ନୂଆପଡ଼ା: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ପୁଣି ନୂଆପଡ଼ାରେ ଭୋଟ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ରୋଡ୍‌ ସୋ’ କରିବା ପରେ ଜନସଭାକୁ ସମ୍ବୋଧିତ କରିଥିଲେ। ଗୋତମା ଉଡ଼ାଜାହାଜ ପଡ଼ିଆରେ ଦିନ ୧୨ଟାରେ ପହଞ୍ଚିବା ପରେ ଖରିଆର ରୋଡ୍‌ରୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ବିଶାଳ ରୋଡ୍‌ ସୋ’ କରି ନୂଆପଡ଼ାରେ ପହଞ୍ଚିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ପରକୋଡ଼ ପଡ଼ିଆରେ ଏକ ସଭାରେ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ଶାସକ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ବିଜେପିକୁ କ୍ଷମତା ମିଳିବାର ୧୫ ମାସ ଅତିକ୍ରାନ୍ତ ହୋଇଛି। କିନ୍ତୁ ଏହି ସମୟ ମଧ୍ୟରେ ସରକାର କିଛି କରିନାହାନ୍ତି। 

Advertisment

ନୂଆପଡ଼ା ଓ ଖରିଆର ରୋଡ୍‌ରେ ବିଶାଳ ରୋଡ୍‌ ସୋ’

ବିଜେପି ସରକାରକୁ ମାଗିଲେ ୫୦୦ ଦିନର ହିସାବ

କେବଳ ପ୍ରଚାରରେ ବିକାଶ ହୁଏନି। ବିଜେଡିର ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। ସରକାର ବଦଳିବା ପରେ ବିକାଶରେ ବାଧା ଉପୁଜିଛି। ନୂଆ ସରକାର କେବଳ ମିଛ ପ୍ରଚାର କରୁଛନ୍ତି। ରଙ୍ଗମରା ବିକାଶ କାମ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି କ୍ଷମତାକୁ ଆସିଲେ ପରିବାର ପିଛା ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଇ ଦେବ ବୋଲି କହିଥିଲା। ବରିଷ୍ଠ ନାଗରିକଙ୍କୁ ୩୫୦୦ ଟଙ୍କା ପେନ୍‌ସନ୍‌ ମିଳିଲା କି? ଚାଷୀଭାଇମାନଙ୍କୁ ୟୁରିଆ ସାର ମିଳିଲା କି? ମିସନ୍‌ ଶକ୍ତି ମା’ମାନଙ୍କୁ ଋଣ ମିଳୁଛି କି? କଟ୍‌ନିଛଟ୍‌ନି ବନ୍ଦ ହେଲା କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ବିଏସ୍‌କେୱାଇ କାର୍ଡରେ ଲୋକଙ୍କୁ ସେବା ମିଳୁଥିଲା। କିନ୍ତୁ ଏବେ ଆୟୁଷ୍ମାନ କାର୍ଡରେ କେବଳ ଟେନ୍‌ସନ୍‌ ହିଁ ମିଳୁଛି। ସେ ଆହୁରି କହିଲେ ଯେ ଏହି ୫୦୦ ଦିନ ମଧ୍ୟରେ ଲୋକଙ୍କୁ କେବଳ ମିଳିଛି ଧୋକା, ଧୋକା, ଡବଲ୍‌ ଧୋକା। ଗତ ୩  ତାରିଖ ଦିନ ତାଙ୍କ ସଭାକୁ ଯେପରି ଲୋକମାନେ ନ ଆସିପାରିବେ, ସେଥିପାଇଁ ଅନେକ ଚେଷ୍ଟା କରାଯାଇଥିଲା। କିନ୍ତୁ କୋମନାର ଭୋଟର ଭାଇଭଉଣୀମାନେ ବହୁ ସଂଖ୍ୟାରେ ତାଙ୍କ ସଭାରେ ଯୋଗ ଦେଇଥିଲେ।

ମିଛ କହି ସରକାର କରିପାରନ୍ତି, ପ୍ରାର୍ଥୀ ବି ଚୋରି କରିପାରନ୍ତି। କିନ୍ତୁ ସେମାନେ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ। କୋମନା ସଭାରେ ଲୋକଙ୍କ ମନରେ ଯେଉଁ କ୍ରୋଧ ଓ ଦୁଃଖ ସେ ଦେଖିଥିଲେ ଆଜି ମଧ୍ୟ ନୂଆପଡ଼ାରେ ଲୋକଙ୍କ ଆଖିରେ ସେହି କ୍ରୋଧ ଓ ଦୁଃଖ ରହିଛି। ଲୋକଙ୍କ ସହିତ, ବିଜେଡି ସହିତ ଓ ତାଙ୍କ ସହିତ କିପରି ବେଇମାନି କରାଗଲା ନୂଆପଡ଼ାବାସୀ ତାହା ଭଲ ଭାବେ ଜାଣନ୍ତି। ନୂଆପଡ଼ାର ଭୋଟର୍‌ମାନେ ୧୧ ତାରିଖ ଦିନ ଭୋଟରେ ଏହାର ଜବାବ ଦେବେ ବୋଲି ସେ କହିଥିଲେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ଟୁକୁନି ସାହୁ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଦଳର ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ।