ନବୀନଙ୍କ ରାଜନୈତିକ ବିଚକ୍ଷଣତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି: ଶେଖର ଗୁପ୍ତା

ଓଡ଼ିଶା ରାଜନୀତିରେ କିଛି ଅସ୍ପଷ୍ଟ ନ ଥାଏ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ଖୁବ ପୁରୁଣା ବନ୍ଧୁ। ସେ ଖୁବ୍ କମ କଥା କୁହନ୍ତି। ବନ୍ଧୁତ୍ବକୁ ସେ ସମ୍ମାନ ଦିଅନ୍ତି। ତାଙ୍କ ରାଜନୈତିକ ବିଚକ୍ଷଣତା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା। ସେ ଆହୁରି କହିଛନ୍ତି ଯେ ନବୀନ ବାବୁ ଯଦି ବାରମ୍ବାର ନିର୍ବାଚିତ ହେଉଛନ୍ତି ତେବେ ସେ ଭଲ କାମ କରୁଥିବେ। ଓଡ଼ିଶା ରାଜନୀତିରେ ନିଶ୍ଚିତ ରୋମାଞ୍ଚ ଅଛି, କିନ୍ତୁ ଏଠି କିଛି ଅସ୍ପଷ୍ଟ ନଥାଏ। ପଶ୍ଚିମବଙ୍ଗରେ ଅସ୍ପଷ୍ଟ ଥିଲା, କାରଣ ସେଠି ପୋଲ ସର୍ଭେ ଅଲଗା ରହୁଥିଲା।
ଭୁବନେଶ୍ବରରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ଶ୍ରୀ ଗୁପ୍ତା କହିଛନ୍ତି ଯେ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ଭିତରେ ଏକ ଭାରସାମ୍ୟ ରହିବା ଉଚିତ। ସାମ୍ବାଦିକତା ଠିକ ନରହିଲେ ଅନ୍ୟାୟ ବଢ଼ିବ। ଓଡ଼ିଶାରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏଠାରେ ବହୁ କଲ୍ୟାଣକାରୀ ଯୋଜନା ଚାଲିଛି। ଦକ୍ଷତାର ସହ ତାହା କାର୍ଯ୍ୟକାରୀ କରାଯାଉଛି। ଏହା ନିଶ୍ଚିତ ଏକ ବଡ଼ ଉପଲବ୍ଧି। ଓଡ଼ିଶା ସିଭିଲ ସର୍ଭିସ କ୍ୟାଡ଼ର ବହୁତ ଭଲ, ଆଗରୁ ଗୁଜରାଟ କ୍ୟାଡର୍‌ କଥା କୁହାଯାଉଥିଲା। ଦିଲ୍ଲୀରେ ଓଡ଼ିଆ ବ୍ୟୁରୋକ୍ରାଟମାନେ ଭଲ କାମ କରୁଛନ୍ତି।

ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ଛଡ଼ା ନ ଯିବା ପ୍ରସଙ୍ଗରେ ସେ କହିଥିଲେ ଯେ ଯଦି ସାମ୍ବାଦିକଙ୍କୁ ଛଡ଼ା ଯାଉନି ତେବେ ସେମାନେ ‘ଏଡିଟର୍ସ ଗିଲ୍ଡ୍’କୁ ଲେଖନ୍ତୁ। ମୁଁ ମଧ୍ୟ ଏକଥାକୁ ସେଠାରେ ଧ୍ୟାନ ଦେବି। ହକିର ଓଡ଼ିଶା ପ୍ରାୟୋଜକ ଥିବାରୁ ତାହାର ପ୍ରଶଂସା କରିଛନ୍ତି ଶ୍ରୀ ଗୁପ୍ତା। କହିଛନ୍ତି ଯେ ହକିକୁ ଓଡ଼ିଶା ପ୍ରାୟୋଜିତ କରିବା ଏକ ବଡ଼ ପଦକ୍ଷେପ। ଓଡ଼ିଶା ଏବେ ହକି ରାଜଧାନୀ ପାଲଟିଯାଇଛି। ଏକ ମଧ୍ୟମ ଧରଣର ରାଜ୍ୟ କିପରି ଜାତୀୟ ସ୍ତରକୁ ଅବଦାନ ଦେଇପାରେ, ହକି ତାହାର ଉଦାହରଣ।

ସୂଚନାଯୋଗ୍ୟ ଯେ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ଗୁପ୍ତା ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ତାଙ୍କୁ ଏକ ଟିମ୍ ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ। ଏହାକୁ ଶ୍ରୀ ଗୁପ୍ତା ଟ୍ବିଟ୍ ମାଧ୍ୟମରେ ଜଣାଇବା ସହ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ନବୀନଙ୍କୁ ହକିର ଜଣେ ବଡ଼ ପ୍ରଶଂସକ ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର