ନକ୍ସଲ ଅଞ୍ଚଳରେ ନବୀନଙ୍କ ନକ୍ସା, ୬ ହଜାର ପରିବାରକୁ ମୋବାଇଲ୍ ବଣ୍ଟନ ଶୁଭାରମ୍ଭ କରି ପ୍ରତିଶ୍ରୁତି ଦେଲେ

ସବୁ ପରିବାରକୁ ମିଳିବ ସ୍ମାର୍ଟ ଫୋନ୍‌, ସ୍ବତନ୍ତ୍ର ପ୍ୟାକେଜ୍ ୨୧୫ କୋଟିକୁ ବୃଦ୍ଧି

ଭୁବନେଶ୍ବର/ମାଲକାନଗିରି/ଚିତ୍ରକୋଣ୍ଡା, ୧୭/୧୧ (ଇମିସ): ନକ୍ସଲ ଅଧ୍ୟୁଷିତ ସ୍ବାଭିମାନ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ନୂଆ ନକ୍ସା ତିଆରି କରିଛନ୍ତି ରାଜ୍ୟ ସରକାର। ବିକାଶ ଯୋଜନାର ଅଂଶ ‌ସ୍ବରୂପ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ସ୍ମାର୍ଟ ଫୋନ୍ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ପିଲାଙ୍କ ଅନ୍‌ଲାଇନ୍ ଶିକ୍ଷାରେ ସୁବିଧା ହେବ ଓ ସ୍ଥାନୀୟ ଲୋକେ ଅନ୍ୟ ଅଞ୍ଚଳ ସହିତ ନିଜକୁ ଯୋଡ଼ିବାରେ ସକ୍ଷମ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ଲାଟ୍‌ଫର୍ମରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କ ସହିତ ଆଲୋଚନା ବେଳେ ଏଭଳି ଘୋଷଣା କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଏକଥା ବି ପ୍ରତିଶ୍ରୁତି ଦେଇଛନ୍ତି, “ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି। ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢ଼ିବା ପାଇଁ ମୋର ଉଦ୍ୟମ ଜାରି ରହିବ।’’ ସ୍ବାଭିମାନ ଅଞ୍ଚଳ ପାଇଁ ଆଜି ଥିଲା ଏକ ଐତିହାସିକ ଦିନ। ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହେବା ସହିତ ଅଞ୍ଚଳବାସୀଙ୍କୁ ଆଉ ୧୧୫କୋଟିର ପ୍ୟାକେଜ୍ ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନକ୍ସଲ କ୍ୟା଼ଡରଙ୍କୁ ହିଂସା ଛାଡ଼ି ମୁଖ୍ୟଧାରାକୁ ଫେରି ଆସିବା ସହିତ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କରିବା ପାଇଁ ଆହ୍ବାନ ମଧ୍ୟ ଦେଇଛନ୍ତି। ଏହି ଅବସରରେ ୨୦୧୧ ଜନଗଣନା ଅନୁଯାୟୀ ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତର ୬ହଜାର ୯୧୭ ପରିବାରକୁ ମାଗଣାରେ ମୋବାଇଲ ପ୍ରଦାନ କରାଯାଇଥିଲା। ସ୍ବାଭିମାନ ଅଂଚଳରେ ଏବେ ୪ଟି ଏୟାରଟେଲ ଟାଵାର ବସିଥିବା ବେଳେ ଆଗକୁ ଆହୁରି ଚାରିରୁ ୫ଟି ଟାଵାର ସ୍ଥାପନ ପାଇଁ ଯୋଜନା ରହିଥିବା କୁହାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯାଇ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିଥିଲେ। ସେତେବେଳେ ସେ ୧୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ପରିବର୍ଦ୍ଧିତ ପ୍ୟାକେଜ୍‌ରେ ଶିକ୍ଷାଠାରୁ ଆରମ୍ଭ କରି ଜୀବିକା ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି। ଏବେ ମିସନ ଶକ୍ତିର ମା’ମାନଙ୍କ ପାଇଁ ଜ୍ଞାନ ଆହରଣ ଲାଗି ବିଭିନ୍ନ ଅଞ୍ଚଳକୁ ଗସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ସ୍ବାଭିମାନ ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାଭିମାନ ଅଞ୍ଚଳରେ ହଳଦୀ ଚାଷ ପ୍ରତି ଲୋକଙ୍କ ଆଦର ଦେଖି ଏଠାରେ ଅଧିକ ହଳଦୀ ଚାଷ ପାଇଁ ବ୍ୟବସ୍ଥା ସହିତ ପ୍ରକ୍ରିୟାକରଣ ଏବଂ ବଜାର ସୃଷ୍ଟି ପାଇଁ ବ୍ରାଣ୍ଡିଂର ବ୍ୟବସ୍ଥା କରାଯାଉଛି। ବିଜୁଳି ସେବା ପାଇଁ ୩୩ x ୧୧କେଭି ସବ୍‌ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ ୧୧ କେଭି ୩ ଫେଜ୍ ବିଦ୍ୟୁତ ସଂଯୋଗ ଦିଆଯିବ। ଗାଁ ଗାଁରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ୭୮ କିଲୋମିଟର ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହିତ ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ୨୫୦ଟି ଟ୍ୟୁବ ୱେଲ୍‌ କାମ ଶେଷ ହୋଇଛି ବୋଲି ସେ କହିଥିଲେ। ସ୍ବାଭିମାନ ଅଞ୍ଚଳରେ ଜଳସେଚନ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚରେ ୪୩ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ ୪୧୯ଟି କ୍ଲଷ୍ଟର ଭିତ୍ତିକ ଗଭୀର ନଳକୂପ କରାଯିବ। ଏହାଦ୍ବାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ। ସ୍ବାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ତଥା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସାଂସଦ ରମେଶ ଚନ୍ଦ୍ର ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମୀ, ଜିଲ୍ଲାପାଳ ଵାଇ. ବିଜୟ, ଏସ୍‌ପି ଋଷିକେଶ ଖିଲାରି, ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବାଭିମାନ ଅଞ୍ଚଳର କିଛି ଜନସାଧାରଣଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ପେପରମେଟଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀତାରାମ ଗଲୋରୀ, ଗୋରାସେତୁ ଗ୍ରାମର ଛାତ୍ରୀ କୁସୁମାନି ଖିଲ ଏବଂ ବିଡଲପାକନା ଗ୍ରାମର ଦୈମତି ଗଲୋରୀ ପ୍ରମୁଖ ସ୍ବାଭିମାନ ଅଂଚଳରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହ ଆଜି ସ୍ବାଭିମାନ ଅଂଚଳବାସୀ ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ସହଯୋଗ କରୁଛନ୍ତି ବୋଲି କହିଥିଲେ। ଗୁରୁପ୍ରିୟା ସେତୁର ନିର୍ମାଣ ସହିତ ଅଞ୍ଚଳର ବିକାଶ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ସେମାନେ ଆଜି ସବୁପ୍ରକାର ସୁବିଧା ପାଇପାରୁଛନ୍ତି। ଗମନାଗମନର ସୁବିଧା ସହିତ ଘର, ଜମି, ଚାଉଳ, ମୋବାଇଲ ସବୁ ସୁବିଧା ସେମାନେ ପାଉଛନ୍ତି। ବାପା ମା’ ଜନ୍ମଦାତା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ କର୍ମଦାତା ବୋଲି ସେମାନେ ମତ ଦେଇଥିଲେ। ଏହି ଅବସରରେ ସ୍ବାଭିମାନ ଅଞ୍ଚଳ ବିକାଶ ସଂପର୍କିତ ଏକ ବୃତ୍ତଚ୍ଚିତ୍ର ପଦର୍ଶିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ସଚିବ, ଭାରତ ଇନଫ୍ରାଟେଲ୍‌ର ରାଜ୍ୟ ମୁଖ୍ୟ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର