ଏବଂ ଆମେରିକା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିଗଲେ। ସଂଘୀୟ ବ୍ୟବସ୍ଥାରେ ଦେଶ ସାମ୍ନାରେ ଥିବା ସମସ୍ତ ପ୍ରମୁଖ ଆହ୍ବାନର ମୁକାବିଲା ସମ୍ମିଳିତ ଭାବେ ଏବଂ ସମାନ ଦୃଷ୍ଟିକୋଣରେ ହେବା ଉଚିତ୍। ସଂକୀର୍ଣ୍ଣ ରାଜନୀତିରୁ ଉପରକୁ ଉଠି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ଜଟିଳ ପ୍ରସଙ୍ଗରେ ଏଭଳି ମିଳିତ ପ୍ରୟାସ ବା ଉଦ୍ୟମକୁ ଇତିହାସ ସବୁଦିନ ମନେ ରଖିବ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଉପସ୍ଥିତିରେ ଦେଶର ବର୍ତ୍ତମାନ ସବୁଠାରୁ ବରିଷ୍ଠ ତଥା ଅନୁଭବୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଏଭଳି ଗୁରୁତ୍ବପୂର୍ଣ୍ଣ ମତ ରଖି ଚର୍ଚ୍ଚାକୁ ଆସିଛନ୍ତି। କେବଳ ସେତିକି ନୁହେଁ, ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଜି ସିଧା ସିଧା ଏକଥା ବି କହିଛନ୍ତି ଯେ ‘ନିର୍ବାଚନ’କୁ ଗଣତନ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଭାବେ ବିବେଚନା କରାଯାଏ। ଗୋଟିଏ ପରିପକ୍ବ ଗଣତନ୍ତ୍ରର ହଲ୍‌ମାର୍କ ହେଉଛି, ଦଳମତ ଊର୍ଧ୍ବକୁ ଯାଇ ନିର୍ବାଚିତ ସରକାର ଲୋକଙ୍କ ପାଇଁ କାମ କରିବ। ଏବେ କିନ୍ତୁ ସମୟ ଆସିଛି, ଆମେ ଭାରତବାସୀ ଆତ୍ମସମୀକ୍ଷା କରିବା ଦରକାର ଯେ ଆମେ ଏଭଳି କରୁଛନ୍ତି କି ନାହିଁ? ସଂପ୍ରତି ପ୍ରତ୍ୟେକ ଅପରାଧର ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତିଟି କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି। ଏହା ଦେଶର ଶାନ୍ତି ଓ ବିକାଶ ପ୍ରତି ସବୁଠାରୁ ବଡ଼ ବିପଦ ବୋଲି କୁହାଯାଇପାରେ। ନିର୍ବାଚନ ମାନିଆ ବା ବାତାବରଣରୁ ଉପରକୁ ଉଠି ନିର୍ବାଚିତ ସରକାରକୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯିବା ଦରକାର ବୋଲି ସେ କହିଛନ୍ତି।

କେନ୍ଦ୍ର କିମ୍ବା ଅନ୍ୟ କୌଣସି ରାଜ୍ୟ ଅଥବା କୌଣସି ରାଜନୈତିକ ଦଳ କାହାର ବି ନାମ ନ ନେଇ ନବୀନଙ୍କର ଏହି ତେରଚ୍ଛା ବାଣ ଏବଂ କଡ଼ା ବାର୍ତ୍ତା, ଆଜି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏଥିସହିତ ନିର୍ବାଚନ ମନସ୍କରୁ ଦୂରେଇ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଅର୍ଥାତ୍ ଏକକ ନିର୍ବାଚନ ସପକ୍ଷରେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୃଢ଼ ମତ ରଖିଛନ୍ତି। ନବୀନ ଏହି ଅବସରରେ ମହିଳା ସଂରକ୍ଷଣ ପ୍ରସଙ୍ଗ ପୁଣି ଥରେ ଦେଶ ସାମ୍ନାକୁ ଆଣିଛନ୍ତି। ବିଜେପି କିମ୍ବା ଅନ୍ୟ କୌଣସି ଦଳର ନାମ ନ ନେଇ ସେ ଆହୁରି କହିଛନ୍ତି ଯେ ଜାତୀୟ ଦଳମାନେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଯଦି ଆମେ ଏହି ପ୍ରତିଶ୍ରୁତି ଦେଇ ଏଡ଼ାଇଯିବା, ତେବେ ଇତିହାସ କେବେ ବି କ୍ଷମା ଦେବ ନାହିଁ। ଏବେ ସମୟ ଆସିଛି, ଏହା ଉପରେ ଗଭୀର ଭାବେ ଆଲୋଚନା କରି ପ୍ରତିଶ୍ରୁତିକୁ ଆଗେଇ ନିଆଯିବା ଦରକାର।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଦେଶକୁ ଆଗକୁ ବଢ଼ିବାର ଅଛି, ତେବେ ଅଣଦେଖା ବା ପଛୁଆ ହୋଇ ରହିଥିବା ରାଜ୍ୟ ତଥା ଉପେକ୍ଷିତ ଜନତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବଦ୍ଧତା ଦରକାର ଏବଂ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟକ୍ରମ ହାତକୁ ନେବା ଉଚିତ୍। ଏ କ୍ଷେତ୍ରରେ ନିତି ଆୟୋଗର ଏକ ବଡ଼ ଭୂମିକା ରହିଛି। ବିଶେଷକରି କୁପୋଷଣ, ଯୋଗାଯୋଗ ଏବଂ ଲିଙ୍ଗଗତ ବୈଷମ୍ୟତା ଉପରେ ଠୋସ୍ ପଦକ୍ଷେପ ନିଆଯିବା ଜରୁରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତର ପ୍ରସଙ୍ଗ ଦେଶ ସାମ୍ନାକୁ ଆଣିଥିଲେ। କହିଥିଲେ ଯେ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଜାତୀୟସ୍ତରୀୟ ବିଭିନ୍ନ ମେଧା ପରୀକ୍ଷା ଯେମିତିକି ୟୁପିଏସ୍‌ସି, ନିଟ୍, ଜେଇଇ ଆଦି ଦେଉଛନ୍ତି। ଏବେ ସମୟ ଆସିଛି, ଏସବୁ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯିବା ଉଚିତ୍। ଏଇଥିପାଇଁ ଯେ ଯୁବକମାନେ ଖାସ୍ ଏଥିଲାଗି ଅତି ଦାମୀ କୋଚିଂ ପାଇଁ ବାଧ୍ୟ ହେଉଛନ୍ତି। ଭବିଷ୍ୟତ ପାଇଁ ଏହା ବିପଜ୍ଜନକ। ଏହା ଗ୍ରାମାଞ୍ଚଳ ମେଧା ପ୍ରତି ମଧ୍ୟ ବିପଦ ସାଜୁଛି। ନିତି ଆୟୋଗ ଏହି ଗୁରୁତର ପ୍ରସଙ୍ଗସବୁକୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଅନ୍ୟଥା ଏହା ଆଉ କିଛି ବର୍ଷ ମଧ୍ୟରେ ବିପରୀତ ପରିସ୍ଥିତି ସୃଷ୍ଟି କରିବ ବୋଲି ନବୀନ ସତର୍କ କରାଇ ଦେଇଥିଲେ।

କେନ୍ଦ୍ରୀୟ ଅନୁଦାନ ହ୍ରାସ, ରେଳବାଇ, ଟେଲିକମ୍, ବ୍ୟାଙ୍କିଙ୍ଗ୍ ପ୍ରସଙ୍ଗ ଉଠାଇବା ସହିତ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବା କାରଣରୁ ନବୀନ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ଡ ରାଜ୍ୟ ଭାବେ ଘୋଷଣା ଦାବି ଦୋହରାଇଥିଲେ। ଓଡ଼ିଶାର କିଛି ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ପ୍ରସ୍ତାବ ଦେଇଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ କହିଥିଲେ, ୧୯୭୮ ମସିହାରୁ ରାଜ୍ୟମାନଙ୍କ ପକ୍ଷରୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଆବେଦନ ପତ୍ର ପଡ଼ିରହିଛି। ହେଲେ ଏହା ଉପରେ କୌଣସି ନିଷ୍ପତ୍ତି ନିଆନଯିବା ଅନ୍ୟାୟ।

ଉଲ୍ଲେଖଯୋଗ୍ୟ, ନବୀନ ତାଙ୍କ ଭାଷଣରେ ନୂଆ ବିଶ୍ବ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ସମାଧାନ ସହିତ ନବ ପରିବର୍ତ୍ତନର ଭଣ୍ଡାରକୁ ବିକଶିତ କରିବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର